Odiapua.com

ମହାବାତ୍ୟାର ରୂପ ନେଉଛି ଅମ୍ଫାନ୍

ନୂଆଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ତରଫରୁ କୁହାଯାଇଛିଯେ, “ଅତିତୀବ୍ର ସାମୁଦ୍ରିକଝଡ ଅମ୍ଫାନ୍, ୧୨ ଘଣ୍ଟା ପରେ ମହାବାତ୍ୟାର ରୂପ ନେବାର ସମ୍ଭାବନା ଅଛି। ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାଟିଆ ଦୀପ ମଧ୍ୟରେ ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି। ଅତି ତୀବ୍ର ସାମୁଦ୍ରିକଝଡ ଭାବେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।”

ଏବେ ପାରାଦୀପଠାରୁ ୭୯୦ କିମି ଦୂର ଏବଂ ଦିଘାଠାରୁ ୯୪୦ କିଲୋମିଟର ଦୂର ଏବଂ କେନ୍ଦ୍ରାପଡ଼ାଠାରୁ ୧୦୬୦ କିଲୋମିଟର ଦୂରରେ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏବେ ଏହି ବାତ୍ୟା ୧୩ କି.ମି.ପ୍ରତି ଘଣ୍ଟା ବେଗରେ ମାଡ଼ିଆସୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସୁପର ସାଇକ୍ଲୋନରେ ପରିଣତ ହେବ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା ଉପକୂଳ ଅଞ୍ଚଳରେ ପ୍ରଭାବ ପକାଇ ଆଗକୁ ବଢ଼ିବ। ଆସନ୍ତା ୨୦ ତାରିଖରେ ସକାଳ ୯ଟା ରୁ ୧୨ଟା ସମୟ ମଧ୍ୟରେ ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାଟିଆ ଦୀପଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୟଙ୍କର ବାତ୍ୟାର ରୂପଧାରଣ କରି ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଲିଛି। ତେବେ ଏହା ଫଳରେ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ହେବ ଏପରିକି ଏହା ୧୮୫ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଉଛି। ଏହା ଫଳରେ ଆଜିଠୁ ବର୍ଷା ଆରମ୍ଭ ହୋଇଯିବ ଓଡ଼ିଶାରେ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଜଗତସିଂହପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଆଦି ୫ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।