Odiapua.com

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ

ପୁରୀ ୪-୬ (ଓଡ଼ିଆ ପୁଅ) ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ। ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣ କାରି ସେବକ। ତିନିରଥର ‘ପ୍ରଥମ ଭୂଇଁ’ ନିର୍ମାଣ ମହାରଣା ସେବକଙ୍କ ଦ୍ୱରା ଶେଷ ହେବାପରେ ତିନିରଥ ପ୍ରଥମ ଭୂଇଁ ର ଅଂଶ ଗୁଡିକର ନମ୍ବରିଂ କରାଯାଇଛି। ନମ୍ବରିଂ ପରେ ପ୍ରଥମ ଭୂଇଁ ଗୁଡିକୁ ଖୋଲାଯାଇ ରଥଖଳା ଠାରେ ଭୋଇ ସେବକ ମାନେ ସାଇତି ଥିଲେ।

ତିନିରଥର ଚାରିନାହାକାରେ ପ୍ରଥମ ଭୂଇଁ ଚଉତା ବା ଛକାଠ ସେଟିଙ୍ଗ ହୋଇ ମହାରଣା ଏବଂ ଭୋଇ ସେବକଙ୍କ ଦ୍ୱାରା କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି।

ତିନିରଥର ‘ଚଉଦ ନାହାକା’ ଉଠିବା ପରେ ପ୍ରଥମ ଭୁଇଁର ବାକି ଅଂଶ ଯଥା ୪ ଖମ୍ବୀ, ୨୪ ପାଖୁଡା, ୧୬ ଛିଆଣ, ପାଖୁଡାକୁ ଧରିରଖିବା ପାଇଁ ଭୂଇଁ ଖମ୍ବୀ ଇତ୍ୟାଦି ସଂଯୋଗ ହେବ। କରତି ସେବକ ମାନେ ୬ ଫୁଟ ସାଇଜର ନଡ଼ିଆ ଗର ବା ‘ଖଦି ଓରା’ ଗଡକରି ତିନି ରଥ ମହାରଣା ସେବକମାନଙ୍କୁ ଯୋଗାଇଥିଲେ। ମହାରଣା ସେବକମାନେ ଖଦି ଓରାରେ କାପ ଏବଂ ବିନ୍ଧ କରି ତିନିରଥର ଦଣ୍ଡା ଗୁଡିକରେ ଆଡ କରି ଫିଟିଙ୍ଗ କରିଛନ୍ତି। ଏହି ଖଦିଓରା ରେ ଚଉଦ ନାହାକା ଗୁଡିକ ସଂଯୋଗ ହୋଇ ଉଠିଲାପରେ ପ୍ରଥମ ଭୂଇଁ ର ବାକି ଅଂଶ ଗୁଡିକ ଚଉଦ ନାହାକା ସଂଯୁକ୍ତ ହେବ।

ମହାରଣା ସେବକମାନେ ରଥ ଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ ନିର୍ମାଣ ଜାରି ରଖିଛନ୍ତି। ରୂପକାର ସେବକମାନେ ତିନି ରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନିରଥ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଚିତ୍ର କର ସେବା କାରୀ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ, ସଖୀ ଏବଂ ଶିଖର ଡମ୍ବରୁ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି।