Odiapua.com

ମସ୍କୋ ଗୋଲ୍ଡ ସମ୍ମାନିତ କୁସ୍ତିଯୋଦ୍ଧା ଗୋପାଳକୃଷ୍ଣଙ୍କ ପରଲୋକ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୮୦ ମସିହାରେ ମସ୍କୋଠାରେ ଅନୁଷ୍ଠିତ ଅଲିମ୍ପିକ କ୍ରୀଡାର କୁସ୍ତି ବିଭାଗର ସ୍ମାରକୀ ଭାବେ ରୁଷିଆର ଭାଇସ୍ କନ୍‌ସୋଲ ଏଲ.ଏନ୍‌. ଖୋକ୍‌ଲେଙ୍କ ଦ୍ୱାରା ପ୍ରଦତ୍ତ କୁସ୍ତିକ୍ଷେତ୍ରରେ ଶ୍ରେଷ୍ଠ ସମ୍ମାନ ‘ମସ୍କୋ ଗୋଲ୍ଡ’ ପଦକ ଓ ବ୍ଲେଜର ପ୍ରାପ୍ତ ବିଶିଷ୍ଟ କୁସ୍ତିଯୋଦ୍ଧା ଭଦ୍ରକର ଗର୍ବ ଓ ଗୌରବ ତଥା ଚର୍ଚ୍ଚିତ ‘ମିରାକିଲ୍‌’ ବସ୍‌ର ମାଲିକ ଗୋପାଳକୃଷ୍ଣ ମହାପାତ୍ରଙ୍କର ଆଜି ପରଲୋକ ହୋଇ ଯାଇଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଲୋକ ଶୋକ ବ୍ୟକ୍ତ କରିଥିବା ବେଳେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି । ମରଶରୀର ଭଦ୍ରକରେ ପହଞ୍ଚିବା ପରେ ରାଜ୍ୟ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ କ୍‌ୁମାର ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲେଇ, ଡାକ୍ତର ପ୍ରଦୀପ ନାୟକ, ରୋଟାରିଆନ ଶିଶିର ମିଶ୍ର, ରୋଟାରିଆନ ଅତିସ୍ କୁମାର ବେହେରା, ରୋଟାରିଆନ ପ୍ରୀତିରଂଜନ ଜେନା, କଚେରୀବଜାର ପୁଷ୍ପ ସଂଘ, ସୂର୍ଯ୍ୟଶିକ୍ଷା କ୍ଳବ, ସତ୍ୟସାଇ ଭଜନ ମଣ୍ଡଳୀ ଭଳି ସଂଗଠନର କର୍ମକର୍ତ୍ତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧା ନିବେଦନ କରିଥିଲେ । ଗୋପାଳକୃଷ୍ଣ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପୂର୍ବ ମହାରାଷ୍ଟ୍ର, ବିହାର, ହାଇଦ୍ରାବାଦ୍‌ର ଜାତୀୟ କୁସ୍ତି ପ୍ରତିଯୋଗିତା ଆଦିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । କୁସ୍ତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରୁଷିଆର ଭାଇସ୍ କନସୋଲ ତାଙ୍କୁ ମସ୍କୋ ଗୋଲ୍ଡ ସମ୍ମାନ ୧୯୮୪ରେ ପ୍ରଦାନ କରିଥିଲେ ।

ସେହିପରି ଗୋପାଳ ମହାପାତ୍ରଙ୍କ ମାନସ ସନ୍ତାନ ‘ମିରାକିଲ’ ବସ୍ ସମଗ୍ର ଭାରତ ଓ ଭାରତ ବାହାରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା । ଏହି ବସ୍‌ର ଫିଚରର୍ସ ସେତେବେଳେ ଅଷ୍ଟ୍ରେଲିଆରୁ ପ୍ରକାଶ ପାଉଥିବା ‘ଟ୍ରକ୍ ଓ ବସ୍ ଟ୍ରାନ୍‌ସପୋର୍ଟେସନ’ ମାଗାଜିନ୍‌ରେ ପ୍ରକାଶ ପାଇ ହଇଚଇ ସୃଷ୍ଟି କରିଥିଲା । ଯେଉଁ ବସ୍ ଏ ପର୍ଯ୍ୟନ୍ତ ସ୍ମାରକୀ ଭାବେ ତାଙ୍କ ବାସଭବନ ସମ୍ମୁଖରେ ରହିଛି । ତାଙ୍କ ମରଶରୀରକୁ ଆରଡି ଛକଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଜନ୍ମସ୍ଥାନ ପୁରୁଣାବଜାରକୁ ନିଆଯିବା ପରେ ଦାହ ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କ ପାଖରେ ଏକମାତ୍ର ପୁତ୍ର ସାଇପ୍ରସାଦ ଓ ଦୁଇ ଝିଅ ସାଇ ପଦ୍ମଜିତା, ସାଇ ପ୍ରିୟଦର୍ଶିନୀ ତଥା ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ ।