Odiapua.com

ମହିଳା ବାଥରୁମରେ ଥିବା ସୁଯୋଗ ନେଇ ଟଙ୍କା ସୁନା ନେଇ ଚମ୍ପଟ ମାରିଲେ ରଙ୍ଗମିସ୍ତ୍ରୀ – ଧରାପଡ଼ିଲେ ଷ୍ଟେସନରୁ

ଘଟଗାଁ,ତା ୧୯/୦୬ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀପୋଖରୀ ଗ୍ରାମର ପ୍ରସନ୍ନଜିତ ମିଶ୍ରଙ୍କ ଘରୁ ୩ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ସୁନା ଗହଣା ସହ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଦୁଇ ଜଣ ଯୁବକକୁ ମଙ୍ଗଳବାର ଅପରାହ୍ନରେ ଯାଜପୁର ରେଲୱେ ଷ୍ଟେସନରୁ ଜିଆରପି ପୋଲିସ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସାଉରିଆ ଗ୍ରାମର ସେକ୍ ଜବାର(୨୫) ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ତୋରାଣୀପୋଖରୀ ଗ୍ରାମର ପ୍ରସନ୍ନଜିତ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଦୁଇଜଣ ରଙ୍ଗ ମିସ୍ତ୍ରୀ ମଙ୍ଗଳବାର ମଧ୍ୟାହ୍ନରେ ପ୍ରସନ୍ନଜିତଙ୍କ ସ୍ତ୍ରୀ ସୁଜାତା ବାଥରୁମକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ପ୍ରସନ୍ନଜିତଙ୍କ ଶୋଇବା ଘରେ ଆଲମାରୀ ତାଡି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଆଦି ଲୁଟି ଫେରାର୍ ହୋଇଯାଇଥିଲେ । ସୁଜାତା ବାଥରୁମରୁ ଗାଧୋଇ ସାରି ଘରକୁ ଫେରିବା ପରେ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରୀ ହୋଇଯାଇଥିବା ନେଇ ଜାଣିବାକୁ ପାଇଥିଲେ ଜ୍ଝ ଘରର ରଙ୍ଗମିସ୍ତ୍ରୀ ଫେରାର୍ ହୋଇ ଯାଇଥିବାରୁ ରଙ୍ଗମିସ୍ତ୍ରୀ ହିଁ ଚୋରୀ କରିଥିବା ସ୍ପଷ୍ଟ ହୋଇଯାଇଥିଲା । ଘର ମାଲିକ ପ୍ରସନ୍ନଜିତ ସଂଗେ ସଂଗେ ଢ଼େଙ୍କିକୋଟ ଫାଣ୍ଡି ଓ ଘଟଗାଁ ଥାନାରେ ଜଣାଇବା ସହ ରଙ୍ଗମିସ୍ତ୍ରୀକୁ ଧରିବାକୁ ନିଜେ ବ୍ୟକ୍ତିଗତ ଉଦ୍ୟମ ଜାରୀ ରଖିଥିଲେ । ରଙ୍ଗମିସ୍ତ୍ରୀ ଦୁଇ ଜଣ ତୋରାଣୀପୋଖରୀ ଗ୍ରାମରୁ ପିପିଳିଆ ଛକକୁ ଆସି ସେଠାରୁ ଏକ ଘରୋଇ ବସ ଧରି ଢ଼େଙ୍କିକୋଟରେ ଓହ୍ଲାଇବା ପରେ ବସ ବଦଳାଇ ଯାଜପୁର ରୋଡ ଷ୍ଟେସନ ଚାଲି ଯାଇଥିଲା । ପରେ ପ୍ରସନ୍ନଜିତ ଓ ତାଙ୍କ ସ୍ତ୍ରୀ ସୁଜାତା ଏକ ଗାଡିକରି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚି ଚୋର ଦୁଇ ଜଣଙ୍କୁ ଦେଖି ଜିଆରପି ପୋଲିସଙ୍କୁ ଜଣାଇଥିଲେ । ଜିଆରପି ପୋଲିସ ଚୋରୀ କରିଥିବା ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରଙ୍ଗ ମିସ୍ତ୍ରୀ ଦ୍ୱୟଙ୍କୁ ଧରିବା ସହ ତା’ଠାରୁ ନଗଦ ଟଙ୍କା ଓ ଅଳଙ୍କାର ଜବତ କରି ଘଟଗାଁ ପଲିସକୁ ହସ୍ତାନ୍ତର କରିଛି । ଉକ୍ତ ରଙ୍ଗମିସ୍ତ୍ରୀ ଦ୍ୱୟଙ୍କୁ ପଚରାଉଚୁରା ପାଇଁ ଘଟଗାଁ ଥାନାକୁ ଅଣାଯାଇଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ଘଟଗାଁ ଥାନାଧିକାରିଣୀ ବନ୍ଦନା ପତ୍ର ଠାରୁ ପ୍ରକାଶ । ସୂଚନା ଯୋଗ୍ୟ ଯେ, ନଗଦ ୨୨ଶହ ଟଙ୍କା ସହ ଗୋଟିଏ ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନା ହାର, ୪ଟି ଲକେଟ, ଦୁଇଟି ମୁଦି, ଗୋଟିଏ ଚେନ, ଦୁଇଟି ବାହୁଟି ନେଇ ସେମାନେ ଚମ୍ପଟ ମାରିଥିଲେ ।