ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହଙ୍ଗା ପଡିଲା ରାଜରାସ୍ତାରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା,ଆତଙ୍କି ଯୁବକକୁ ବାନ୍ଧିଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମରାରେ । ସୂଚନା ମୁତାବକ ଧାମରା ବନ୍ଦରରେ ପ୍ରତିଦିନ ଶହ ଶହ ଟ୍ରକ ପରିବହନ କାର୍ଯ୍ୟରେ ଲାଗିଛନ୍ତି । ସ୍ଥାନୀୟ ଗାଡିକୁ ଛାଡି ବହୁ ଦୂର ଦୁରାନ୍ତରୁ ଗାଡି ଗୁଡିକ ମାଲ ପରିବହନ କରିଥାନ୍ତି । ମାତ୍ର କିଛି ସ୍ଥାନୀୟ ଯୁବକ ଏହି ଗାଡି ଗୁଡିକୁ ଅଟକାଇ ଡ୍ରାଇଭର ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିଥାନ୍ତି । ଗତକାଲି ସ୍ଥାନୀୟ ଶଶିକାଦେଇପୁରର ମାନସ ବାରିକ ନାମକ ଯୁବକ ଏକ ଖଣ୍ଡା ଧରି ଟ୍ରକ ଗୁଡ଼ିକୁ ଅଟକାଇ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ । ଏହାକୁ ଜଣେ ଡ୍ରାଇଭର ଭିଡିଓ କରି ଧାମରା ଥାନାକୁ ଖବର ଦେଇଥିଲେ । ଖବର ପାଇ ଧାମରା ଥାନାଧିକାରୀ ଶୁଭମ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଉକ୍ତ ଯୁବକକୁ କାବୁ କରିଥିଲେ । ତାଙ୍କ ଠାରୁ ଗୋଟିଏ ଖଣ୍ଡା ଓ ୫ହଜାର ଟଙ୍କା ଜବତ କରି ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।