ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ବ୍ଲକ କମିଟି ପକ୍ଷରୁ ସରକାରଙ୍କ ପଂଚାୟତ ମହିଳା ସଂଘ, ବ୍ଲକ ମହିଳା ସଂଘ ଓ ଜିଲା ମହିଳା ସଂଘର ପୁର୍ନଗଠନ କରିବା ପାଇଁ ସରକାରଙ୍କର ମିଶନ ଶକ୍ତି ବିଭାଗରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପାଇବା ପରେ ଜୀବିକା ମିଶନ ଇ.ସି. ସଂଘ ତିହିଡ଼ି ବ୍ଲକ କମିଟି ପକ୍ଷରୁ ବୁଧବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଜେନାଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାର ପୁନର୍ଗଠନ ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ପୁନର୍ଗଠନକୁ ବନ୍ଦ କରିବାକୁ ଦାବି କରାଯାଇଛି। ଜିଲା, ବ୍ଲକ ଓ ପଂଚାୟତ ମହିଳା ସଂଘର ଇସି ସଦସ୍ୟାମାନେ ଯେଉଁ ସ୍କୁଟି ଲୋନ ନେଇଛନ୍ତି ଋଣର ୪୮ଟି କିସ୍ତି ମଧ୍ୟରୁ ମାତ୍ର ୧୧ଟି କିସ୍ତି ଶୁଝିଛନ୍ତି। ପୁନର୍ଗଠନ ପ୍ରକ୍ରିୟା ହେଲେ ସେମାନେ ସ୍କୁଟି ଋଣ ଶୁଝି ପାରିବେ ନାହିଁ। ଦୀର୍ଘଦିନ ହେବ ମହିଳା ସଂଘର କର୍ମକର୍ତା ଓ ସଦସ୍ୟମାନେ ସରକାରଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କର ସେବା କରିଆସୁଛନ୍ତି। ଏପରିକି କରୋନା ସମୟରେ ଜୀବନକୁ ବିପନ୍ନ କରି ସେମାନେ ଲୋକମାନଙ୍କର ସେବା କରିଥିଲେ। ପୁନର୍ଗଠନ ପରେ ପୁରୁଣା କର୍ମକର୍ତା ଓ ସଦସ୍ୟ ନରହିଲେ ସେମାନଙ୍କର ପ୍ରୋତ୍ସାହନ ରାଶି ମିଳି ପାରିବ ନାହିଁ। ଯାହାଫଳରେ ସ୍କୁଟି ଋଣ ଶୁଝି ପାରିବେ ନାହିଁ। ତେବେ ସମୟ ସୀମା ପୂର୍ବରୁ ପୁନର୍ଗଠନକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଏହି ବିକ୍ଷୋଭରେ ଜୀବିକା ମିଶସ ଇସି ସଂଘ ସଭାନେତ୍ରୀ ମାମିନା କର, ସମ୍ପାଦିକା କଲ୍ୟାଣୀ ଦାସ, ଉପସଭାପତି ଅନସୂୟା ନାୟକ, ସହସମ୍ପାଦିକା ସ୍ନେହଲତା ସାହୁ, କୋଷାଧ୍ୟକ୍ଷା କୁନିଲତା କୁଅଁର, ଅନ୍ନପୂର୍ଣ୍ଣା ଦାସ, ସ୍ୱର୍ଣ୍ଣଲତା ବେହେରା, ନିରୁପମା ବେହେରା, ଶକୁନ୍ତଳା ଜେନା, ମଂଜୁଲତା ବାରିକ, କାମିନୀ ଦାସ, ମିନତୀ ଦାସ, ବାସନ୍ତୀ ଜେନା, ଶାନ୍ତିଲତା ପାଣି, ସ୍ୱର୍ଣ୍ଣଲତା ପତି ପ୍ରମୁଖ ଶତାଧିକ ମହିଳା ସଂଘ କର୍ମକର୍ତା ଓ ସଦସ୍ୟା ସାମିଲ ହୋଇଥିଲେ।