Odiapua.com

ମହିଳା ମୋର୍ଚ୍ଚାର ବିକ୍ଷୋଭ: କଟକରେ ସମାଲୋଚନା

କଟକ: ଗତ ୫ ତାରିଖରେ ବିଜେପି ମହିଳା ମୋର୍ଚ୍ଚା କରିଥିଲା ବିକ୍ଷୋଭ।ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବଂ ଯୌନ ଉତ୍ପୀଡନ ଅଭିଯୁକ୍ତ ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟସାରା ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିବା ସହ ସ୍ମିତାରାଣୀଙ୍କର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରିବା, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଏବଂ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସଭାପତି ପ୍ରମୋଦ ସାହୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେବା ସହ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ତେବେ ଏହାକୁ ଅଯଥା ରାଜନୀତି କହି ସମାଲୋଚନା କରିଥିଲା ବିଜେଡି।ସେମାନଙ୍କର ଗୋଟେ ଦଳ ଅଛି ବୋଲି ଜଣାଇବା ପାଇଁ ବିଜେପି ଅଯଥାଟାରେ ରାଜନୀତି କରୁଛି ବୋଲି ତାତ୍ସଲ୍ୟ କରି ପୀଡ଼ିତ ପରିବାର କିପରି ନ୍ୟାୟ ପାଇବ ସେ ଦିଗରେ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ପ୍ରମିଳା ମଲ୍ଲିକ।

କଟକ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନରୁ ସେହିପରି କିଛି ଜଣାପଡ଼ୁଥିଲା।ପିଡ଼ିତାଙ୍କ ପ୍ରତି ବ୍ୟଥା ଅପେକ୍ଷା ଆତ୍ମପ୍ରଚାର ସ୍ପଷ୍ଟ ବାରି ହୋଇଯାଉଥିଲା।ବିକ୍ଷୋଭ ସ୍ଥଳରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଏବଂ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା ପ୍ରମୁଖଙ୍କ ସମେତ ଭଲ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ମହିଳା ନେତ୍ରୀ, କାର୍ଯ୍ୟକର୍ତ୍ତା ମଧ୍ୟ ଖୁବ୍ ଆକ୍ରମଣାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କିନ୍ତୁ, ବିକ୍ଷୋଭ ପାଇଁ ବ୍ୟବହୃତ ବ୍ୟାନର ଗୁଡ଼ିକରେ ପିଡ଼ିତାଙ୍କ ନ୍ୟାୟ ଦାବି ଅପେକ୍ଷା ବିଜେପି ନେତାନେତ୍ରୀଙ୍କ ଅଧିକ ପ୍ରଚାର ଦେଖାଯାଉଥିଲା।ନେତ୍ରୀ ତାଙ୍କ ନିଜ ଫଟୋ ସହ ରାଜ୍ୟ ନେତୃତ୍ୱ ମାନଙ୍କର ଫଟୋ ବ୍ୟାନର ସାରା ଛାପି ଦେଇଥିଲେ। ସାଧାରଣତଃ ଏପରି କୌଣସି ଘଟଣାରେ ବିକ୍ଷୋଭ, ଆନ୍ଦୋଳନ ପ୍ରଦର୍ଶନ ସମୟରେ ପିଡ଼ିତାଙ୍କ ପାଇଁ ନ୍ୟାୟ ଦାବି ବା ପିଡ଼ିତାଙ୍କ ସାଙ୍କେତିକ ଫଟୋ ଆଦି ବ୍ୟବହାର କରାଯାଇଥାଏ, ନେତାନେତ୍ରୀଙ୍କ ଫଟୋ ନୁହେଁ।କିନ୍ତୁ, କଟକରେ ବିଜେପି ମହିଳା ମୋର୍ଚ୍ଚାର ସେଦିନର ପ୍ରଦର୍ଶନ ସମୟରେ ବ୍ୟାନର/ପୋଷ୍ଟର ଦେଖିଲେ ଏକ ନିର୍ବାଚନୀ ରାଲି ପରି ଲାଗୁଥିଲା।ଆତ୍ମପ୍ରଚାର ପରି ଲାଗୁଥିଲା।ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ତାତ୍ସଲ୍ୟ କରି କହିବା ପରି, ସେମାନଙ୍କର ଗୋଟେ ଦଳ ଅଛି ବୋଲି ଜଣାଇବା ପାଇଁ ବା ଦଳ ଭିତରେ ନିଜର ସ୍ଥିତି ଜାହିର କରି ଦେଖାଇହେବା ପାଇଁ ଉଦ୍ଦେଶ୍ୟ ଥିବା ପରି ଅନୁଭବ ହେଉଥିଲା।-ଦେବଦତ୍ତ ରଥ