ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ ଶୁକ୍ରବାର ରାତ୍ରରେ ଶବ ଚୋରି ହୋଇଥିବା ଘଟଣାର ଅଭିଯୋଗ କ୍ରମେ ସୋମବାର ମାମଲା ଋଜୁ ହୋଇଛି । ଗ୍ରାମର ତପନ ବେହେରା ଏଥିନେଇ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ୨୦ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରାଙ୍କ ଶବକୁ ବୈତରଣୀ ନଦୀକୂଳ ‘ସ୍ୱର୍ଗଦ୍ୱାର’ ଶ୍ମଶାନରେ ସମାଧି ଦିଆଯାଇଥିଲା । ମାତ୍ର ୨୩ ତାରିଖ ରାତ୍ରରେ ଦୁର୍ବୁର୍ତ୍ତମାନେ ଗାତଖୋଳି ଶବ ନେବା ସହ କିଛି ଅଂଶ ପଡିଥିବା ପରଦିନ ସକାଳୁ ଜଣାପଡିଥିଲା । ସେଠାରେ ଏକ ମେଡିକାଲ ଗ୍ଲୋବ୍ସ ମଧ୍ୟ ପଡିଥିଲା । ଏôତଯୋଗୁଁ ବାର୍ଷିକ କ୍ରିୟା ବାଧାପ୍ରାପ୍ତ ହେବ ଓ ସ୍ମୃତିଚଉରା ନିର୍ମାଣ ସମ୍ଭବ ହେବ ନାହିଁ । ଶବ ଉଦ୍ଧାର କରାଯିବା ସହ ଦୋଷୀକୁ ଧରିବାକୁ ଅନୁରୋଧ କରାଯାଇଛି । ଏଥିସହ ଅନୁରୂପ ଭାବେ ଗ୍ରାମର ଶ୍ରୀକାନ୍ତ ବେହୁରିଆ ଓ ଅନନ୍ତ ନାଥଙ୍କ ଶବକୁ ନିଆଯାଇଥିବା ଓ ଏହାକୁ ଉଦ୍ଧାର କରିବାକୁ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି ।
ଅଭିଯୋଗ ଆଧାରରେ ଥାନାରେ ମାମଲା ଋଜୁ ହୋଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶନିବାର ସକାଳେ ଗ୍ରାମର କେତେକ ଯୁବକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ‘ସ୍ୱର୍ଗଦ୍ୱାର’ ଶ୍ମଶାନର କେତେକ ସ୍ଥାନରେ ଖୋଳାଯାଇଥିବା ଦେଖିଥିଲେ । ସଦ୍ୟ ସଂସ୍କାର ହୋଇ ପୋତାଯାଇଥିବା ୩ ଟି ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗତ ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେଉରିଆ, ଗତ ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଜଣାପଡିଥିଲା । ଖୋଳାଯାଇଥିବା ୩ ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା । ମାତ୍ର ୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଅକ୍ଷୟ ଓ ଅନନ୍ତଙ୍କ ସଢାମାଂସ କଢାଯାଇ ପଡିଥିଲା । ଗୋଟିଏ ଗ୍ଲୋବସ ପଡିଥିଲା । ଗ୍ରାମବାସୀଙ୍କ ଶବ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳକୁ ରବିବାର ଅପରାହ୍ନରେ ପ୍ରାଥମିକ ତଦନ୍ତ କରିଥିଲେ ।