Odiapua.com

ମାଇକ୍ରୋ-ବାୟୋଲୋଜିଷ୍ଟ ଚୟନରେ ତଞ୍ଚକତା ; ଡିଗ୍ରୀଧାରୀଙ୍କୁ ଅଣଦେଖା ଅଭିଯୋଗ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ ବେଳେ ଆରଟିପିସିଆର ନମୁନା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ଭଦ୍ରକରେ ଏହି ସୁବିଧା ନଥିବାରୁ ଗତ ବର୍ଷ ଏପ୍ରିଲ ମାସ ଠାରୁ ଏହି ପରୀକ୍ଷା ପାଇଁ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଭଦ୍ରକ ଜିଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଏହି ସୁବିଧା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସେହି ଅନୁଯାୟୀ ଗତ ମାସ ଅର୍ଥାତ୍ ଜୁଲାଇ ମାସ ୭ ତାରିଖରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର ପାଇଁ ଆବଶ୍ୟକ ପଡୁଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଓ ଲ୍ୟାବ୍ ଟେକ୍‌ନିସିଆନ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲେ । ବିଶେଷକରି ମାଇକ୍ରୋ ବାଇଲୋଜିଷ୍ଟ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଇକ୍ରୋ ବାୟୋଲୋଜିରେ ସ୍ନାତକୋତ୍ତର କିମ୍ବା ମେଡିକାଲ ମାଇକ୍ରୋବାଇଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ରହିଥିଲା । ଆରଟିପିସିଆର ଲ୍ୟାବ୍‌ରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଭଦ୍ରକ ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା । ତେବେ ଏହି ପଦବୀ ପାଇଁ ମୋଟ ୨୪ ଜଣ ଆବେଦନ କରିଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ୧୩ ଜଣଙ୍କ ଆବେଦନ ପତ୍ରକୁ ନାକଚ କରି ଦିଆଯାଇଥିଲା । କିନ୍ତୁ ଅବଶିଷ୍ଟ ୧୧ ଜଣଙ୍କ ଚୟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି ଜଣେ ପ୍ରାର୍ଥୀ ବାଲେଶ୍ୱର ଜିଲା ବାହାନଗା ଅଂଚଳର ରଶ୍ମିରଂଜନ ରାଉତ ।

ଶ୍ରୀ ରାଉତଙ୍କ ଅଭିଯୋଗ ଅନୁଯାୟୀ କେବଳ ମାଇକ୍ରୋବାୟୋଲୋଜି ପାଠ୍ୟକ୍ରମ ୨ ବର୍ଷ । ଏଥିରେ ଖାଦ୍ୟ, ମାଟି, ଗଛପତ୍ର, କଳ କାରଖାନାର ଭୂତାଣୁ ଓ ଜୀବାଣୁଙ୍କ ସଂପର୍କରେ ପଢା ଯାଇଥାଏ । ମେଡିକାଲ ମାଇକ୍ରୋବାଇଲୋଜି ପାଠ୍ୟକ୍ରମ ୩ ବର୍ଷର ଓ ଏଥିରେ ମଣିଷ ଶରୀରର ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁଙ୍କ ସଂପର୍କରେ ପଢାଯାଇଥାଏ । କିନ୍ତୁ ଚୟନକର୍ତ୍ତା ମେଡିକାଲ ମାଇକ୍ରୋବାଇଲୋଜି ଡିଗ୍ରୀଧାରୀଙ୍କୁ ଅଣଦେଖା କରିଛନ୍ତି । ସେହିପରି ଚୟନ ବେଳେ ଯେଉଁ ପ୍ରାର୍ଥୀଙ୍କର ଆରଟିପିସିଆର ଲ୍ୟାବ୍‌ରେ ଅଭିଜ୍ଞତା ରହିଛି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କୁହାଯାଇଥିଲେ ମଧ୍ୟ ଏହି ଦିଗ ପ୍ରତି ଆଦୌ ଧ୍ୟାନ ଦିଆଯାଇନି । ମୋଟ ଯେଉଁ ୧୧ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ସେମାନଙ୍କ ମଧ୍ୟରୁ ଶ୍ରୀ ରାଉତଙ୍କ ସମେତ ମାତ୍ର ୨ ଜଣ ମେଡିକାଲ ମାଇକ୍ରୋ ବାଇଲୋଜି ଡିଗ୍ରୀଧାରୀ ଅଛନ୍ତି । ଉଭୟଙ୍କର ଆରଟିପିସିଆର ଲ୍ୟାବ୍‌ରେ ୨ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଅପରପକ୍ଷେ ଅନ୍ୟ ୯ ଜଣଙ୍କ ନିକଟରେ ଆରଟିପିସିଆର ଲ୍ୟାବ୍‌ରେ କାର୍ଯ୍ୟ କରିବାର କୌଣସି ଅଭିଜ୍ଞତା ନାହିଁ । ଏପରି ସ୍ଥଳରେ ମାଟ୍ରିକ୍ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପାଠ୍ୟକ୍ରମ ପର୍ଯ୍ୟନ୍ତ କ୍ୟାରିୟର ମାର୍କ ଆଳରେ ଚୟନ ପ୍ରକ୍ରି୍ରୟାରେ ପାତର ଅନ୍ତର କରାଯାଇଛି । ଏନେଇ ସେ ଜିଲାପାଳ ଓ ସିଡିଏମ୍‌ଙ୍କୁ ଅବଗତ କରିଛନ୍ତି । ତେବେ କେବଳ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଚୟନ କ୍ଷେତ୍ରରେ କ୍ୟାରିୟର ମାର୍କ ଗଣତି ହୋଇଥାଏ । କିନ୍ତୁ ସରକାରୀ ନିୟମକୁ ଏଠାରେ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର କହିଛନ୍ତି ଯେ ସେମାନେ ଲିଖିତ ଅଭିଯୋଗ କରନ୍ତୁ । ସେ ଏକା ବସି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚୂଡାନ୍ତ କରୁନାହାଁନ୍ତି । ଏଥି ନିମିତ୍ତ ଗୋଟିଏ ବୋର୍ଡ ରହିଛି । ଯଦି ବୋର୍ଡ ସଦସ୍ୟମାନେ ମେଡିକାଲ ମାଇକ୍ରୋବାଇଲୋଜି ଡିଗ୍ରୀକୁ ଅଗ୍ରାଧିକାର ଦିଅନ୍ତି, ତେବେ ଏହି ଚୟନ ପ୍ରକ୍ରିୟାକୁ ନାକଚ କରାଯାଇ ପୁନର୍ବାର ଚୟନ କରାଯିବ ବୋଲି ସେ କହିଥିଲେ ।