Odiapua.com

ମହାବିଷୁବ ସଂକ୍ରାନ୍ତି କରୋନା ଯୋଗୁଁ ଫିକା ପଡିଲା – ଆଜିଠାରୁ ନୂତନ ପଞ୍ଜିକା ପ୍ରଚଳନ

ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଓ ମହାବୀରଙ୍କ ଜୟନ୍ତୀ ଉତ୍ସବ କରୋନା ଯୋଗୁଁ ଫିକା ପଡିଯାଇଛି। ପୁରୀ ସହରଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଆଜିର ଏହି ବିଷୁବ ସଂକ୍ରାନ୍ତି ଅବସରରେ ଘରେ ଘରେ ଚଉରା ମୂଳେ ଛାମୁଡିଆ କରାଯାଇ ଶିକାରେ ବଡା ଟଙ୍କାଯିବା ସହ ଛତୁଆ, ଫଳ ଆଦି ଭୋଗ କରାଯାଇଥିଲା। ଶ୍ରୀମନ୍ଦିରରେ ମଧ୍ୟ ଆଜି ପାରମ୍ପରିକ ରୀତି ନୀତି ଅନୁଯାୟୀ ମହାବୀରଙ୍କ ଜୟନ୍ତୀ ପାଳନ କରାଯାଇଛି। ମଧ୍ୟାହ୍ନ ଧୂପ ପରେ ଦକ୍ଷିଣୀ ଘରୁ ହନୁମାନଙ୍କ ମୂର୍ତିକୁ ଅଣାଯାଇ ଝୁଲଣ ଘର ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା। ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ହନୁମାନ ମୂର୍ତିଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ସେହିପରି ସହରରେ ଥିବା ବିଭିନ୍ନ ÷ନୁମାନ ମନ୍ଦିର ଓ ଦେବୀ ମନ୍ଦିର ଗୁଡିକରେ ପାରମ୍ପରିକ ରୀତିନୀତି କରାଯାଇଥିଲେ ସୁଦ୍ଧା ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ମନ୍ଦିରକୁ ନିଷେଧ କରାଯାଇଥିଲା। ମନ୍ଦିର ସମ୍ମୁଖରେ ଛିଡା ହୋଇ ଭକ୍ତମାନେମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପୁରୀସଦର ଅଂଚଳର ଶିରୁଳି ମହାବୀରଙ୍କ ପୀଠରେ ପଣା ସଂକ୍ରାନ୍ତି ଉତ୍ସବ ପ୍ରତିବର୍ଷ ଆନନ୍ଦ ଉଲ୍ଲାସ ଭିତରେ ପାଳିତ ହୋଇଥାଏ। ଚଳିତବର୍ଷ କରୋନା ଯୋଗୁଁ ମନ୍ଦିରର କେବଳ ନୀତି କରାଯାଇଥିଲା। ଭକ୍ତଙ୍କୁ ଦର୍ଶନ ନିମନ୍ତେ ମନ୍ଦିରକୁ ଛଡା ଯାଇନଥିଲା। ମନ୍ଦିରର ଚତୁଃପାଶ୍ୱର୍ରେ ୫ଶହ ମିଟର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଥିଲା। ଝାଡେଶ୍ୱରୀଙ୍କ ପୀଠରେ ଆଜି ମଧ୍ୟ ଝାମୁଯାତ୍ରା ବିଧି ଅନୁଯାୟୀ କେବଳ ପାଳିତ ହୋଇଥିଲା। କୌଣସି ଭକ୍ତ ଉପସ୍ଥିତ ନଥିଲେ। ଚୈତ୍ର ପୂର୍ଣ୍ଣିମା ଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝାଡେଶ୍ୱରୀଙ୍କର ଘୋଡାନାଚ ବାହାରିଥାଏ। କିନ୍ତୁ ଚଳିତବର୍ଷ କରୋନା ଯୋଗୁଁ ଏହି ଘୋଡାନାଚ ବାହାରିନାହିଁ।