Odiapua.com

ମା’କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା ଉତ୍ସବ ପାଳିତ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାରେ ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା । ଏହି ମେଳାକୁ ଉକ୍ତ ମାନେ ବହୁ ଜାକ ଜକମରେ ପାଳନ କରୁଥିଲା ବେଳେ ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତ ଟାଙ୍କୁଣୀ ଚୁନୀଦାସ୍ଥିତ କପାଳୀ ନଦୀ କୂଳରେ ପୂଜା ପାଉଥିବା ମା’ କ୍ଷେତ୍ରବାସୀଙ୍କ ପୀଠରେ ଆଜି ବଡ଼ ଧୁମ ଧାମରେ ମକର ପର୍ବ ପାଳିତ ହୋଇଛି । ମନ୍ଦିରରେ ସାଜସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ଦର୍ଶକ ମାନଙ୍କୁ ବହୁ ଆନନ୍ଦିତ କରିଛି । ଏଥିସହ ହୋମଯଜ୍ଞ ଓ କାଳିସୀ ମାନଙ୍କ ନୃତ୍ୟ ମନ୍ଦିର ପରିବେଶକୁ ଅଧିକ ଚଳଚଞ୍ଚଳ ହୋଇଉଠିଥିଲା । ଝୁଣାଧୁଆଁ ସାଙ୍ଗକୁ ଢ଼ୋଲ ବାଜଣାରେ କାଳିସୀ ମାନଙ୍କ ବେତଧରି ଉନ୍ମୁକ୍ତ ନାଚ ଦେଖିବା ପାଇଁ ଦିନ ତମାମ୍ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା । ଦେଖଣାହାରିଙ୍କ ଶହ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ଏହିପୂଜା ଦୀର୍ଘ ୪ଦିନ ଧରି ଚାଲୁରହିବ ବୋଲି ମା’ କ୍ଷେତ୍ରବାସୀ ମକର ମେଳା କମିଟି, ଚୁନିଦା, ଟାଙ୍କୁଣୀର ସଭାପତି ପୁରୁଷୋତ୍ତମ ସାହୁ, ସଂପାଦକ ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ଉପେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ବାବୁରାମ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ (ମୁନା), ଦୀପକ ମଲ୍ଲିକ, ସୁରେନ୍ଦ୍ର ବେହେରା, ସମୀର ମଲ୍ଲିକ, ଚକ୍ରଧର ଜେନା, ରାଜେନ୍ଦ୍ର ବେହେରା, ଶେଖର ଚନ୍ଦ୍ର ବେହେରା, କାହ୍ନୁଚରଣ ଜେନା, ରାଜେନ୍ଦ୍ର ସାହୁ, ଅଭିରାମ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି । ଆଜିର ଏହି ଉତ୍ସବରେ ଭଦ୍ରକ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ପରିଡା, ଶିକ୍ଷାବିତ୍ ବାବୁଲା ରାଉତ, ତୁଷାରକାନ୍ତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ମକର ପର୍ବରେ ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ମାନେ ଏହି ମେଳା ଦେଖିବାକୁ ଆସିଥାନ୍ତି । ଏଠାରେ ମୁଖ୍ୟତଃ ପଂଚାୟତର ବିଭିନ୍ନ ଗ୍ରାମମାନଙ୍କରେ ଥିବା ଦେବୀ ପୀଠମାନଙ୍କରୁ କାଳିସୀ ଆସି ଦାସି ପଡ଼ିଥାନ୍ତି । ଏହି କାଳିସୀ ମାନେ ଦାସୀ ପଡ଼ିବା ପୁର୍ବରୁ ବହୁ ନିତି ନିୟମର ରହିଥିବା ବେଳେ ଆଜି ସାରା ଦିନ ଉପବାସ ରହିଥାନ୍ତି । ମା’ଙ୍କ ଇତିହାସରୁ ଜଣାଯାଏ ପ୍ରାୟ ଷୋଡଶ ଶତାବ୍ଦୀର ଶେଷଭାଗରେ ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବ ଏହି ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ମା’ ଙ୍କର ପବିତ୍ର ଦିନକୁ ମକର ସଂକ୍ରାନ୍ତୀରେ ୩ ଦିନ ଧରି ପାଳନ କଲେ । ଯାହାର ଇତିହାସ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି ସ୍ଥାନୀୟ ଲୋକେ କହନ୍ତି । ଏହି ମକର ସଂକ୍ରାନ୍ତୀ ଦିନ ମା’ ଙ୍କ ନିକଟରେ ମାଟିଘୋଡା ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏହି ଦିନ ଅନେକ ଭକ୍ତଙ୍କୁ ମା’ ପ୍ରସନ୍ନ ହୋଇଥିବାବେଳେ କେତେକ ପୂଜକଙ୍କୁ “ଦାସୀ” ଲାଗେ । ସେହି ସମୟରେ “ଦାସୀ” ଲୋକଙ୍କ ଦୁଃଖ ଶୁଣିଥାନ୍ତି । ଏଥି ଉପଲକ୍ଷେ ଚଳିତବର୍ଷ ମା’ ଙ୍କ ମନ୍ଦିରର ସାଜସଜ୍ଜା ବେଶ୍ ଚିତ୍ତାକର୍ଷକ ହୋଇଛି । ଝୁଣା ଆଳତୀର ପବିତ୍ର ପରିବେଶ ମଧ୍ୟରେ କାଳିସୀମାନଙ୍କ ବେତଧରା ଉଦଣ୍ଡ ନୃତ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଉନ୍ମାଦନା ସୃଷ୍ଟି କରିଥାଏ । ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଏଥିପାଇଁ ମନ୍ଦିର ପରିବେଶରେ ବେଶ୍ ଲୋକଭିଡ ପରିଲକ୍ଷିତ ହୁଏ । ପୂର୍ବରୁ ବଳଭଦ୍ରପୁରରୁ କାଳିସୀ ଆସି ନୃତ୍ୟ କରୁଥିବାବେଳେ ଏବେ କଲେଇ, ବଳାଜିତ୍‌ପଡା, ପାତ୍ରସାହି ଓ ଓଲଟୁଙ୍ଗା ଭଳି ସ୍ଥାନରୁ କାଳୀସୀ ଆସି ଲୋକଙ୍କୁ ଭଲମନ୍ଦ ବାଣୀ ଶୁଣାଇଥାନ୍ତି । ଏହି ମେଳାରେ ୩ ଦିନ ଅପେରା ହୋଇଆସୁଥିବାବେଳେ ଚଳିତବର୍ଷ କରୋନା କଟକଣା ଅନୁଯାୟୀ ଜିଲା ପ୍ରଶାସନର ଅଂକୁଶ ଯୋଗୁଁ ଏହା ବନ୍ଦ ରହିଥିବାର ଜଣାପଡିଛି ।