Odiapua.com

ମହାନଦୀ କୋଇଲାଖଣି ଠିକା ଶ୍ରମିକ ସଂଘ ପକ୍ଷରୁ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବୀ

ତାଳଚେର,୨୮/୦୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌.ସି.ଏଲ୍‌.ରେ ନିୟୋଜିତ କୋଟେକ୍ନା ନାମକ ଘରୋଇ ଠିକା ସଂସ୍ଥା ଅଧିନରେ ସମସ୍ତ ରେଲ୍‌ୱେ ସାଇଡିଂରେ କୋଇଲା ସାମ୍ପଲିଙ୍ଗ୍ ଠିକା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବେଆଇନ୍ ଭାବେ ଛଟେଇ କରାଯାଇଛି । କୋଟେକ୍ନା ଅଧିନରେ କାର୍ଯ୍ୟ କରୁଥିବା ୨୦୦ରୁ ଉର୍ଦ୍ଧ୍ୱ ଠିକା ଶ୍ରମିକଙ୍କୁ ଗତ ଫେବୃୟାରୀ ୨୬ ତାରିଖରୁ ଆଉ କୈାଣସି କାର୍ଯ୍ୟ ପ୍ରଦାନ କରାଯାଉନାହିଁ । ଯଦ୍ୱାରା ଶ୍ରମିକମାନଙ୍କ ପରିବାର ଦୁର୍ଦ୍ଦିନରେ ଚଳୁଛନ୍ତି । ଏପରିକି ବିଧାୟକଙ୍କ ସମର୍ଥକମାନେ ବାରମ୍ବାର କମ୍ପାନୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ଠିକା ଶ୍ରମିକମାନେ କାର୍ଯ୍ୟ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ କମ୍ପାନୀରୁ କୌଣସି ଶ୍ରମିକମାନଙ୍କୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାଳଚେର ବିଧାୟକଙ୍କ ଇସାରାରେ ତାଙ୍କ ସମର୍ଥକମାନେ ୨୦୦ରୁ ଉର୍ଦ୍ଧ୍ୱ ଠିକା ଶ୍ରମିକମାନଙ୍କୁ ୪ମାସ ହେବ କାର୍ଯ୍ୟ ବନ୍ଦ କରାଇ ସଂପୂର୍ଣ୍ଣ ଭାବରେ କଂପାନୀକୁ ଅଚଳ କରି ଦେଇଥିବାର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ନିମନ୍ତେ ସଂଘ ପକ୍ଷରୁ ଜୁନ୍ ୨୫ରେ ଅନୁଗୋଳ ଜିଲ୍ଲାପାଳ ଓ ଏସ୍‌.ପି, ତାଳଚେର ଉପଜିଲ୍ଲାପାଳ ଏବଂ ଖଣି କର୍ତୃପକ୍ଷଙ୍କୁ ଲିଖିତ ଭାବରେ ଦାବୀ ଉପସ୍ଥାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯଦି ଜୁନ୍ ୩୦ତାରିଖ ସୁଦ୍ଧା ଶ୍ରମିକମାନଙ୍କର ସମସ୍ୟାର କୌଣସି ସମାଧାନ କରାନଯାଏ ତେବେ ଜୁଲାଇ ୧ତାରିଖରୁ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍‌ୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ତାଳଚେର ପ୍ରେସ୍ କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଗୀତିଶ ପ୍ରଧାନ ଓ ସମ୍ପାଦକ ମାନସ ରଞ୍ଜନ ଶତପଥି ପ୍ରକାଶ କରିଛନ୍ତି ।