Odiapua.com

ମହିଳା ମହାବିଦ୍ୟାଳୟରେ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଗତ ୧୩ତାରିଖରୁ ଆୟୋଜିତ ହୋଇଥିବା ସାଂସ୍କୃତିକ ସପ୍ତାହ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀଙ୍‌କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ କନୁଜା ସିର୍କା ମହୋଦୟା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ପ୍ରତିଭା ଲୁଚିରହିଛି ସେ ସବୁର ପ୍ରକାଶନ ନିମନ୍ତେ ମହାବିଦ୍ୟାଳୟରେ ଶିକ୍ଷା ସହିତ ଏଭଳି ସମାବେଶର ଆୟୋଜନ ବେଶ୍ ଆବଶ୍ୟକ ବୋଲି ଅଧ୍ୟକ୍ଷା ମତ ଦେଇଥିଲାବେଳେ ଛାତ୍ରୀମାନେ ଏହି ବୟସରେ ଏସବୁ ପ୍ରତିଭାକୁ ଅଧିକରୁ ଅଧିକ ବିକଷିତ କରିବା ଉଚିତ ବୋଲି ମୁଖ୍ୟ ଅତିଥି କହିଥିଲେ। ଛାତ୍ରୀ ସଂସଦର ଉପଦେଷ୍ଟା ସୁପ୍ରୀତିକର ଓ ଅନ୍ୟତମ ବରିଷ୍ଠ ପ୍ରାଧ୍ୟାପିକା ଅନୀତା ଦଳାଇ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଏଭଳି ଉତ୍ସବର ଆୟୋଜନକୁ ଛାତ୍ରୀମାନେ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିଛନ୍ତି ବୋଲି ବ୍ୟକ୍ତ କରିଥିଲେ।

ସାଂସ୍କୃତିକ ପରିଷଦର ଉପସଭାପତି ଡଃ ଆଭାମୟୀ ମହାପାତ୍ର ସ୍ୱାଗତ ସଂଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଂସ୍କୃତିକ ପରିଷଦର ସଦସ୍ୟ ସ୍ମିଗ୍ଧାରାଣୀ ଖୁଂଟିଆ, ଅବନ୍ତୀ ମହାନ୍ତି, ସଂଘମିତ୍ରା ଦାସ, ଗୀତାଞ୍ଜଳି ସାହୁ ପ୍ରମୁଖ ପୁରସ୍କାର ବିତରଣୀ ସମେତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ନୃତ୍ୟ, ସଂଗୀତ, ତର୍କ, ପ୍ରବନ୍ଧ, କବିତା ଲିଖନ, ଝୋଟି, ମେହେନ୍ଦି ପରି ବହୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ନିପୁଣତା ପ୍ରଦର୍ଶନ କରିଥିଲେ ଓ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରାଜେଶ ପାହାରୀ, ଜଗନ ଟୁଡୁ, ଅଧ୍ୟାପିକା ପ୍ରିୟଦର୍ଶନୀ ସାହୁ, ସୌଦାମିନୀ ରାଉତ, ସଂଗୀତା ଦାସ, ଇସ୍ପିତା ବିଶ୍ୱାଳ, ସିଲେଷ୍ଟିନା ଏକ୍କା, ରଶ୍ମିରେଖା ସୋରେନ, ଭବେଶ ସ୍ୱାଇଁ, ପ୍ରଦ୍ୟୁତ ପଣ୍ଡା, ରାଜଲକ୍ଷ୍ମୀ ବାରିକ, ଭାଗ୍ୟଲକ୍ଷ୍ମୀ ବାରିକ, କର୍ମଚାରୀ ପ୍ରଫୁଲ୍ଲ ରାଉତ, କୈଳାଶ ସାହୁ, ଉର୍ମିଳା ପଣ୍ଡା ଓ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗରେ ସମାରୋହଟିକୁ ସଫଳ କରିଥିଲେ।