Odiapua.com

ମହାମାରୀର ମୁକାବିଲା ପାଇଁ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଆ ଡାକ୍ତରମାନଙ୍କ ସହାୟତାରେ ‘ଟେଲି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ଆରମ୍ଭ

ନୂଆଦିଲ୍ଲୀ, ୨୬.୪ (ଓଡ଼ିଆ ପୁଅ) : ଓଡ଼ିଆ ସମାଜ, ନୂଆଦିଲ୍ଲୀ, ଦେଶର ଏକ ଅଗ୍ରଣୀ, ଅଣଲାଭଜନକ ସାମାଜିକ ଓ ସାଂସ୍କୃତିକ ଏବଂ ଏକ ପ୍ରଭାବଶାଳୀ ତଥା ନିରପେକ୍ଷ ବିଚାରଧାରା ସମ୍ପନ୍ନ ସଙ୍ଗଠନ ପକ୍ଷରୁ ‘ଓଡ଼ିଆ ସମାଜ କୋଭିଡ କେୟାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା କରୋନା ପୀଡିତ ରୋଗୀମାନଙ୍କ ନିମନ୍ତେ ଏହା ଏକ ସ୍ୱତନ୍ତ୍ର ପ୍ରୟାସ। ଡାକ୍ତରମାନଙ୍କ ସହ ପରାମର୍ଶ କରିବା ଏବଂ ରୋଗୀମାନଙ୍କର ଚିକିତ୍ସା ଦିଗରେ ‘କୋଭିଡ କେୟାର’ ଯଥେଷ୍ଟ ସହାୟକ ହେବ। ଏହା ସମ୍ପୂର୍ଣ୍ଣ ନିଶୁଳ୍କ ଅଟେ। ଏହି ଉଦ୍ୟମକୁ ସଫଳ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଡାକ୍ତରମାନଙ୍କ ସହ ସହଯୋଗ କରିବା ଦିଗରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଭିଭେଓ ହେଲ୍‌ଥ, ଏକ ବହୁରାଷ୍ଟ୍ରୀୟ ଟେଲି-ସ୍ୱାସ୍ଥ୍ୟ ପ୍ଲାଟଫର୍ମ ଏହି ଜନହିତକର କାର୍ଯ୍ୟକ୍ରମ ଚଳାଇବା ପାଇଁ ଆବଶ୍ୟକୀୟ ଆଇଟି ଭିତ୍ତିଭୂମି ଯୋଗାଇ ଦେବାକୁ ମନୋନିବେଶ କରିଛି।

କରୋନା ମହାମାରୀ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଯେଉଁ ଚାପ ସୃଷ୍ଟି କରିଛି, ଏହାର ପୁନରୁଦ୍ଧାର ପାଇଁ ଆମକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ଜରୁରୀ ବୋଲି ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି। ଏହା ଉପରେ ଆହୁରି ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଯେହେତୁ ସମଗ୍ର ଦେଶ ମହାମାରୀରେ ଗତି କରୁଛି ଏବଂ କୋଭିଡ ଦ୍ୱାରା ବହୁ ସଂଖ୍ୟକ ଲୋକ ପ୍ରଭାବିତ ହେଉଛନ୍ତି, ଏହା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତର ଭାବେ ପ୍ରଭାବ ପକାଇଛି। କେବଳ ଉପଯୁକ୍ତ ଚିକତ୍ସା ପରାମର୍ଶ ଏବଂ ସଠିକ ପୁଷ୍ଟିକର ଖାଦ୍ୟ ଲୋକମାନଙ୍କ ଭଲ ସ୍ୱାସ୍ଥ୍ୟକୁ ଫେରାଇବାରେ ସାହାଯ୍ୟ କରିପାରିବ। ଶାରୀରିକ ସ୍ୱାସ୍ଥ୍ୟ ବ୍ୟତୀତ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବହୁ ଭାବେ ପ୍ରଭାବିତ ହେଉଛି ଏବଂ ଲୋକମାନଙ୍କୁ ସକାରାତ୍ମକ ଚିନ୍ତା ଏବଂ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଓଡ଼ିଆ ସମାଜ ପକ୍ଷରୁ ୱେବିନାର ଆୟୋଜନ କରାଯାଉଛି। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ସମାଜର ‘ଟେଲି ମେଡିସିନ’ ପଦକ୍ଷେପ ମାଧ୍ୟମରେ ୧୦୦ ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ପରାମର୍ଶ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ମେଡିକାଲ କଲେଜ ଏବଂ ସରକାରୀ ତଥା ବେସରକାରୀ ମେଡିକାଲଠାରୁ ଆରମ୍ଭ କରି ପିଏସ୍‌ୟୁରେ ମଧ୍ୟ କାର୍ଯ୍ୟ କରୁଥିବା ଡାକ୍ତର ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟରେ ଯୋଗଦେବା ପାଇଁ ଆଗ୍ରହ ଦେଖାଇଛନ୍ତି।

