Odiapua.com

ମହାମହିମ ରାଜ୍ୟପାଳଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

କଳାହାଣ୍ଡି- ୨୭.୧୨.୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୁରବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଭୂବନେଶ୍ୱର ଫେରି ଯାଇଛନ୍ତି । କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ଉଚ୍ଚ ବିଦ୍ୟାଲୟ ଠାରେ ପହଂଚିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସପି ବି.ଗଙ୍ଗାଧର ଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମୀତାରାଣୀ ସାହୁ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରିମାନେ ପୁଷ୍ପ ଗୁଚ୍ଛ ସହିତ ସ୍ୱାଗତ ଜଣାଇଥିଲେ । ମହାମହିମ ରାଜ୍ୟପାଳ ଶ୍ରୀଜଗନ୍ନାଥଙ୍କ ନାମ ନେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନ ଦେଇଥିଲେ । ପରେ ତୁଣ୍ଡଲା ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ପଂଚାୟତିରାଜ ସଭ୍ୟ ମାନଙ୍କ ସହ ବାର୍ତାଳାପ କରିଥିଲେ । ସେଠାରୁ ମହାମହିମ ରାଜ୍ୟପାଳ ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟୀସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଲୟର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଶିକ୍ଷକ ସମାଜ ଯତ୍ନବାନ ହେବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମ-ରାମପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାପୀଠ ପରିଦର୍ଶନରେ ଯାଇ ସେଠାରେ ଅନ୍ତେବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ରଛାତ୍ରୀ ମାନେ ଦେଶାତ୍ମ ମୂଲ୍ୟବୋଧ ନେଇ ଶିକ୍ଷାଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେହରେ ଭବାନୀପାଟଣା ଅଭିମୂଖେ ୍ାଇ ସେଠାରେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଦାଧିକାରୀ ମାନଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କ ବିଷୟରେ ଆଲୋଚନା କରିଥିଲେ । ମାଣିକେଶ୍ୱରୀ ହାଇସ୍କୁଲର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ବିଦୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଭବାନୀ ବାବୁଙ୍କ ପ୍ରତିମୂର୍ତି ଅନବରଣ କରିବା ସହିତ ସ୍ମରଣିକା ଉନ୍ମୋଚନ କରିଥିଲେ । ଏହି ବିଦ୍ୟାଳୟକୁ ଭୂମିଦାନ କରିଥିବା ମହାରାଜା ଉଦିତପ୍ରତାପ ଦେଓଙ୍କୁ ସମ୍ମାନିତ କରିବା ସହିତ ବାଲ୍ୟ ବିବାହ ରୋକିବାରେ ସାହସ ଯୁଟାଇ ଏକ ଉଦାହରଣ ପାଳଟିଥିବା ଛାତ୍ରୀ ରଂଜିତା ମାଝୀଙ୍କୁ ସମ୍ମାନ୍ଥଚ୍ଛ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନେ କୋମଳ ହୃଦୟ ଓ ଉଚ୍ଚ ଆଶା ସହିତ ବଂଚିବା ଉଚିତ ବୋଲି ପ୍ରକାଶ କରିଥିଲେ । ମହାମହିମ ରାଜ୍ୟପାଳଙ୍କ ସହିତ ରାଜ୍ୟ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ମଧୂସୂଦନ ପାଢୀ ଏବଂ ଅନ୍ୟାନ୍ୟ ପଦାଧିକାରୀ ଗସ୍ତ ସମୟରେ ସାମିଲ ଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟପାଳଙ୍କ ଗସ୍ତକୁ ସୁରକ୍ଷିତ ଭାବରେ ସଫଳ କରିବାକୁ ଉଦ୍ୟମ କରାଯାଇଥିଲା ।