Odiapua.com

ମହୁରତ କରି ଆରମ୍ଭ ହେଲା ମେଲୋଡି କାର୍ଯ୍ୟକ୍ରମ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୯/୧୦ ମାସ ଧରି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିବା କାରଣରୁ ମେଲୋଡି ପାର୍ଟି ମଧ୍ୟ ବନ୍ଦ ରହିଥିଲା । ତେବେ ସରକାର କୋବିଡ଼ କଟକଣାକୁ କୋହଳ କଲା ପରେ ଅପେରା, ଥିଏଟର ଆଦି ଖୋଲାଯିବା ପାଇଁ ନିର୍ଦ୍ଦେଶନାମା ଜାରି ହେବାରୁ ମେଲୋଡି କଳାକାରମାନଙ୍କ ମନରେ ଆନନ୍ଦ ଦେଖା ଦେଇଛି । ଦୀର୍ଘ ଦିନର ନିରବତା ପରେ ଭଦ୍ରକ କଳାକାର ସଂଘର ପ୍ରଚେଷ୍ଟା ଯୋଗୁ ମେଲୋଡି କଳାକାର ପୁଣି ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମଞ୍ଚକୁ ଫେରିବାକୁ ପାଦ ବଢାଇଛନ୍ତି । ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ମେଲୋଡି ଗୀତ ସମ୍ରାଟ୍ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ, ବିଶିଷ୍ଟ ବ୍ୟବସାୟୀ ଉତ୍କଳ କେଶରୀ ମହାନ୍ତି ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଭାବେ ବରିଷ୍ଠ ଆଇନଜୀବୀ ଦିବ୍ୟସିଂ ନାୟକ, ଯାତ୍ରାଭିନେତା ସୁବାସ ବେହେରା, ହାସ୍ୟାଭିନେତା ନିମାଇଁ ଚରଣ ସାହୁ, ଉତ୍ସର୍ଗ ସେବା ସଂଗଠନର ପ୍ରତିଷ୍ଠାତା ଅପୂର୍ବ ରଂଜନ ବେହେରା, ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶକ ସୁବାସ ରାମ, ଗୀତ୍ ସମ୍ରାଟର ପ୍ରତିଷ୍ଠାତା କୁମାର ଗୌତମ ଯୋଗ ଦେଇ କୋବିଡ଼ କଳାକାରମାନଙ୍କ ଜୀବନ ଜୀବିକାକୁ କିପରି ଛଡାଇ ନେଇଛି ତାହା ବର୍ଣ୍ଣନା କରିଥିଲେ । ଏବେ ପୁଣି ସେହି ସୁଦିନ ଫେରି ଆସିବ ବୋଲି କଳାକାରମାନେ ଆଶାବ୍ୟକ୍ତ କରିଥିଲେ । ମଞ୍ଚ ହିଁ କଳାକାରଙ୍କ ଜୀବନ, ମଞ୍ଚ ଫେରିଥିବାରୁ କଳାକାରମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତିି ବୋଲି ଅତିଥିମାନେ କହିଥିଲେ ।