Odiapua.com

ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବାଦାନୁବାଦ ଥମୁନି

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ବରପୁତ୍ର ମହତାବଙ୍କ ନିଜ ଜନ୍ମମାଟିରେ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ କାଠଗଡ଼ାରୁ ଫେରିଛି ଜନ୍ମାମାଟିକୁ । ଅଜି ପୁଣି ଭଦ୍ରକ ମହତାବ ସ୍ମାରକୀ ପରିଷଦର ବରିଷ୍ଠ କର୍ମକର୍ତ୍ତା ଆଗରପଡ଼ା ବଜାରର କଲେଜଛକ ପାଶ୍ୱର୍ରେ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନେଇ ସ୍ଥାନ ଚିହ୍ନଟ ନିମନ୍ତେ ଆର.ଆଇଙ୍କୁ ଧରି ପହଞ୍ôଚଥିଲେ । ତେବେ ଏହି ସ୍ଥାନଟି ପୂର୍ବରୁ ଥିବା କାଳୀ ମନ୍ଦିର ସାମନା ତଥା ଆର ଏଣ୍ଡ ବି ରାସ୍ତା ଉପରେ ସ୍ଥାନ ନିରୂପଣକୁ କାଳୀ କମିଟି ତଥା ବଜାର କମିଟ ପକ୍ଷରୁ ବିରୋଧ କରାଯାଇଥିବାର ଦେଖାଯାଇଥିଲା । ତେବେ ଚିହ୍ନଟ ପ୍ରକ୍ରୀୟା ସାରି କର୍ମକର୍ତ୍ତାମାନେ ଫେରି ଯାଇଥିବା ବେଳେ ଉକ୍ତ ସ୍ଥାନରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।୍ର ମହତାବଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ତାଙ୍କ ନିଜ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର କଲେଜଛକ ଠାରେ ସ୍ଥାପନ ନେଇ ପ୍ରଥମେ କିଛି ମହତାବପ୍ରେମୀ ସଙ୍ଗଠନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏପରିକି ମୂର୍ତ୍ତି ନିର୍ମାଣ କରାଯାଇ, ସ୍ଥାପନ ନିମନ୍ତେ ଭୁମିପୂଜା କାର୍ଯ୍ୟ ଚାଲୁଥିବା ବେଳେ ପ୍ରଶାସନ ପ୍ରଥମେ ଚିଠି ନଂ ୧୭୬୦ ତା ୧୩/୭/୧୭ ରେ ଅନୁମତି ଦେଇ ପରେ ରୋକ ଲଗାଇବାରୁ ମାମଲା ହାଇକୋର୍ଟ ଯାଇ କେସ ନଂ ଡ଼ବ୍ଲ୍ୟୁପିସି ୧୯୦୬ /୨୦୧୮ରେ ବିଚାରାଧିନ ରହିଥିଲା । ପ୍ରତିବାଦ ସଭା, ଗଣ ଆନ୍ଦୋଳନ, ରାସ୍ତାରୋକ ଇତ୍ୟାଦି ଘଟିବା ପରେ ରାଜ୍ୟସରକାର ତତ୍ପରତା ଦେଖାଇ ବରପୁତ୍ରମାନଙ୍କୁ ସମ୍ମାନ ଦେବା ଆଳରେ ମହତାବ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୨ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ପରେ ପ୍ରଶାସନ, କ୍ଷମତାରେ ଥିବା ରାଜନୈତିକ ନେତୃବୃନ୍ଦ, ବିରୋଧି ନେତୃବୃନ୍ଦ, ବିଭିନ୍ନ ସଙ୍ଗଠନ, ମହତାବ ସ୍ମାରକୀ ପରିଷଦ କର୍ମକର୍ତ୍ତାମାନଙ୍କ ଆଲୋଚନା ତଥା ମିଳିତ ଉଦ୍ୟମ କ୍ରମେ ଆଗରପଡ଼ା ପ୍ରବେଶ ପଥ କୁଆଁଶମଢିଆ ଛକ ଠାରେ ସ୍ୱାରକୀ ପରିଷଦ ପକ୍ଷରୁ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ୱତ୍ତି ନିଆଯାଇଥିଲା । ସ୍ଥାନୀୟ ବିଧାୟକଙ୍କ ହାତପାଣ୍ଠିରୁ ୨ଲକ୍ଷ ୨୪ ହଜାର ଟଙ୍କାର ଅନୁଦାନ ଦିଆଯାଇ ପାଦଭିତ୍ତି ପ୍ରସ୍ତର ସ୍ଥାପନ ପରେ ସ୍ମାରକୀ ପରିଷଦ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ ହେବ ଓ ସମସ୍ତ ବାଦବିବାକ କୁ ଭୁଲି ବୋଲି ଏହି ମହାନକାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିଷ୍ପତି ହୋଇଥିଲା । ତେବେ କୁଆଁଶମଢିଆ ଛକ ଠାରେ ମାପଚୁପ ହେବା ସମୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ମୂର୍ତ୍ତି ସ୍ଥାପନ ପ୍ରସଙ୍ଗ ଶୀତଳ ଭଣ୍ଡାରରେ ରହିଥିଲା ।

