Odiapua.com

ମହାଶିବରାତ୍ରୀରେ ପାର୍ଥିବ ଶିବଲିଙ୍ଗ ପୂଜନ ଓ ରୁଦ୍ରାଭିଷେକ

ପୁରୀ, ୨/୦୩ (ଓଡ଼ିଆ ପୁଅ) ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଶିବାର୍ଚ୍ଚନ ସମିତି ତରଫରୁ ମିଳିତ ଭାବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୧୦ ତମ ପବିତ୍ର ମହାଶିବରାତ୍ରୀ ପାଳନ କରାଯାଇଛି।ମହାଶିବରାତ୍ରୀ ଉପଲକ୍ଷେ ବୈଦିକ ବ୍ରାହ୍ମଣ ଏବଂ ମାନସିକ ରଖିଥିବା ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ପାର୍ଥିବ ଶିବଲିଙ୍ଗ ପୂଜା କରିବା ସହିତ ରୁଦ୍ରାଭିଷେକ, କାଳ ସର୍ପ ପୂଜା, ଶିବ ସହଶ୍ର -ନାମର୍ଚନ, ଶିବ ଦିବ୍ୟ ଶ୍ରୋତ ପାଠ ଓ ଭଜନ ସଂକୀର୍ତ୍ତନ କରାଯାଇଥିଲା।ଏହି ପୂଜାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ, ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଏବଂ ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ତଥା ଶିବାର୍ଚ୍ଚନ ସମିତିର ମୁଖ୍ୟ ନିତ୍ୟାନନ୍ଦ କର ପ୍ରମୁଖ ଉପସ୍ଥିତ ରହି ଶିବଲିଙ୍ଗ ପୂଜା କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବୈଦିକ ପଣ୍ଡିତ ବଳରାମ ମିଶ୍ର ପୁରୋଧା କାର୍ଯ୍ୟ ତୁଲାଇଥିଲେ।ଏହି ପୂଜା କାର୍ଯ୍ୟରେ ଧନ୍ଵଞ୍ଜୟ ମୁଣ୍ଡ, ଅଞ୍ଜଳି ମୁଣ୍ଡ, ଗଣେଶ୍ୱର ପଣ୍ଡା, ମନୋଜ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଅର୍ଚ୍ଚନା ପଣ୍ଡା, ମନୋଜ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।