Odiapua.com

ମାକ୍ରୋୱେବ୍ ଟେକ୍ନୋଲୋଜିରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓ ଇ-ସେବା ଯୋଗାଣକାରୀ ସଂସ୍ଥା ମାକ୍ରୋୱେବ୍ ଟେକ୍ନୋଲୋଜିରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଜାତୀୟ ପତାକା ଉତୋଳନ କରି ଉଦ୍‌ବୋଧନ ଦେବା ଅବସରରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅନନ୍ୟ ଅବଦାନ ରଖିଥିବା ଓଡ଼ିଶା ଏବଂ ଭଦ୍ରକର ମହାମନିଷୀ ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ବଳିଦାନର ଜ୍ୱଳନ୍ତ ଉଦାହରଣ ଭଦ୍ରକର ଶହୀଦ ପୀଠ ଇରମ୍ ଓ ଲୁଣିଆ ଗୁଳିକାଣ୍ଡର ଅବତାରଣା କରିବା ସହିତ ଆମ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶାସନ ବ୍ୟବସ୍ଥାରେ ଅଖଣ୍ଡ ଭାରତବର୍ଷ ଗଠନରେ ବର୍ତମାନର ଯୁବପିଢି ଭାବେ ମାକ୍ରୋୱେବ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଜୀବନରେ ସଫଳତାର କୌଣସି ସହଜ ବାଟ ନଖୋଜି କଠିନ ପରିଶ୍ରମ ଦ୍ୱାରା ହାସଲ କରିବା ଏକମାତ୍ର ଉପାୟ ବୋଲି ତାଙ୍କ ସଂକ୍ଷିପ୍ତ ଭାଷଣରେ କହିଥିଲେ । ଏହି ପବିତ୍ର ଉତ୍ସବରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ଓ କର୍ମକର୍ତାଙ୍କ ସମେତ ଜିଲାସ୍ତରୀୟ ବହୁ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶିକା ନମ୍ରତା ରାୟ ପରିଚାଳନା କରିଥିଲେ ।