 

ଅପରପକ୍ଷେ ଆଗରପଡ଼ାର ସମସ୍ତ ଛକସ୍ଥାନ ଗୁଡ଼ିକ ଅଣଓସାରିଆ ତଥା ଜନସମାଗମ ଦୃଷ୍ଟେ ଏହି ବିଶାଳ ମୂର୍ତ୍ତି ସ୍ଥାପିତ ହେଲେ ସାଧାରଣ ଚଳପ୍ରଚଳରେ ଅସୁବିଧା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁ ନାହିଁ । ଏହି କ୍ରମରେ ଆଜି ସ୍ମାରକୀ ପରିଷଦର କର୍ମକର୍ତ୍ତା ପଦ୍ମନ କୁମାର ରାୟ, ରାମଚନ୍ଦ୍ର ନାୟକ, ଇଂ ମଧୁସୂଦନ ସାହୁ, କୈଳାସ ଚନ୍ଦ୍ର ଧଳ,ଭାଗବତ ତ୍ରିପାଠୀ ପ୍ରମୁଖ ଆର.ଆଇ ରବିନ୍ଦ୍ର ଜେନା ଓ ପରମାନନ୍ଦ ସାହୁଙ୍କୁ ଧରି ମାପଚୁପ କରିଥିଲେ । ତେବେ ଚିହ୍ନଟ କରାଯାଇଥିବା ସ୍ଥାନଟି ୮୦ ବର୍ଷର ପୁରୁଣା କାଳୀ ମନ୍ଦିର ସାମନା ହୋଇଥିବାରୁ ବଜାର କମିଟିର ସଭାପତି ଗଙ୍ଗାଧର ପତିଙ୍କ ସମେତ କର୍ମକର୍ତ୍ତା ବିରୋଧ କରିଥିଲେ । ତେବେ ଏ ବିଷୟରେ ପୂର୍ତ୍ତ ବିଭାଗ ର ଅଧିକାରୀଙ୍କ ତରଫରୁ ସଂପୃକ୍ତ ସ୍ଥାନଟି ତାଙ୍କ ଅଧିନରେ ରହିଛି । ଉକ୍ତ ରାସ୍ତାଟି ଚଉଡ଼ା ହେବାର ପ୍ରସ୍ତାବ ଯାଇଛି । ତେଣୁ ଉକ୍ତ ରାସ୍ତା ସଂଲଗ୍ନ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ ଅସମ୍ଭବ ବୋଲି କହିଥିଲେ । ଅନ୍ୟପକ୍ଷରେ ଭଦ୍ରକ ଉପ ଜିଲ୍ଲାପାଳ ପୀତାମ୍ବର ସାମଲ କହନ୍ତି, ଆଗରପଡ଼ା ଅଞ୍ଚଳରେ ୩ ଗୋଟି ପ୍ରତିମୂର୍ତ୍ତି ସ୍ଥାପନର ପ୍ରସ୍ତାବ ରହିଛି । ସରକାରଙ୍କ ପକ୍ଷରୁ ମହତାବ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଥିବା ବେଳେ ସ୍ମାରକୀ ପରିଷଦ ଓ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି ।