Odiapua.com

ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି

ପୁରୀ- ୧୬-୦୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ। ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଚନ୍ଦ୍ରଭାଗାରେ ବୁଡ ପକାଇବା ଏବଂ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ୧୪୪ ଧାରା ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସହ ଚନ୍ଦଭାଗା ବୁଡ ସମ୍ପର୍ଣ୍ଣ ହେବ। ଏଥିରେ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ ସାମିଲ ରହିବେ। ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ଅନୁରୋଧ। ଏହି କଟକଣାର ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।