Odiapua.com

ମହାମାରୀ କରୋନା ଆଗରେ ହାରିନାହାଁନ୍ତି ମୂର୍ତ୍ତି କାରିଗର ସଂଜୟ, ୱାଟରଫଲ୍ ନିର୍ମାଣ କରି କୌଳିକ ବୃତ୍ତିର ମାନକୁ ବୃଦ୍ଧି କରିଛନ୍ତି

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ସମଗ୍ର ବିଶ୍ୱର ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିବାବେଳେ ଆମ ରାଜ୍ୟର ବହୁ ଖଟିଖିଆ ମେହନତି ମଣିଷ ସେମାନଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା କୌଳିକ ବୃତ୍ତି ହରାଇଛନ୍ତି । ଏପରିକି ଏହି ରୋଗ ଏବେ ବହୁ ପରିବାରକୁ ଭୋକ ଓପାସରେ ରଖି ମୃତ୍ୟୁ ମୁଖକୁ ଠେଲିଦେଲାଣି । ଆଜିବି ଏହିଭଳି ବହୁ ପରିବାରଙ୍କ ଘରେ ଚୂଲି ଜଳୁନାହିଁ । ତେବେବି କରୋନା ଆଗରେ ହାର ମାନିନାହାଁନ୍ତି ଭଦ୍ରକ ସହରର ୧୩ନଂ ୱାର୍ଡ ଅପର୍ତ୍ତିବିନ୍ଧା କୁମ୍ଭାରସାହି ନିବାସୀ ସଂଜୟ ରଣା । ଯୁକ୍ତ ତିନି ପଢିଥିବା ସଂଜୟ ଏବେ ୪୦ ବର୍ଷର ଜଣେ ସୁସ୍ଥ ଯୁବକ । ନିଜ ବାପଗୋସାପ ଅମଳରୁ ଚାଲିଆସୁଥିବା ମୂର୍ତ୍ତି କାରିଗରୀ ପେଶାକୁ ସେ ନିଜ ଜୀବିକା ଭାବେ ଗ୍ରହଣ କରିଆସୁଛନ୍ତି । ସଂଜୟଙ୍କ ପିତା ପହିଲି ରଣା ଏବେ ୮୪ ବର୍ଷ ବୟସରେ ଉପନୀତ ଥାଇ ତିନି ପୁଅଙ୍କ ସହ ଯୌଥ ପରିବାରରେ ରହିଆସୁଛନ୍ତି । ବର୍ତ୍ତମାନର ସମୟରେ ବିବାହିତ ତିନି ଭାଇ ନିଜର ପତ୍ନୀ ଓ ସନ୍ତାନଙ୍କ ସହ ୧୫ ଜଣ ଗୋଟିଏ ଅନ୍ନରେ ପ୍ରତିପୋଷଣ ହେବା ନିଶ୍ଚିତ ସ୍ୱାଗତଯୋଗ୍ୟ । ତେବେ ସଂଜୟଙ୍କ ବଡଭାଇ ବିଜୟ ଓ ସେ ମୂର୍ତ୍ତି କାରିଗରୀ ପେଶାକୁ ବାଛି ନେଇଥିବାବେଳେ ମଝିଆ ଭାଇ ଅଜୟ ମୋହରୀର କାର୍ଯ୍ୟ କରନ୍ତି । ସମସ୍ତ ତିନିଭାଇ ସେମାନଙ୍କର ସ୍ୱଉପାର୍ଜିତ ଅର୍ଥକୁ ୭୨ ବର୍ଷରେ ଉପନୀତ ସେମାନଙ୍କର ମା’ ସୋମବାରୀଙ୍କ ହାତକୁ ଏବେବି ବଢାଇଦିଅନ୍ତି । ଆଉ ମା’ ସୋମବାରୀ ସେହି ଅର୍ଥରେ ସମସ୍ତଙ୍କୁ ଚଳାଇ ଥାଆନ୍ତି । ମାତ୍ର ମହାମାରୀ କରୋନା ଏବେ ମୂର୍ତ୍ତି କାରିଗରଙ୍କ ପେଶାକୁ ଭାଙ୍ଗିଦେଇଛି । କାହିଁକି ନା କରୋନା ଜନିତ ସରକାରୀ କଟକଣା ଯୋଗୁଁ ବହୁ ପୂଜା ପାର୍ବଣରେ ରୋକ୍ ଲାଗିଛି । ଫଳରେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଖୁଦୁରୀକୁଣୀ ଓଷା, ଦୁର୍ଗାପୂଜା ଭଳି ବହୁ ପୂଜାପାର୍ବଣର ମାହୌଲ କଟକଣା ଯୋଗୁଁ ଠପ୍ ହୋଇଯାଇଛି ।
