Odiapua.com

ମହାସରସ୍ୱତୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ, ଶନିବାର ମହାଲକ୍ଷ୍ମୀ ବେଶ ସହିତ ସମ୍ପନ୍ନ ହେବ ମହାଯଜ୍ଞ ପୂର୍ଣ୍ଣାହୁତି

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନରେ ମା’ ମହାସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା’ଙ୍କୁୁ ଦର୍ଶନ କରିବା ପାଇଁ ପୀଠ ଭକ୍ତମୟ ହୋଇଥିଲା । ମହାସରସ୍ୱତୀ ବେଶରେ ମା’ଙ୍କ ମୁଖମଣ୍ଡଳ ଶ୍ୱେତବର୍ଣ୍ଣ ଥିବା ବେଳେ ହଂସ ଥିଲା ମା’ଙ୍କର ବାହନ । ଶ୍ୱେତବସ୍ତ୍ର ପରିଧାନ କରି ମା’ ପଦ୍ମ ଆସନରେ ଆସୀନ ହୋଇଥିଲେ । ବୀଣା ବାଦନରତା ଥିବା ବେଳେ ମା’ଙ୍କ ହସ୍ତରେ ବେଦ, ଜପାମାଳି ଓ ବୀଣା ଧାରଣ କରିଛନ୍ତି । ଏହି ବେଶରେ ମା’ଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି, ଜ୍ଞାନ ପ୍ରାପ୍ତ ହୋଇଥାଏ । ସପ୍ତମାତୃକା ବେଶର ଆସନ୍ତାକାଲି ଶେଷ ଦିସବ । ଏହି ଦିବସରେ ମାଆ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ । ସେହିପରି ବିଶ୍ୱଶାନ୍ତି ମହାଯଜ୍ଞର ଆସନ୍ତାକାଲି ଅନ୍ତମ ଦିବସ । ସପ୍ତ ଦିବସ ବ୍ୟାପୀ ଚାଲିଥିବା ମହାଯଜ୍ଞ, ଚଣ୍ଡୀ ପାଠ, ଗୀତା ପାଠ ଆଦି ସମାପ୍ତି ଘଟିବ । ମହାଯଜ୍ଞର ପୂର୍ଣ୍ଣାହୁତି ସହିତ ୨୦ ହଜାର ଭକ୍ତଙ୍କ ଲାଗି ପ୍ରସାଦର ବନ୍ଦୋବସ୍ତ କରାଯାଇଛି । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।