Odiapua.com

ମାଆ ରହିଲେ ସୁସ୍ଥ ପିଲା ହେବେନି ଦୁଃସ୍ଥ – ଜିଲ୍ଲାପାଳ, ଭଦ୍ରକ ପ୍ରକଳ୍ପ ସ୍ତରୀୟ ପୋଷାଣ ମାସ ପାଳନ ଓ ପ୍ରଦର୍ଶନୀ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁସ୍ଥ ମାଆ ଠାରୁ ହିଁ ସୁସ୍ଥ ଶିଶୁ ଜନ୍ମ ନିଏ । ସୁସ୍ଥ ଶିଶୁ ହିଁ ଉଭୟ ଶାରୀରିକ ଓ ମାନସିକ ଭାବେ ବିକଶିତ ହୋଇ ଭବିଷ୍ୟତରେ ସୁନାଗରିକ ହୁଏ ଏବଂ ଉତମ ସମାଜ ଓ ରାଷ୍ଟ୍ର ଗଠନରେ ସହାୟକ ହୁଏ । ତେଣୁ ଉଭୟ ମାଆ ଓ ଶିଶୁର ସୁସ୍ଥତା ପାଇଁ ପୋଷଣ ପରିଚାଳନା ଓ ସଚେତନତା ଜରୁରୀ ବୋଲି ଜିଲ୍ଲା ସଂସ୍କୃତି ଭବନରେ ଭଦ୍ରକ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଆନୁକୂଲ୍ୟରେ ଆୟୋଜିତ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଉପସ୍ଥିତ ଥିବା ଭଦ୍ରକ ବ୍ଲକ୍‌ର ବିଭିନ୍ନ ଗ୍ରାମରୁ ଆସିଥିବା ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତୀ ମାଆ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରସଙ୍ଗରେ ଜିଲ୍ଲାପାଳ ଛୋଟ ପିଲାକୁ ବଡ଼ କରାଇବାରେ ଅଙ୍ଗନବାଡ଼ିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତା ଉପରେ ଆଲୋକପାତ କରିଥିଲେ । ଅଙ୍ଗନବାଡି କର୍ମୀମାନେ ଶୂନ ରୁ ୬ ବର୍ଷ ବର୍ଷର ଶିଶୁମାନଙ୍କ ଦାୟିତ୍ୱ ବହନ କରିବା ସେମାନଙ୍କର ମହାନ ପୂଣ୍ୟ କାର୍ଯ୍ୟ ବୋଲି ସେ କହିଥିଲେ । ସେମାନେ ହିଁ ଶିଶୁର ମୂଳଦୁଆ ପକାଇଥାନ୍ତି । ସେଥି ପାଇଁ ଏ ଦିଗରେ ସେମାନେ ସମୟାନୁବର୍ତିତା ଅନୁପାଳନ ପୂର୍ବକ କର୍ତବ୍ୟ ନିଷ୍ଠ ହେଲେ ସମାଜର ମଙ୍ଗଳ ହେବା ସହିତ ଅଦୃଶ୍ୟ ଶକ୍ତିର ଆର୍ଶୀବାଦ ସେମାନଙ୍କୁ ପ୍ରାପ୍ତ ହେବ ବୋଲି ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ପୁଷ୍ପଲତା ପାତ୍ର, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ୍‌, ଜିଲ୍ଲା ପୋଷଣ ସଂଯୋଜକ ସେକ୍ ସିରାଜ ଅଖତାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଷଣ ମାସ ପାଳନର ଆଭିମୁଖ୍ୟ ଓ ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଭଦ୍ରକ ସି.ଡ଼ି.ପି.ଓ. ରାଜଶ୍ରୀ ଗୋସ୍ୱାମୀ ମଂଚ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ କି ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ପୋଷଣ ମାସ କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଅଙ୍ଗନବାଡ଼ିରେ, ସୁପରଭାଇଜରମାନଙ୍କ ଦ୍ୱାରା ସେକ୍ଟର ସ୍ତରରେ, ସି.ଡ଼ି.ପି.ଓ ମାନଙ୍କ ଦ୍ୱାରା ପ୍ରକଳ୍ପ ସ୍ତରରେ ଓ ଡ଼ି.ଏସ୍‌.ଡ଼ବ୍ଲ୍ୟୁ.ଓଙ୍କ ଦ୍ୱାରା ଜିଲ୍ଲାସ୍ତରରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଆୟୋଜନ ପରିସରରେ ଶିଶୁମାନଙ୍କ ପାଇଁ ବିଭିନ୍ନ ପୁଷ୍ଟିକର ପାରମ୍ପରିକ ଖାଦ୍ୟ ସମାହାରର ପ୍ରଦର୍ଶନୀ, ପୋଷଣ ସହ ପାଠପଢ଼ା ପାଇଁ ଟାୟାଥନ୍ ହାତ ତିଆରି ଖେଳନାର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ପୋଷଣ ମାସରେ ବିଭିନ୍ନ ଅଙ୍ଗନବାଡ଼ି ସ୍ତରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମର ନମୁନା ପ୍ରଦର୍ଶିତ ହୋଇଥିଲା । ଜିଲ୍ଲାପାଳ ଏ ସମସ୍ତ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ବର୍ଗରେ ଉତମ ପ୍ରଦର୍ଶନ ପାଇଁ ପୁରସ୍କାର ବିତରଣ କରାଯାଇଥିଲା । ସୁପରଭାଇଜର ନିବେଦିତା ଯେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।