ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଙ୍କୁ ମିଛ କହି ଭ୍ରମିତ କରୁଛି ବିଜେପି। ମୋଦି ଓ ତାଙ୍କ ଦଳ ମିଛ କହି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଏଥିରୁ ନିବୃତ ରହିବାକୁ ଆହ୍ୱାନ ଦେଇଛି କଂଗ୍ରେସ। ଆଜି ପିସିସି ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପିସିସି ମିଡିଆ ସେଲ ଉପାଧ୍ୟକ୍ଷ ଅମୀୟ ପାଣ୍ଡବ। ଜିଲ୍ଳା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ପାଣ୍ଡବ। ମହିଳା ସଶକ୍ତୀକରଣ ଓ ରାଜନୈତିକ ଭାଗିଦାରୀ ଉପରେ ସବୁବେଳେ କଂଗ୍ରେସ ଗୁରୁତ୍ୱ ଦେଇ ଆସିଛି ବୋଲି ଜୋର ଦେଇ କହିବା ସହ ମହିଳାଙ୍କ ମର୍ଯ୍ୟାଦା ପ୍ରତି ସାମାନ୍ୟ ସମ୍ମାନ କିମ୍ବା ଦରଦ ନଥିବା ବିଜେପି ତୁଛାଟାରେ ନାଟକ କରୁଛି ବୋଲି ଅପେକ୍ଷା କରିଛନ୍ତି ୨୦ ସେପ୍ଟେମ୍ବର ୨୦୨୩ରେ ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇ ସାରିଥିବାବେଳେ ତାହା କାର୍ଯ୍ୟକାରୀ ନକରି ଏବେ ସୀମା ପୁନଃ ନିର୍ଦ୍ଧାରଣ ବିଲ ଗୃହୀତ କରାଇ ନେବା ହିଁ ବିଜେପିର ଘୃଣ୍ୟ କସରତ ଥିଲା ବୋଲି ସେ କହିଛନ୍ତି। ଜନ ସଂଖ୍ୟାକୁ ଆଧାର କରି ଏକ ମତଭେଦପୂର୍ଣ୍ଣ ଯୋଜନା ମାଧ୍ୟମରେ ଓଡ଼ିଶା ପରି କିଛି ରାଜ୍ୟକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାେଇଥିଲା। ମୋଦି ସରକାର ଏହି ଚାଲକୁ ସଚେତନ ସାଂସଦମାନେ ବୁଝିବା ସହ ପରାସ୍ତ ଓ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ୨୦୨୩ରେ କଂଗ୍ରେସ ସମେତ ପ୍ରାୟ ସବୁ ଦଳ ଏହାକୁ ସମର୍ଥନ କରି ଗୃହୀତ କରାଇଥିଲେ। ମାତ୍ର ସରକାର ୨୦୨୪ ନିର୍ବାଚନରେ ତାକୁ କାର୍ଯ୍ୟକାରୀ କଲେ ନାହିଁ କାହିଁକି? ତେଣୁ ୫୪୩ ଆସନ ମଧ୍ୟରୁ ୧୮୧ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାକୁ କିଏ ବଂଚିତ କରିଛି ବୋଲି ସେ ପ୍ରଶ୍ନ କରିଥିଲେ। ୨୦୧୦ ମସିହାରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ବିଲ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭାରେ ୧୦୮ ତମ ସମ୍ବିଧାନ ସଂଶୋଧନ ବିଲ ପାସ କରାଇଥିବା ବିଜେପି ଭୁଲି ଗଲା କିପରି? ଏହି ବିଳ ଉପରେ ବିତର୍କରେ ଭାଗ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କ ଗାନ୍ଧି ଯାହା ଉପସ୍ଥାପନ କରିଥିଲେ ତାହା ଯଥାର୍ଥ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା, ଜାନକୀ ମଲ୍ଲିକ, ଶେଖ ହସିନା, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ଅବଦୁଲ ମୋକିଦ ଖାନ, ଚାନ୍ଦବାଲି ବ୍ଳକ ସଭାପତି ସୁଭାଶିଶ ମଲ୍ଲିକ, ଜିଲ୍ଳା କୋଷାଧ୍ୟକ୍ଷ ବିଜୟ ବାରିକ, ବିଦ୍ୟାଧର ଜେନା, ରଂଜନ ଜେନା, ଶମ୍ଭୁନାଥ ପତି, ପ୍ରଫୁଲ୍ଲ ପାଢ଼ୀ, ପଦ୍ମଲୋଚନ ବେହେରା, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।