Odiapua.com

ମହିଳା, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ଓଡ଼ିଶାରେ ଉଦବେଗଜନକ

ବ୍ରହ୍ମପୁର: ୧୨/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ” ବାଲ୍ୟ ବିବାହ ଓ ଯୁବତୀ ଚାଲାଣ ରେ ପିଡୀତାଙ୍କ ଉଦ୍ଧାର ଓ ଥଇଥାନ ” ଶୀର୍ଷକ ଗଞ୍ଜାମ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ବୋର୍ଡର ଅଧ୍ୟକ୍ଷା ସୁଶ୍ରୀ ଲତିକା ପ୍ରଧାନ ଅଧ୍ୟକ୍ଷତା କରି ପ୍ରତ୍ୟେକ ଜିଲ୍ଲାର ପୋଲିସ ମୁଖ୍ୟାଳୟ ଅଞ୍ଚଳରେ ଫ୍ୟାମିଲି କାଉଁସିଲିଂ ସେଣ୍ଟର ସ୍ଥାପନ କରାଯାଉଛି। ପିଡୀତାଙ୍କ ଥଇଥାନ ଦିଗରେ ସେହି ସେଣ୍ଟରରେ ଅବସ୍ଥାପିତ କର୍ମକର୍ତ୍ତା ବିଚାର ବିମର୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହି କର୍ମଶାଳାରେ ବ୍ରହ୍ମପୁର ମେୟର ଶ୍ରୀମତୀ କେ. ମାଧବୀ, ବି ଡି ଏ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ବି ଏମ ସି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର, ସମାଜ କଲ୍ୟାଣ ବୋର୍ଡର ସଚିବ ଶେଖ କୁତୁବୁଦ୍ଦିନ ପ୍ରମୁଖ ବାଲ୍ୟ ବିବାହ ଓ ଯୁବତୀ ଚାଲାଣଏକ ସାମାଜିକ ଅପରାଧ ଏବଂ ଏଥିପାଇଁ କଠୋର ଦଣ୍ଡ ବିଧାନ ଘେନି ଆଇନ ବ୍ୟବସ୍ଥା ରହିଥିବା ସୁଚାଇଥିଲେ। ପ୍ରତେକ ନାଗରିକ ଏପରି ସାମାଜିକ ଅପରାଧ ରୋକିବା ଦିଗରେ ଯତ୍ନବାନ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ।

ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ସୁପରଭାଇଜର, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଓ ପ୍ରମୁଖ ନାଗରିକମାନେ ଯୋଗ ଦେଇଥିଲେ। ଓଡିଶାରୁ ମହିଳା ଓ ଶିଶୁ ଚାଲାଣ ଅବ୍ୟାହତ ଥିବାରୁ ଏହି କର୍ମଶାଳାରେ ଉଦବେଗ ପ୍ରକାଶ ପାଇଛି। କେବଳ ଗତବର୍ଷ ପ୍ରାୟ ୨ ହଜାର ମହିଳା ଓ ଶିଶୁ ବାହାର ରାଜ୍ୟକୁ ଚାଲାଣ ହୋଇଥିବା ରିପୋର୍ଟ ହୋଇଛି । ଏହି କର୍ମଶାଳାରେ ବାଲ୍ୟ ବିବାହ ଘେନି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ବିହାରରେ ସର୍ବାଧିକ ୪୦.୭ ଏବଂ ଓଡ଼ିଶାରେ ୩୯.୧ ପ୍ରତିଶତ ହାର ରହିଛି। ଓଡ଼ିଶାର ଜିଲ୍ଲା ଗୁଡିକ ମଧ୍ୟରେ ଏହାର ହାର ମାଲକାନଗିରି ରେ ସର୍ବାଧିକ ୩୯.୩ ରହିଥିବା ବେଳେ ନବରଙ୍ଗପୁରରେ ୩୭.୯ , ମୟୁରଭଞ୍ଜରେ ୩୫ ,କୋରାପୁଟରେ ୩୪.୭ , ରାୟଗଡ଼ା ଓ ନୟାଗଡରେ ୩୪.୪ , ଗଞ୍ଜାମ ଜିଲ୍ଲାରେ ୨୯.୮ ,କେନ୍ଦୁଝର ରେ ୨୮ ପ୍ରତିଶତ ରହିଥିବା ପ୍ରକାଶ ପାଇଥିଲା। ଦାରିଦ୍ର୍ୟ, ଯୌତୁକ ଦାବି, ସାଂସ୍କୃତିକ ପରମ୍ପର , ନିରକ୍ଷରତା , ଝିଅ ମାନଙ୍କ ଠାରେ ରୋଜଗାର କରିବା ଅକ୍ଷମତା ଇତ୍ୟାଦି ବାଲ୍ୟ ବିବାହର କାରଣ ହୋଇଥାଏ ବୋଲି ସୂଚାଇ ସେପରି କୁସ୍ଛିତ ପ୍ରଥାକୁ ରୋକିବାକୁ ସାମାଜିକ ଆନ୍ଦୋଳନ ଗଢିତୋଳିବା ସହ ଆଇନଗତ ସହାୟତା ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।