Odiapua.com

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ଶାଶୁ ଓ ଜାଆ ଗରିଫ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଜାମଯୋଡି ପଂଚାୟତ ଅଧୀନ ନୀଳକଣ୍ଠପୁର ଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଶୋଇବା ଘର ଫ୍ୟାନ୍ରେ ବେକରେ ଲୁଗା ଲଗାଇ ଖଟ ଉପରେ ଗୋଡ ରହିଥିବା ଜଣାଯାଇଛି। ସେ କାଦମ୍ବିନୀ ସ୍ୱାଇଁ ବୋଲି ଜଣାଯାଇଛି। ଅଭିଯୋଗ ମୁତାବକ ଏହି ଗାଁର ପଙ୍କଜ ରାଉତଙ୍କ ସହିତ ବୋଡକ ପଂଚାୟତ ଓରାଳି ଗାଁର ରତ୍ନାକର ସ୍ୱାଇଁଙ୍କ ଝିଅ କାଦମ୍ବିନୀ ସ୍ୱାଇଁଙ୍କର ଗତ ୨୦୧୯ ମସିହା ଆଷାଢ ମାସରେ ବିବାହ ହୋଇଥିଲା। କିଛିଦିନ ପରେ ଅଧିକ ଯୌତୁକ ଦାବିରେ କାଦମ୍ବିନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା। ପଙ୍କଜ ଦୁବାଇରେ କାମ କରନ୍ତି। ବିବାହର ମାତ୍ର ମାସେ ନପୁରୁଣୁ ଦୁବାଇ ଚାଲିଯାଇଥିଲେ। ସ୍ୱାମୀଙ୍କ ଯିବାରେ କାଦମ୍ବିନୀଙ୍କ ଯାଆ, ଦେଢଶୁର, ଶାଶୁ ଓ ଶ୍ୱଶୁର ପ୍ରମୁଖ ମାଡ ମାରୁଥିବାର ବାପଘର ଲୋକେ ଖବର ପାଇଥିଲେ। ଗତକାଲି ରାତିରେ ଘରେ ପାଟିତୁଣ୍ଡ ହୋଇଥିବାବେଳେ ଆଜି ସକାଳେ କାଦମ୍ବିନୀର ଝୁଲନ୍ତା ଶବ ମିଳିବା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଆଜି ୨୩ ତାରିଖ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତିହିଡି ପୁଲିସ୍ ସମେତ ଫୋରେନ୍ସିକ୍ ଟିମ୍ ଏହାର ତଦନ୍ତ କରିଥିବା ଜଣାଯାଇଛି। ଅନ୍ୟପଟେ ସ୍ୱାମୀ ନଥିବାବେଳେ କାଦମ୍ବିନୀଙ୍କୁ ତାଙ୍କ ଯାଆ ସମେତ ଅନ୍ୟମାନେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ହୋଇଛି। କାଦମ୍ବିନୀର ଯାଆ ଘରୁ ଖସି ପଳେଇ ଯାଉଥିବାବେଳେ କାଦମ୍ବିନୀଙ୍କ ପରିବାର ଲୋକେ ତାଙ୍କୁ ଧରି ମାଡ ମାରିଥିବା ଜଣାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ କାଦମ୍ବିନୀ ଯାଆକୁ ଥାନାକୁ ନେଇ ପଚରା ଉଚୁରା କରୁଥିବା ଜଣାଯାଇଛି। ଦେଢଶୁର ଫେରାର ଥିବାବେଳେ ଯାଆ, ଶାଶୁ ଓ ଶ୍ୱଶୁରଙ୍କ ସହିତ ପୁଲିସ୍ର ତଦନ୍ତ ଜାରି ରହିଛି। ଏହି ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ଯାଆ ଓ ଶାଶୁଙ୍କୁ କେଶ୍ ନଂ ୨୭୦/୨୯ ମୂଳେ ଗିରଫ ହୋଇଥିବା ଜଣାପଡିଛି।