ଟେଲି ମେଡିସିନ ପ୍ଲାଟଫର୍ମର ସହଜତା ବିଷୟରେ ବର୍ଣ୍ଣନା କରି ଆଇଏଲ୍‌ବିଏସ୍‌, ନୂଆଦିଲ୍ଲୀର ଆସୋସିଏଟ ପ୍ରଫେସର ଡଃ ଅଶୋକ ଚୌଧୁରୀ କହିଛନ୍ତି ଯେ, “ତିନୋଟି ସହଜ ପଦକ୍ଷେପରେ ଜଣେ ରୋଗୀ ଡାକ୍ତରଙ୍କ ସହିତ ତାଙ୍କର ସାକ୍ଷାତକାର ନିଶ୍ଚିତ କରିପାରିବେ ଏବଂ ତାଙ୍କ ସହ ପରାମର୍ଶ କରିପାରିବେ। ଡାକ୍ତର ରୋଗୀଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ସ୍ଥଳେ ଔଷଧ ଦିଅନ୍ତି ଏବଂ ପ୍ରେସକ୍ରିପସନ ଦିଅନ୍ତି।” ସେ ଆହୁରି ମଧ୍ୟ କହିଥିଲେ ଯେ, ଅଧିକ ସଂଖ୍ୟକ ଡାକ୍ତର ଏବଂ ବିଶେଷଜ୍ଞଙ୍କୁ ଆମେ ଆମର ଏହି ପ୍ରୟାସରେ ସାମିଲ କରାଇବା ପାଇଁ ଚେଷ୍ଟା କରୁଛୁ ଯାହା ଦ୍ୱାରା ଅଧିକରୁ ଅଧିକ ଭାରତୀୟ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇପାରିବେ।

ଶ୍ରୀ ପ୍ରଶାନ୍ତ ମହାନ୍ତି, ଭାରତ ମୁଖ୍ୟ, ଭିଭେଓ ହେଲ୍‌ଥ ଏହି ପଦ୍ଧତିର ସହଜତା ବର୍ଣ୍ଣନା କରିଥିଲେ, ଯାହାକୁ ଜଣେ ରୋଗୀ ଅନୁସରଣ କରିବା ଜରୁରୀ। ପ୍ରଥମେ ରୋଗୀ ତାଙ୍କ ନିଜ ଫୋନ କିମ୍ବା ହ୍ୱାଟ୍ସଅପ୍ ନମ୍ବରରୁ ମିସ୍‌କଲ୍ ଦେବା ଆବଶ୍ୟକ। ପରେ ତୁରନ୍ତ ସେ ଟେଲିହେଲ୍‌ଥ ଗ୍ରାହକ ସେବା ଏଜେଌକ୍ଷଗ୍ଧ;ଙ୍କ ଠାରୁ ଏକ କଲ୍ ପାଇବେ ଯିଏ ସମ୍ପୃକ୍ତ ଡାକ୍ତରଙ୍କ ସହିତ ତାଙ୍କର ସାକ୍ଷାତକାରକୁ ଧାର୍ଯ୍ୟ କରାଇବେ। ଥରେ ଯେତେବେଳେ ରୋଗୀ ତାଙ୍କ ସାକ୍ଷାତକାରକୁ ନିଶ୍ଚିତ କରୁଥିବା ଏକ ମେସେଜ୍ ପାଇବେ, ତାଙ୍କୁ କେବଳ ଟେକ୍ସଟ୍ ମେସେଜ୍ ଉପରେ କ୍ଲିକ୍ କରିବାକୁ ହେବ ଏବଂ ଏକ ଭିଡିଓ କଲ୍‌ରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରିବେ।

