Odiapua.com

ମହାନ ଆଦିମ ସଂସ୍କୃତି ବାସେଳୀ ପୂଜା

ବ୍ରହ୍ମଗିରି ୧୫/୦୫ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ କମଳ ନୟନ ପୁର ଠାରେ ଅଷ୍ଟମ ବାସେଳୀ ବନବାସ ମହୋତ୍ସବ ଶୁକ୍ରବାର ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କମଳ ନୟନ ପୁର ଗ୍ରାମବାସୀ ଓ ଆଠଦେଶ କୈବର୍ତ୍ତ ମହାସଂଘର ମିଳିତ ଆୟୋଜନ କ୍ରମେ ଏହି ମହୋତ୍ସବ କୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ହରିହର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ, ଭାରତ ବର୍ଷର ଅନେକ ଅଞ୍ଚଳରେ ଵହୁ କାଳରୁ ବାସେଳୀ ପୂଜା ଅନୁଷ୍ଠିତ ହୋଇଆସୁଛି। ବାସେଳୀ ପୂଜା ପ୍ରାକ୍ ବୈଦିକ ଯୁଗର ମହାନ ଆଦିମ ସଂସ୍କୃତି। ବେଦର ବହୁ ପୂର୍ବରୁ ଲୋକେ ସୁଖ, ଶାନ୍ତି, ଶକ୍ତି ଓ ବିଭବର ଦେବୀ ବାସେଳୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ଓ ମନୋବାଞ୍ଛା ପୁରଣ ପାଇଁ ପୂଜା କରୁଥିଲେ। ସମଗ୍ର ଭାରତ ବର୍ଷରେ ଏହା ଏକ ଅଦ୍ୱିତୀୟ ଆଦିମ ସଂସ୍କୃତି। ତେଣୁ ଏହାର ସଂରକ୍ଷଣ, ସୁରକ୍ଷା ଓ ପ୍ରସାର ପାଇଁ ସେ ଉଭୟ ସରକାର ଓ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର କାର୍ତ୍ତିକ କୁମାର ଦାସ କହିଥିଲେ ଯେ ବାସେଳୀ ସଂସ୍କୃତି କୈବର୍ତ୍ତ ସମାଜର ମହାନ ପରମ୍ପରା। ସେ କହିଥିଲେ ଯେ ସଂସ୍କୃତି ଗୋଟିଏ ଜାତିର ପରିଚୟ। ସାଂସ୍କୃତିକ ଅବକ୍ଷୟ ଘଟିଲେ ସଭ୍ୟତା ବାଟ ହୁଡେ ଏବଂ ଜାତିର ଅସ୍ମିତା ପ୍ରତି ବିପଦ ସୃଷ୍ଟି ହୁଏ। ତେଣୁ ସାଂସ୍କୃତିକ ଚିନ୍ତା ଓ ଚେତନା ଆମକୁ ବିଶ୍ୱରେ ପରିଚୟ ଦେବା ସହିତ ବ୍ୟକ୍ତିଠାରେ ଓ ଏହାଦ୍ବାରା ସମାଜରେ ଶାନ୍ତି, ସ୍ଥିରତା ଏବଂ ସଂହତି ସ୍ଥାପନ ହୋଇପାରିବ ବୋଲି ସେ କହିଥିଲେ। ବାସେଳୀ ସମ୍ପର୍କରେ ଅଧିକ ଗବେଷଣା ଓ ପୁସ୍ତକ ତଥା ପତ୍ରିକା ପ୍ରକାଶନ ଏବଂ ବୌଦ୍ଧିକ ଚିନ୍ତନ ଚକ୍ର ଆୟୋଜନ ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ବିଶିଷ୍ଟ ଅତିଥି ସାହିତ୍ୟିକ ବଦ୍ରି ମିଶ୍ର କହିଥିଲେ ଯେ ବାସେଳୀ ମେଳଣ ଏକ ଲୋକଭକ୍ତି ଆନ୍ଦୋଳନ। ବିଶ୍ୱ ସ୍ତରରେ ଏହାକୁ ପହଞ୍ଚାଇବାକୁ ସରକାର ଓ ସ୍ଥାନୀୟ ଜନସାଧାରଣ ଆଗେଇ ଆସିବା ପାଇଁ ସେ ଅଭିମତ ରଖିଥିଲେ। ବାସେଳୀ ସଂସ୍କୃତି ଗବେଷକ ପ୍ରଫେସର ପୂର୍ଣଚନ୍ଦ୍ର ମିଶ୍ର ବାସେଳୀ ପୂଜାରେ ମହାନ କଳା, ସଂସ୍କୃତି ସଭ୍ୟତା ଲୁଚି ରହିଛି ବୋଲି କହିଥିଲେ। ତତ୍ତ୍ୱ କବି ବିଭୁ ଦାସ ଭିକାରୀ ଚରଣ ଜେନା ବାସେଳୀ ପୂଜା ଶକ୍ତି, ଭକ୍ତି ଓ ମୁକ୍ତିର ତ୍ରିବେଣୀ ବୋଲି କହିଥିଲେ। ମେଳଣ ସଭାପତି ତ୍ରିନାଥ ବେହେରା ଏଥିରେ ସଭାପତିତ୍ବ କରିଥିଲେ। ପ୍ରାରମ୍ଭ ରେ ଆଇନଜୀବୀ ଦିଗମ୍ବର ବେହେରା ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଭିମତ ରଖି ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ରାଉତ, ଶିକ୍ଷକ ବିରଞ୍ଚି କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ, ସୋମନାଥ ବରାଳ, ସସ୍ମିତା ମିଶ୍ର ଓ କମଳନୟନପୁର ସଭାପତି ଶିଖର ବେହେରା ପ୍ରମୁଖ ବାସେଳୀ ବନବାସ ମେଳଣର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ମହୋତ୍ସବରେ ଆଠଦେଶ ଅଞ୍ଚଳର ବିଭିନ୍ନ ଗ୍ରାମରୁ ୧୬ ଠାକୁରାଣୀ ଆସି ସାହିଯାତ ମାଧ୍ୟମରେ ପରିକ୍ରମା କରି ଗୋଟିଏ ସ୍ଥାନରେ ଆସନ ଗ୍ରହଣ କରିଥିଲେ। ସାହିଯାତରେ ନାଗା, ମେଢ଼, ଲଉଡି ନୃତ୍ୟ, ଘୋଡ଼ା ନାଚ ସମେତ ଆତସବାଜି ପ୍ରଦର୍ଶନ ହୋଇଥିଲା। ମହିଳା ଓ ପୁରୁଷମାନଙ୍କର ହୁଳହୁଳି, ହରିବୋଲ ଧ୍ୱନୀରେ କମଳନୟନପୁର ଖୁବ୍ ଭକ୍ତମୟ ଲାଗୁଥିଲା। ସଭା ପରେ କୁମାର କବି କଳାବିକାଶ କେନ୍ଦ୍ର, ରାହାଡମଲ୍ଲ ତରଫରୁ ଶିଶୁ ଓ କିଶୋର ଶିଳ୍ପୀ ମାନଙ୍କ ଦ୍ଵାରା ଯୋଗନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୁଶ୍ରୀ ଲିଜାଲିନ୍ ପ୍ରଧାନ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ନୟାଗଡ଼ର କଳାକାର ମାନଙ୍କ‌ ଦ୍ୱାରା ରାମଲୀଳା ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ବେହେରା ସଂଯୋଜନା କରିଥିଲେ, ତ୍ରିନାଥ ବେହେରା ଓ ଚୈତନ୍ୟ ବେହେରା ପ୍ରଭୃତି ସହଯୋଗ କରିଥିଲେ।