Odiapua.com

ମହାପ୍ରଭୁ ଆଜି ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ପ୍ରଦାନ କଲେ

ପୁରୀ, ୧୩/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିଠାରୁ ଶ୍ରୀମନ୍ଦିରରେ ୩ଦିନ ବ୍ୟାପି ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ। ଏହି ୩ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧକରି ଶ୍ରାଦ୍ଧବେଶରେ ସଜ୍ଜିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣ ପକ୍ଷ ଚତୁଃର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନି ଦିନ ଧରି ଏହି ନୀତି ଯଥା ବିଧି ପାଳିନ ହେବାର ପରମ୍ପରା ରହି ଆସିଛି। ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶୀର କୃଷ୍ଣ ଚତୁଃର୍ଦ୍ଦଶୀ ତିଥିରେ ସଂଧ୍ୟାଧୂପ ନୀତି ବଢ଼ିବା ପରେ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥିଲେ। ସଂଧ୍ୟାଧୂପ ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢ଼ୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀ ବିଗ୍ରହମାନେ ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରାଦ୍ଧ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରି ଯାହା ମାଗିଲେ ତାହା ମିଳିଥାଏ ବୋଲି କିମ୍ବଦନ୍ତି ରହିଛି। କିନ୍ତୁ, ଚଳିତ ବର୍ଷ କୋଭିଡ଼-୧୯ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାରଣ ଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ଆଜିର ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଦେବ ଦୀପାବଳୀ ଯୋଗୁଁ ଶ୍ରୀମନ୍ଦିରକୁ ଦୀପରେ ସଜ୍ଜିତ କରାଯାଇଛି।