Odiapua.com

ମହିଳାଙ୍କ ସୁରକ୍ଷା ପାଇଁ ତୁରନ୍ତ ଡ୍ୟାନ୍ସ ବାର ଲାଇସେନ୍ସକୁ ପ୍ରତ୍ୟାହାର କରାଯାଉ:ବିଜେପି

ରାଜ୍ୟସରକାରଙ୍କ ଅବକାରୀ ବିଭାଗ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ପ୍ରସଙ୍ଗ
– ଡ୍ୟାନ୍ସବାର ଓଡିଶାର ସଂସ୍କୃତି ନୁହେଁ
– ଅବକାରୀ ବିଭାଗ ଡ୍ୟାନ୍ସବାର ଖୋଲି ଖୋଲି ଅପରାଧକୁ ପୋତ୍ସାହନ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ
– ବାରଗାର୍ଲମାନଙ୍କୁ ମଦୁଆମାନେ ଉପଭୋଗର ବସ୍ତୁ ଭାବି ବ୍ୟବହାର କରିଥାନ୍ତି
– ଡ୍ୟାନ୍ସବାରରେ ଯୁବତୀ ଚାଲାଣ, ଡ୍ରଗ୍ସ କାରବାର ଆଦି ବେଆଇନ କାର୍ଯ୍ୟ ହେବାର ପ୍ରମାଣ ରହିଛି
– ବାରଗାର୍ଲଙ୍କୁ ସୁରକ୍ଷା ଦେବ କିଏ ?

ଭୁବନେଶ୍ୱର, ତା.୨୫/୦୯ (ଓଡ଼ିଆ ପୁଅ) : ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଭୁବନେଶ୍ୱରରେ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପୂର୍ବରୁ ଅନେକ ଡ୍ୟାନ୍ସବାର ଭିତରେ ବାରଗାର୍ଲମାନଙ୍କ ସହ ଅଶାଳୀନ ବ୍ୟବହାର ଏବଂ ବେଆଇନ କାର୍ଯ୍ୟକଳାପ ପୋଲିସର ନଜରକୁ ଆସିଥିବାରୁ ବାରଡ୍ୟାନ୍ସଗୁଡିକୁ ବନ୍ଦ କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ ଏହାକୁ ଖୋଲି ଅପରାଧକୁ ପୋତ୍ସାହନ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶା ସଂସ୍କୃତି, ପରଂପରା ଏବଂ ଐତିହ୍ୟରେ କେଉଁଠି ଡ୍ୟାନ୍ସବାରର ପରିକଳ୍ପନା ହୋଇନାହିଁ। ଓଡିଆ ସଂସ୍କୃତିରେ ମହିଳାମାନଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ। କିନ୍ତୁ ଏଠି ମହିଳାଙ୍କ ପ୍ରତି ହୀନମାନସିକତା ରଖି ରାଜ୍ୟ ସରକାର ଡ୍ୟାନ୍ସବାର ଖୋଲିବାର ଅନୁମତି ଦେଇଛନ୍ତି। ମହିଳାମାନଙ୍କର ଆର୍ଥୀକ ଦୁରବସ୍ଥାର ଫାଇଦା ନେଇ ବାର ମାଲିକମାନେ ମଦୁଆଙ୍କ ବୋତଲରେ ମଦ ଢାଲିବା ଏବଂ ତାଙ୍କ ସହ ଅଶ୍ଲୀଳ ନୃତ୍ୟ କରିବାକୁ ନିର୍ଦେଶ ଦେଇଥାନ୍ତି। ବାରଗାର୍ଲମାନଙ୍କୁ ମଦୁଆମାନେ ଉପଭୋଗର ବସ୍ତୁ ଭାବି ବ୍ୟବହାର କରିଥାନ୍ତି। ଏହା ଦ୍ୱାରା ସମଗ୍ର ମହିଳା ସମାଜ ଆଜି ଅପମାନିତ ଏବଂ ଅସମ୍ମାନିତ ହୋଇଛି।

ଡ୍ୟାନ୍ସବାରରେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ହୋଇଥାଏ। ପୂର୍ବରୁ ଡ୍ୟାନ୍ସ ବାରରେ ଅନେକ ଅପରାଧୀ ମଉଜ କରିବାକୁଯାଇ ଯୁବତୀ ଚାଲାଣ, ଡ୍ରଗ୍ସ କାରବାର ଆଦି ବେଆଇନ କାର୍ଯ୍ୟ କରୁଥିବାର ପ୍ରମାଣ ରହିଛି। କେବଳ ଆଇନ କରି କଟକଣା ଲାଗୁ କଲେ ବାରଗାର୍ଲ ସୁରକ୍ଷିତ ରହିପାରିବେ ନାହିଁ। ଏଣୁ ରାଜ୍ୟସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ମହିଳାଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।