Odiapua.com

ମାଓବାଦୀ ନାମରେ ୫ ଲକ୍ଷ ଟଙ୍କା ମାଗି ଫୋନରେ ଧମକାଉଥିବା କିରାଣି ସହ ଦୁଇ ନକଲି ମାଓବାଦୀ ଗିରଫ

ମାଲାକନଗିରି, ୨୮ା୧୦(ଓଡିଆ ପୁଅ ) ମାଓବାଦୀ ସଂଗଠନକୁ ତୁରନ୍ତ ୫ଲକ୍ଷ ଟଙ୍କା ଦିଅ ନଚେତ ତୁମକୁ ଓ ତୁମ ପରିବାର ଙ୍କୁ ହତ୍ୟାକରାଯିବ ବୋଲି ମୋଟୁ ତହସିଲ ଅଫିସର ସୁପରଭାଇଜର କେ.ଚିନ୍ନାରାଓଙ୍କ ନିକଟକୁ ନକ୍ସଲଙ୍କ ନାମରେ ବାରମ୍ବାର ଫୋନ ଆସୁଥିଲା। ଶ୍ରୀ ରାଓ ଏ ସଂପର୍କରେ ମାଲକାନଗିରି ଥାନାରେ ଜଣାଇବା ପରେ ଏସପି ଜଗମୋହାନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଫୋନରେ ଧମକ ଦେଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଆରମ୍ଭ କରାଯାଇ ଫୋନ ଟ୍ରାକିଂ ମାଧ୍ୟମରେ ସେମାନେ ନକଲି ନକ୍ସଲ ବୋଲି ପୁଲିସ ଜାଣିପାରିଥିଲେ। ନକ୍ସଲ ନାମରେ ଫୋନକରୁଥିବା ବ୍ୟକ୍ତିଙ୍କୁ ଟଙ୍କା ଦେବାପାଇଁ ପୁଲିସର ପରାମର୍ଶରେ ଶ୍ରୀ ରାଓ ସେମାନେ କହିବାସ୍ଥାନକୁ ଯାଇଥିଲେ। ଟଙ୍କା ନେବା ଲୋଭରେ ସେହି ବ୍ୟକ୍ତିଦୁଇଜଣ ସେଠାରେ ପହଁଚିବା ପରେ ଆଗରୁ ଛକିରହିଥିବା ପୁଲିସ ସେମାନଙ୍କୁ ଗିରଫ କରିଛନ୍ତି। ଗିରଫ ସେ ଦୁଇଜଣ ହେଲେ କୋରକୁଣ୍ଡା ଗ୍ରାମର କେଶବଖିଲ(୪୮) ଓ ପାଣ୍ଡ୍ରୀପାଣୀ ପୁଜାରୀମୁଣ୍ଡା ଗ୍ରାମର ରାମଚନ୍ଦ୍ର ମାଝୀ(୩୨), କେଶବଖିଲ ଖଇରପୁଟ ତହସିଲରେ କନିଷ୍ଟ କିରାଣୀ ଭାବେ ଚାକିରି କରନ୍ତି। ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଏସ.ପି ଜଗମୋହନ ମୀନା ଗିରଫ ହୋଇଥିବା ଏହି ଦୁଇ ନକଲି ନକ୍ସଲ ଙ୍କୁ ଉପସ୍ଥିତ କରି ନକ୍ସଲଙ୍କ ନାମରେ ସେମାନେ କିପରି ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେବା ସଂପର୍କରେ ସୂଚନାଦେଇଥିଲେ। ଗିରଫ ଏହି ଦୁଇ ନକଲି ନକ୍ସଲଙ୍କୁ ପୁଲିସ ମାଲକାନଗିରି କୋର୍ଟକୁ ଚାଲାଣ କରିଛନ୍ତି।