ସଂଜୟ ଏବେ ଆଉ ମୂର୍ତ୍ତି ନଗଢି ନିଜ ପରିବାର ପ୍ରତିପୋଷଣ ପାଇଁ ବାଛି ନେଇଛନ୍ତି ୱାଟରଫଲ୍ ଭଳି କୁଟୀରଶିଳ୍ପ ନିର୍ମାଣକୁ । ସହରର ମୁଖ୍ୟଛକ କୁହାଯାଉଥିବା ଅପର୍ତ୍ତିବିନ୍ଧା ଷ୍ଟେଟ୍‌ବ୍ୟାଙ୍କ ନିକଟ ଶ୍ରୀ ସତ୍ୟସାଇ ଶିକ୍ଷାନୁଷ୍ଠାନ ନିକଟ ରାସ୍ତାପାଶ୍ୱର୍ରେ ପାଲଟିଏ ଟାଙ୍କି ସିମେଣ୍ଟ, ବାଲି , ଚିପ୍ସ ଓ ରଙ୍ଗତୂଳିକୁ ନେଇ ତିଆରି କରିଚାଲିଛନ୍ତି ବିଭିନ୍ନ ରଙ୍ଗବେରଙ୍ଗୀ ୱାଟର ଫଲ୍ । ବଜାରରେ ମିଳୁଥିବା ମୋଟର ସହାୟତାରେ ସେ ଏଗୁଡିକୁ ଏଭଳି ଭାବେ ସଜାଉଛନ୍ତି ଯେ ରାସ୍ତାରେ ଯାଉଥିବା ଲୋକ ଥମ୍ କରି କିଛିକ୍ଷଣ ଠିଆ ହୋଇ ତାହା ଦେଖୁଛି । ସଂଜୟଙ୍କ କହିବା ମୂଳେ ଏବେ କରୋନା ସେମାନଙ୍କ କୌଳିକ ବୃତ୍ତିରେ ଅଂକୁଶ ଲଗାଇଛି । ଏଣୁ ସେ ଚିନ୍ତା କଲେ ବହୁ ଧୀନ ବ୍ୟକ୍ତି କୋଠାବାଡି ତିଆରି କରୁଥିବାବେଳେ ସେମାନଙ୍କ ବୈଠକ ଖାନାରେ ସଜାଇବା ପାଇଁ ନିଜ ନିର୍ମିତ ଏହି ୱାଟର ଫଲ୍ କିଣିବା ପାଇଁ ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ । ଆଉ ତାଙ୍କର ଏହି ଅନୁମାନ ମଧ୍ୟ ଶତ ହୋଇଛି । ୨ ହଜାରରୁ ୫ ହଜାର ମଧ୍ୟରେ ତିଆରି କରୁଥିବା ଏହି ରଙ୍ଗବେରଙ୍ଗୀ ୱାଟରଫଲ ଗୁଡିକ ମୁଖ୍ୟତଃ ବିଦ୍ୟୁତ୍ ଓ ଜଳର ଏକ କୁହୁକ ଖେଳ କହିଲେ ଅତ୍ୟୁକ୍ତି ହେବନାହିଁ । ଜଳଧାରାକୁ ପାଇପ୍ ଯୋଗେ ବିଦ୍ୟୁତ୍ ଦ୍ୱାରା ରୋଟେସନ ଭାବେ ପ୍ରବାହିତ କରି ସେ ଏହି ସାମଗ୍ରୀ ଗୁଡିକୁ ନିର୍ମାଣ କରିଛନ୍ତି । ଇତିମଧ୍ୟରେ କିଛି ମଧ୍ୟ ବିକ୍ରି ହେଲାଣି । ଆଗକୁ ଏହାର ଚାହିଦା ବଢିବ ବୋଲି ସେ ଆଶା ରଖିଛନ୍ତି । ଏବଂ ତାଙ୍କ ସନ୍ଦେଶ ମୂଳେ ଏହି ବୃତ୍ତିକୁ ଆଦରି ଥିବା ବହୁ ବ୍ୟକ୍ତି ଏହିଭଳି କୁଟୀର ଶିଳ୍ପରେ ମନଦେଲେ ନିଶ୍ଚିତ ଭାବେ ସେମାନଙ୍କର ପରିବାର ଭୋକିଲା ରହିବେ ନାହିଁ । ସତରେ ସଂଜୟଙ୍କର ଏହି ଆଦର୍ଶ ପ୍ରୟାସ ନିଶ୍ଚିତ ଭାବେ ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ, ଏଥିରେ ସନ୍ଦେହ ନାହିଁ ।