ଖ୍ୟାତାନାମା ଗ୍ୟାଷ୍ଟ୍ରୋଏେଣ୍ଟରୋଲୋଜିଷ୍ଟ ପଦ୍ମଶ୍ରୀ ସୁବ୍ରତ କୁମାର ଆଚାର୍ଯ୍ୟ ଏବଂ ବରିଷ୍ଠ ହୃହରୋଗ ବିଶେଷଜ୍ଞ ଡଃ ସତ୍ୟ ନାରାୟଣ ରାଉତରାୟ, ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟ, ହୃଦରୋଗ ବିଭାଗ, ଏସ୍‌ସିବି ମେଡିକାଲ କଲେଜ, କଟକ ଓଡ଼ିଆ ସମାଜର ଏହି ସ୍ୱତନ୍ତ୍ର ପଦକ୍ଷେପର ପ୍ରଶଂସା କରି କହିଛନ୍ତି ଯେ, ଦେଶର ଏହି ଜରୁରୀକାଳୀନ ସ୍ଥିତିରେ ଏହିପରି ଉପଯୁକ୍ତ ସହାୟତାର ଆବଶ୍ୟକତା ଥିଲା। ଦେଶ ଏକ ଯୁଦ୍ଧକାଳୀନ ସ୍ଥିତିରେ ରହିଛି ଏବଂ ଆମ ସମସ୍ତଙ୍କୁ ନିଜର ଦକ୍ଷତା ଅନୁଯାୟୀରେ ସାହାଯ୍ୟ କରିବାକୁ ହେବ।

ଚଳିତ ସପ୍ତାହ ଏପ୍ରିଲ ୨୮ ତାରିଖରେ ଓଡ଼ିଆ ସମାଜ ପକ୍ଷରୁ ‘ନାଚ୍ୟୁରୋପ୍ୟାଥି ଆଣ୍ଡ କୋଭିଡ କେୟାର ଆଟ୍ ହୋମ’ ବିଷୟ ଉପରେ ୱାର୍କସପ୍ ଆୟୋଜନ କରାଯିବ। (ଜୁମ୍ ମିଟିଂ ଆଇଡି: ୮୬୫୩୬୦୬ ୯୪୨୭, ପାସ୍‌ୱାର୍ଡ-୧୨୩୪୫୬)। ଡଃ ଜୟନ୍ତ ପଣ୍ଡା, ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ, ଡଃ ବିକ୍ରମ କେଶରୀ ମହାନ୍ତି, ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଡିଆକ୍ ସର୍ଜନ, ଭେଙ୍କେଟଶ୍ୱର ହସ୍ପିଟାଲ, ଦ୍ୱାରକା, ନୂଆଦିଲ୍ଲୀ, ଡଃ ବିନ୍ଦୁ କୁମାର ଗୁପ୍ତା, ଉପଦେଷ୍ଟା ବୋର୍ଡ଼ ସଦସ୍ୟ ଆଇଏନ୍‌ଓ ଏବଂ ଅଧ୍ୟାପକ ନ୍ୟାଚୁରୋପ୍ୟାଥି (ଅଖିଳ ଭାରତୀୟ ପ୍ରାକୃତିକ ଚିକିତ୍ସା ପରିଷଦ) ଏବଂ ଡଃ ଡିଏନ୍ ଶର୍ମା, ବିକଳ୍ପ ଔଷଧ କ୍ଷେତ୍ରର ଜଣେ ଅଧିକାରୀ ଏହି ୱେବିନାରରେ ସମ୍ବୋଧନ ଦେବେ।

କୋଭିଡ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ ନିଶୁଳ୍କ ଚିକିତ୍ସା ପରାମର୍ଶ ଚାହୁଁଥିବା ବ୍ୟକ୍ତି ୮୮୮୨୪୯୭୫୧୫ ରେ ମିସ୍‌କଲ୍ କିମ୍ବା ହ୍ୱାଟ୍‌ସଆପ କରିପାରିବେ।