Odiapua.com

ମହାବାତ୍ୟା ସ୍ମାରକୀ ମକଡ୍ରିଲ ପ୍ରସ୍ତୁତି ବୈଠକ

ବାଲେଶ୍ୱର, ୨୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ୧୯୯୯ ମସିହାର ମହାବାତ୍ୟା କରାଳ ଚିତ୍ରକୁ ମନେ ପକାଇ ଓଡ଼ିଶାରେ ପ୍ରତିବର୍ଷ ଅକ୍ଟୋବର ମାସ୨୯ତାରିଖରେ ଏହାର ସ୍ମାରକୀ ଦିବସ ପାଳିତ ହୋଇଆସୁଛି। ବିଶେଷ କରି ବନ୍ୟା ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଅନ୍ୟକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ମକଡ୍ରିଲ୍ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନୀଳଗିରି ବ୍ଲକ ଅଯୋଧ୍ୟା ଗ୍ରାମ ପଂଚାୟତର ଖସାପଡିଆ ଗ୍ରାମ ସୋନ ନଦୀ ତଟରେ ଆସନ୍ତା କାଲି ହେବାକୁ ଥିବା ବନ୍ୟା ଉଦ୍ଧାର ମକଡ୍ରିଲ ନିମନ୍ତେ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରନ୍ୱିତ କରିବା ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଦର୍ଶିତ କରାଯିବା ସହିତ ଏ ସମ୍ପର୍କରେ ଅଭ୍ୟାସ ଏହି ମକଡ୍ରିଲରେ କରାଯିବ। ବାଲେଶ୍ୱର ଜିଲ୍ଲା ବିଭିନ୍ନ ସମୟରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଉପଯୁକ୍ତ ଯୋଜନା ଓ ପୂର୍ବ ପ୍ରସ୍ତୁତି ଦ୍ୱାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ମକଡ୍ରିଲ ସମୟରେ ଧନଜୀବନର ରକ୍ଷାକୁ କିଭଳି ପ୍ରାଧାନ୍ୟ ଦିଆଯିବ ସେ ସମ୍ବଦ୍ଧିତ କୌଶଳ ପ୍ରଦର୍ଶନ କରାଯିବ। ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ବୃଦ୍ଧ-ବୃଦ୍ଧା ଏବଂ ଶିଶୁମାନଙ୍କୁ ପ୍ରାଥମିକତା ଦେଇ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଗୁରୁତ୍ୱ ଦେବାକୁ ଅଂଶଗ୍ରହଣକାରୀମାନଙ୍କୁ ଏଥିରେ ତାଲିମ ପ୍ରଦାନ କରାଯିବ। ବୈଠକରେ ଏନଡିଆରଏଫ ଡେପୁଟୀ କମାଣ୍ଡଂଟ ବର୍ଦ୍ଧମାନ ମିଶ୍ରା ଯୋଗ ଦେଇ ନିଜର ଅନୁଭୂତି ବଖାଣିବା ସହ ବନ୍ୟା ସମୟରେ କିଭଳି ଭାବେ ସୂଚାରୁ ରୂପେ ଉଦ୍ଧାର କାର୍ଯ୍ୟକୁ ସମ୍ପନ୍ନ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡାମାର ଅବନୀକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ୟୁ-ଏନ-ଡି-ପି- ଗୋପାଳ ବାରିକ ପ୍ରମୁଖ ମଂଚାସୀନ ଥିବା ବେଳେ ଅଗ୍ନିଶମ ବିଭାଗ ଅଧିକାରୀ ପୂରନ ସୋରେନ୍‌ଙ୍କ ସମେତ ବିଭିନ୍ନ ଏନ-ଜି-ଓ-ର ସମ୍ପାଦକମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଭୂୟାଁ ଏବଂ ଏନଡିଆରଏ ‘ଇନସପେକ୍ଟର ମନୋରଞ୍ଜନ ମହାନ୍ତି ମକଡ୍ରିଲର ବିଭିନ୍ନ ଦିଗ, ଟେବୁଲ ଟପ ଏକ୍ସରସାଇଜ ଓ ବନ୍ୟା ସମୟରେ ସୂଚନା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟର ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।