Odiapua.com

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣ ଯୋଜନା ପଣ୍ଡ: ପୁଲିଂ ପାର୍ଟି ୧୫ କିମି ଜଙ୍ଗଲରେ ଚାଲିଚାଲି ଆସି ପାହଡ ଉପରେ ରାତ୍ରୀ ଯାପନ କଲେ

ମାଲକାନଗିରି, ୧୨ା ୪(ଓଡିଆ ପୁଅ ) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ପୋତିଥିବା ଭୟରେ ଗାଡିରେ ନ ଆସି ସମୁଦ୍ର ପତନଠାରୁ ୩ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିର ପାହାଡିଆ ଦୁର୍ଗମ ପଥୁରିଆ ଦୀର୍ଘ ୧୫କିମି ରାସ୍ତାରେ ଚାଲି ଚାଲି ଆସିଛନ୍ତି। ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ୬ଟି ବୁଥର ପୁଲିଂ ପାର୍ଟି। ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ପହଁଚିଥିବା ମାଓପ୍ରବଣ ବଡଡୁରାଲ ପଂଚାୟତର ୩ଟି ବୁଥ ଓ ମୁଦୁଲିପଡା ବଣ୍ଡାଘାଟିର ୬ଟି ବୁଥର ୯ଟି ପୁଲିଂ ପାର୍ଟିଙ୍କୁ ଗତକାଲି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ପୋତିଥିବା ଆଶଙ୍କା ଓ ଭୟରେ ସେମାନେ ସିଧାସଳଖ ଭାବେ ମୁଖ୍ୟ ରାସ୍ତାରେ ଗାଡିରେ ନଆସି ଦୀର୍ଘ ୧୫ କିମି ଜଙ୍ଗଲ ପାହଡ ଘାଟିରେ ଚାଲିଚାଲି ଆସି ପାହଡ ଉପରେ ରାତ୍ରୀଯାପନ କରିଥିଲେ। ସେମାନେ ଆଜି ସକାଳେ ଚାଲିଚାଲି ଗୋବିନ୍ଦପାଲି ଓ ଖଇରପୁଟ ଠାରେ ପହଁଚିବା ପରେ ସେମାନଙ୍କୁ ଗାଡି ଯୋଗେ ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ଆଣା ଯାଇଥିଲା। ଗତକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନ ଆସନରେ ନିର୍ବାଚନ ହୋଇଯାଇଛି। ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଞ୍ଚାୟତ ର ୬ଟି ଭୋଟକେନ୍ଦ୍ର ବଣ୍ଡାଘାଟି ମୁଦୁଲିପଡା ହାଇସ୍କୁଲଠାରେ କରାଯାଇଥିଲା। ଏହି ୬ଟି ବୁଥର ପୁଲିଂପାର୍ଟିଙ୍କୁ ୧୦ ତାରିଖ ରାତ୍ର ୨ଟାରେ ଖଇରପୁଟ ବ୍ଲକ ଠାରୁ ବଲେରୋ ଗାଡିରେ ନେଇ ମୁଦୁଲିପଡା ହାଇସ୍କୁଲଠାରେ ଛାଡିଥିଲେ। ଗତକାଲି ନିର୍ବାଚନ ସରିବା ପରେ ୫୪୦ଟି ବୁଥ ମଧ୍ୟରୁ ୫୩୧ଟି ବୁଥର ପୁଲିଂ ପାର୍ଟି ମଧ୍ୟରାତ୍ର ଜିଲ୍ଲାସଦର ମହକୁମା ଠାରେ ପହଁଚିଥିଲେ। ଅନ୍ୟ ୯ଟି ବୁଥର ପୁଲିଂପାର୍ଟି ମାଓବାଦୀଙ୍କ ଲ୍ୟଣ୍ଡମାଇନ ବିଷ୍ପୋରଣ ଆଶଙ୍କା ଓ ଭୟରେ ଆସି ପାରିନଥିଲେ। ବିଶେଷ କରି ବଣ୍ଡାଘାଟି ରାସ୍ତାରେ ମାଓବାଦୀମାନେ ପୁଲିଂପାର୍ଟି ଓ ପୁଲିସଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ପୋତି ଆକ୍ରମଣକରିବାର ଗୋଇନ୍ଦା ସୁତ୍ରରୁ ଖବର ପାଇ ସେହି ୬ଟି ପୁଲିଂ ପାର୍ଟିଙ୍କୁ ମୁଖ୍ୟରାସ୍ତାରେ ଗାଡିରେ ଛଡାନଯାଇ ଏସଓଜି ଯବାନଙ୍କ ସୁରକ୍ଷା ବଳୟରେ ମୁଦୁଲିପଡା ଠାରୁ ସନ୍ଧ୍ୟାରେ ପାଦଚଲା ରାସ୍ତାରେ ଚାଲିଚାଲି ପାହଡ ଉପରେ ଆସିଥିଲେ। ରାତ୍ରରେ ବର୍ଷା ହେବାରୁ ବଣ୍ଡା ପାହଡରେ ଏସଓଜି ଯବାନଙ୍କ ସହିତ ପୁଲିଂପାର୍ଟି ମାନେ ଟେଣ୍ଟ ମାରି ଭୋକରେ ରହି ସେହି ଘଞ୍ଚ ଜଙ୍ଗଲ ପାହଡରେ ରାତ୍ର ଯାପନ କରିଥିଲେ। ବର୍ଷା ଛାଡିଗଲାପରେ ଆଜି ଭୋର ୪ଟାରୁ ପାହଡ ପଥୁରିଆ ଘାଟି ରାସ୍ତାରେ ଦୀର୍ଘ ୧୫ କିମି ଚାଲି ଚାଲି ସେମାନେ ଖଇରପୁଟ ବ୍ଲକରେ ପହଁଚିବା ପରେ ସେଠାରୁ ଗାଡି ଯୋଗେ ସେମାନଙ୍କୁ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଇଭିଏମ ସଂରକ୍ଷଣ ଷ୍ଟ୍ରଙ୍ଗ ରୁମକୁ ଅଣାଯାଇଥିଲା। ମାଲକାନଗିରି ଜିଲ୍ଲା ସଦରହକୁମା ଇଭିଏମ ଗ୍ରହଣ କେନ୍ଦ୍ରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ, ରିଟର୍ନି ଅଫିସର ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀ ମାନେ ଏହି ୯ଟି ବୁଥର ପୁଲିଂପାର୍ଟିଙ୍କୁ ସ୍ବାଗତ ଜଣାଇ ନିରାପଦରେ ନିର୍ବାଚନ କରି ସୁରକ୍ଷିତ ଭାବେ ଇଭିଏମ ମେସିନକୁ ଜିଲ୍ଲା ସଦର ମହକୁମାରେ ପହଁଚାଇ ଥିବାରୁ ଧନ୍ୟବାଦ ଜଣାଇଥିଲେ। ମାଓବାଦୀଙ୍କ ବଡ ଧରଣର ହାମଲାରୁ ପୁଲିଂପାର୍ଟି ଓ ପୁଲିସ ରକ୍ଷାପାଇ ଯାଇଯାଇଛନ୍ତି, ମାଓବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡହୋଇଛି, ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏହି ୯ଟି ବୁଥର ପୁଲିଂପାର୍ଟି ପହଁଚି ସେମାନେ ମାଓବାଦୀଙ୍କ ଆକ୍ରମଣରୁ ରକ୍ଷାପାଇ ପୁନର୍ଜନ୍ମ ପାଇଛନ୍ତି ବୋଲି କହିଥିଲେ।