Odiapua.com

ମହତାବ ଛକ ଠାରୁ ଆରଡିଛକ ରାସ୍ତାରେ ଟ୍ରାଫିକ୍ ଓ ଜଳ ନିଷ୍କାସନ ସମସ୍ୟା, ସମାଧାନ ପାଇଁ ଜିଲାପାଳଙ୍କ କ୍ଷେତ୍ର ଅନୁଧ୍ୟାନ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ପରିକ୍ରମା କରିଥିବା ୧୬ନଂ ଜାତୀୟ ରାଜପଥର ସର୍ଭିସ୍ ରୋଡ୍ ଗୁଡିକରେ ଉପୁଜିଥିବା ଟ୍ରାଫିକ୍ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ଡଃ ଦିଲ୍ଲୀପ ରାଉତରାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତକାଲି ମହତାବ ଛକ ଠାରୁ ଯାଇଥିବା ଆରଡିଛକ ଓ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗେଲପୁରସ୍ଥିତ ନୂଆ ଜିଲା ସଦର ହସ୍‌ପିଟାଲ ସଡକପଥର ଟ୍ରାଫିକ୍ ସମସ୍ୟାର ବାସ୍ତବ ଚିତ୍ର ଅନୁଧ୍ୟାନ କରିଥିଲେ। ଏହାବ୍ୟତୀତ ଏହି ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ୍ ଗୁଡିକର ଜଳ ନିଷ୍କାସନର ସୁପରିଚାଳନାକୁ ତଦାରଖ କରିଥିଲେ। ଏହି ପ୍ରତିନିଧି ଦଳରେ ଜିଲାପାଳଙ୍କ ସହ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଜାତୀୟ ରାଜପଥ ପି.ଡି. ଦର୍ଶି ପ୍ରକାଶ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆଙ୍କ ସମେତ ଜାତୀୟ ରାଜପଥର ଇଂଜିନିୟରମାନେ ଉପସ୍ଥିତ ଥିଲେ। ଜାତୀୟ ରାଜପଥରେ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ଆରଡି ଛକ ଦେଇ ବସ୍ ଯାତାୟତ କରିବା ଓ ରାସ୍ତା ପାଶ୍ୱର୍ରେ ବେଆଇନ୍ ପାର୍କିଂ ଓ ଜବରଦଖଲ ସମସ୍ୟାକୁ ସମାଧାନ ସକାଶେ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଥିଲା। ଜାତୀୟ ରାଜପଥ ତରଫରୁ ରାସ୍ତା ପାଶ୍ୱର୍ରୁ ନିର୍ମାଣ କରାଯାଇଥିବା ଡ୍ରେନେଜ୍ ଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କ ନାଳ ସଂଯୋଗ କରାଯାଉଥିବାରୁ ଜଳ ନିଷ୍କାସନ ସଠିକ୍ ଭାବେ ହୋଇପାରୁନଥିବାରୁ ରାସ୍ତାରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହିସବୁ ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥର ଧରିତ୍ରୀ ନଗର ଠାରେ ସର୍ଭିସ୍ ରୋଡ୍ ସହ ଏକ ସ୍ୱତନ୍ତ୍ର ରାସ୍ତା ବାହାର କରାଯାଇ ବସ୍ ଚଳାଚଳକୁ ସହଜ ସୁଗମ କରିବା ପାଇଁ ନିଷ୍ପତି ନିଆଯାଇଛି। ସେହିପରି ପାର୍କିଂ ଓ ଜବରଦଖଲ ସମସ୍ୟା ଓ ଡ୍ରେନେଜ୍‌କୁ ସ୍ଥାନୀୟ ବାସିନ୍ଦାମାନେ ମଇଳା ଆବର୍ଜନା ଛାଡୁଥିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଜିଲା ସଦର ହସ୍‌ପିଟାଲକୁ ରୋଗୀଙ୍କ ଯାତାୟତର ସୁବିଧା ପାଇଁ ଏକ ଫ୍ଲାଏ ଓଭରବ୍ରିଜ୍ (ଫୁଟ୍ ବ୍ରିଜ) ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ନିଷ୍ପତି ନେଇଥିବାର ଜଣାଯାଇଛି।