Odiapua.com

ମହାକାଳପଡ଼ା ବ୍ଲକରେ ଫେକ ହିତାଧିକାରୀଙ୍କ ନାମରେ ବର୍ଷକୁ ଏକ କୋଟି ଟଙ୍କାର ଚାଉଳ ଓ କିରୋସିନ ଲୁଟ୍

କେନ୍ଦ୍ରାପଡା ୧୩-୬ (ଓଡ଼ିଆ ପୁଅ) – ମହାକାଳପଡ଼ା ବ୍ଲକରେ ଫେକ ହିତାଧିକାରୀଙ୍କ ନାମରେ ୨୦୨୦ ରେ ଏକ କୋଟି ଟଙ୍କାର ଚାଉଳ ଓ କିରୋସିନ ହଡପ ହୋଇଛି ବୋଲି ସୂଚନା ଅଧିକାର ଆଇନରେ ଧରାପଡିଥିବା ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ପ୍ରକାଶ ଦାସ ସୂଚନା ଦୋଇଛନ୍ତି।

ଗତ ଏପ୍ରିଲ ୨୦୨୦ରେ ମୁଖ୍ୟମନ୍ତ୍ରୀ କୋଭିଡ ଲକଡାଉନ ସମୟରେ ସମସ୍ତ ରେସନ କାର୍ଡ ଧାରୀ ପରିବାରଙ୍କୁ ୧,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହାପରେ କେନ୍ଦ୍ରାପଡା ଜିଲ୍ଲାକୁ ଏଥିପାଇଁ କେତେ ଅର୍ଥ ଆସିଥିଲା ଓ କେତେ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଥିଲା, ଏହାର ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରକାଶ ଦାସ ସୂଚନା ଆଇନରେ କେନ୍ଦ୍ରାପଡା ଜିଲ୍ଲାପାଳ ଦପ୍ତରକୁ ତଥ୍ୟ ମାଗିଥିଲେ। ୨୦.୭.୨୦୨୦ ତାରିଖରେ ଜିଲ୍ଲାପାଳଙ୍କ ଦପ୍ତର ର ଖାଉଟି କଲ୍ୟାଣ ବିଭାଗ ମହାକାଳପଡ଼ା ବ୍ଲକକୁ ସମୁଦାୟ ୪୭, ୬୪୭ ହିତାଧିକାରୀଙ୍କ ପାଇଁ ୪, ୭୧, ୭୯, ୦୦୦ ଟଙ୍କା ଦେଇଥିଲେ। ଏଥିରୁ ୪, ୬୬, ୧୭, ୦୦୦ ଟଙ୍କା ଆବଣ୍ଟନ ହୋଇଥିଲା। ଆଉ ୫, ୬୨, ୦୦୦ ଟଙ୍କା ଫେରି ଆସିଥିଲା। ଅର୍ଥାତ ୫୬୨ ହିତାଧିକାରୀ ନଥିବାର ଜଣାପଡିଥିଲା। କାରଣ ଏହି ଅର୍ଥ ଆବଣ୍ଟନ ବେଳେ ଏହି ହିତାଧିକାରୀ ମାନେ ମିଳି ନଥିଲେ।

ଏହାପରେ ଶ୍ରୀ ପ୍ରକାଶ ଦାସ ସୂଚନା ଆଇନରେ ଏପ୍ରିଲ ରୁ ଡିସେମ୍ବର, ୨୦୨୦ ମଧ୍ୟରେ କେତେ ଚାଉଳ, କିରାସିନି ଆଲଟ ହୋଇଥିଲା, ହିତାଧିକାରୀଙ୍କୁ କେତେ ଆବଣ୍ଟନ ହୋଇଛି ଓ କେତେ ବଳି ପଡିଛି , ଏହାର ତଥ୍ୟ ମହାକାଳପଡ଼ା ବ୍ଲକ କୁ ମଗାଯାଇଥିଲା। ବର୍ତ୍ତମାନ ଜନ ସୂଚନା ଅଧିକାରୀ ଉତ୍ତର ଦେଇଛନ୍ତି ଯେ NFSA, SFSS ଓ ପ୍ରଧାନ ମନ୍ତ୍ରୀ ଗରିବୀ କଲ୍ୟାଣ ଯୋଜନା ରେ ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳ , କିରାସିନି ଫେରି ନାହିଁ , ଅର୍ଥାତ ସମସ୍ତଙ୍କୁ ଆବଣ୍ଟନ ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ୧୦୦୦ ଟଙ୍କା ଆର୍ଥିକ ସହାୟତା ନେବାକୁ ୫୬୨ ହିତାଧିକାରୀ ପରିବାର ମିଳିଲେ ନାହିଁ , ତେବେ ଚାଉଳ ଓ କିରାସିନି କିପରି ସେମାନେ ନେଇଗଲେ। ତେଣୁ ଏହି ୫୬୨ ରେସନକାର୍ଡ ଧାରୀ ଙ୍କ ପାଇଁ ଆସିଥିବା ଚାଉଳ ଓ କିରାସିନି ଡିଲର ଓ ଖାଦ୍ୟ ଯୋଗାଣ ଅଧିକାରୀ ମାନେ ହଡପ କରିଛନ୍ତି। ଯଦି କାର୍ଡ ପିଛା ହାରାହାରି ୨୦ କେଜି ଚାଉଳ ଧରାଯାଏ , ତେବେ କେଜି ପିଛା ୩୦ ଟଙ୍କା ହିସାବରେ ଏହାର ବଜାର ମୂଲ୍ୟ ୬୦୦ ଟଙ୍କା ହେବ। ତେଣୁ NFSA, SFSS PMGKY ଯୋଜନାରେ ଫେକ୍ ୫୬୨ ପରିବାର ଙ୍କ ନାମରେ ୨୦୨୦ ବର୍ଷରେ ହାରାହାରି ଏକ କୋଟି ଟଙ୍କା ହଡପ ହୋଇଛି ବୋଲି ଶ୍ରୀ ପ୍ରକାଶ ଦାବି କରିବା ସହ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।