Odiapua.com

ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଲୋକାର୍ପଣ

ପୁରୀ ୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ପୁରୀରେ ଉଦଘାଟିତ ହୋଇଯାଇଛି ମହର୍ଷୀ ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ। ଭାରତର ପ୍ରମୁଖ ପାଞ୍ଚଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ପୁରୀରେ ଆଜି ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବିଦ୍ୟାଳୟରେ ବେଦ, ବୈଦିକ ଗଣିତ, ସଂସ୍କୃତ, ଯୋଗ ଇତ୍ୟାଦି ଶାସ୍ତ୍ର ଉପରେ ତାଲିମ୍ ଦିଆଯିବ। ସମ୍ପୂର୍ଣ୍ଣ ନିଶୁଳ୍କ ଥିବା ଏହି ବେଦ ବିଦ୍ୟାଳୟ ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ।

ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବେଦ ଅଧ୍ୟୟନକୁ ଗୁରୁତ୍ବ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ପୁରୀରେ ଉଦଘାଟିତ ହୋଇଛି ମହର୍ଷୀ ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ। ଦେଶର ଚାରିଧାମ ପୁରୀ, ଦ୍ବାରକା, ବଦ୍ରୀନାଥ, ଶୃଙ୍ଗେରୀ ଓ ଉତ୍ତରପୂର୍ବ ରାଜ୍ୟ ଗୁଆହାଟିରେ ସମୁଦାୟ ପାଞ୍ଚଟି ରାଷ୍ଟ୍ରୀୟ ଆଦର୍ଶ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଆଜି ପୁରୀରେ ଶିକ୍ଷାମନ୍ତ୍ରୀ ଏହି ଆଦର୍ଶ ବେଦ ବିଦ୍ୟାଳୟର ଉଦଘାଟନ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସରରେ ଉଦଘାଟନ କରିଛନ୍ତି। ଏହି ବେଦ ବିଦ୍ୟାଳୟରେ ବିଭିନ୍ନ ବେଦ ସହିତ ସଂସ୍କୃତ, ବିଜ୍ଞାନ, ବୈଦିକ ଗଣିତ, ଯୋଗ ଇତ୍ୟାଦି ଶିକ୍ଷା ଦିଆଯିବ।

ବେଦ ଅଧ୍ୟୟନ ସହିତ ଏହି ବିଶ୍ଵବିଦ୍ୟାଳୟରେ ବ୍ୟକ୍ତିତ୍ଵ, ଦକ୍ଷତା, ଟେକ୍ନୋଲୋଜି ଓ ବିଜ୍ଞାନ ଉପରେ ତାଲିମ ଦିଆଯିବ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବାକୁ ଥିବା ଏହି ବିଦ୍ୟାଳୟରେ ସମ୍ପୁର୍ଣ୍ଣ ନିଶୁଳ୍କ ଭାବେ ଅଧ୍ୟୟନର ସୁଯୋଗ ରହିବ। ପାରମ୍ପରିକ ବେଶଭୂଷା, ପରିଧାନ ଓ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନର ସୁବିଧା କରାଯିବ।

ଭାରତରେ ମାତ୍ର ପାଞ୍ଚଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ପୁରୀରେ ଏହାର ପ୍ରତିଷ୍ଠା ହେଉଥିବାରୁ ରାଜ୍ୟ ପାଇଁ ଏହା ଗର୍ବର ବିଷୟ ବୋଲି ମନେ କରାଯାଉଛି।‌