Odiapua.com

ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନା ଦୁର୍ନୀତିର ତଦନ୍ତ କଲେ ବିଡିଓ

ହାଟଡ଼ିହି,୬ / ୭ / :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧଞ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ହାଟଡିହି ବିଡିଓ ବିନିତା ବିଜୟୀନୀଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇଛି । ବିଭିନ୍ନ କାର୍ଯ୍ୟରେ ଅଳ୍ପ କିଛି ଖର୍ଚ୍ଚ କରାଯାଇ ଅଧିକ ଅନୁଦାନ ଉଠାଯାଇଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାର୍କ ନାମରେ ୫ଲକ୍ଷ ଟଙ୍କାକୁ ସମ୍ପୁର୍ଣ୍ଣ ହଡପ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ।
ଗତକାଲି କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସାମାଜିକ ସମିକ୍ଷକ ଚନ୍ଦନ ଆୟଚ ଅଭିଯୋଗର ଏହାର ସତ୍ୟତା ଉପରେ ସମିକ୍ଷା କରିଥିବାବେଳେ ଆଜି ବିଡିଓଙ୍କ ଦ୍ୱାରା ତଦନ୍ତ କରାଯିବା ଘଟଣା ସମଗ୍ର ବ୍ଲକରେ ଆଲୋଚନାର ବିଷୟ ପାଲଟିଛି । ଏହି ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ବିଡିଓଙ୍କ ସହିତ କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନ, ଜିଆରଏସ ରଞ୍ଜନ କୁମାର ମଲ୍ଲିକ ଉପସ୍ଥିତ ଥିବାବେଳେ ଲୋକମାନେ ସେମାନଙ୍କ ଅସନ୍ତୋଷ ଜାହିର କରିବା ସହିତ ବିଡିଓଙ୍କୁ ଗୋଟି ଗୋଟି କରି ସମସ୍ତ କାର୍ଯ୍ୟ ଦେଖାଇଥିଲେ । ପଞ୍ଚାୟତ ଅଫିସ ସମ୍ମୁଖରେ ଆନନ୍ଦପୁର-ଭଦ୍ରକ ରାସ୍ତାପାଖ ନୟନଜୋରୀକୁ ପୋତାଯାଇ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପଞ୍ଚାୟତ ସମ୍ନା ଜମିର ଉନ୍ନତି କରଣ ଓ ପାର୍କ ନିର୍ମାଣ ନାମରେ ୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସେହି ସମାନ ସସ୍ଥାନରେ ନାମ ପରିବର୍ତ୍ତନ କରାଯାଇ ଅନ୍ୟଏକ ପ୍ରକଳ୍ପ ନାମରେ ୭ଲକ୍ଷ ଖର୍ଚ୍ଚ କରାଯାଇଛି । କିନ୍ତୁ ପାର୍କର କୌଣସି କାର୍ଯ୍ୟ ହୋଇନଥିବା ନେଇ ଗ୍ରାମବାସୀମାନେ ବିଡିଓଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ତେବେ ନୟନଜୋରୀକୁ ପୋତିବା ପାଇଁ କିଏ ଅନୁମତି ଦେଲା ଓ କିପରି ସରକାରୀ ଅନୁଦାନ ଖର୍ଚ୍ଚ କରାଗଲା ତାହା ତଦନ୍ତ କରାଯିବା ଦରକାର ବୋଲି ଗ୍ରାମବାସୀମାନେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ନନ୍ଦିପଦା ଥାନା ପଛପାଖ ସ୍ଥାନର ଉନ୍ନତି କରଣ ନାମରେ ୭ଲକ୍ଷ, ମରୈଗାଁ ପ୍ରାଥମିକ ବିଦ୍ୟାଳୟ ଠାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ୮ଲକ୍ଷ, ରାଜ୍ୟ ରାପଥଠାରୁ ପଶୁଚିକିତ୍ସାଳୟ ପର୍ଯ୍ୟନ୍ତ ସେହି ସମାନ ସ୍ଥାନରେ ଆଉ ଏକ ରାସ୍ତା ନାମରେ ୫ଲକ୍ଷ. ପମ୍ପ ହାଉସ ସାମ୍ନା ପରିତ୍ୟକ୍ତ ସ୍ଥାନ ଜମିର ଉନ୍ନତି କରଣ ୫ଲକ୍ଷ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ପମ୍ପ ହାଉସ ନିକଟରେ ମାତ୍ର ୫୦/୬୦ଟ୍ରାକ୍ଟର ମାଟି ପକାଯାଇଛି ବୋଲି ଲୋକମାନେ ବିଡିଓଙ୍କ ନିକଟରେ ପ୍ରକାଶ କରିଥିଲେ । କରୋନା ମହାମାରୀ ସମୟରେ ମନରେଗା ଯୋଜନାରେ ଅôଦକରୁ ଅôଦକ ଶ୍ରମିକ ମାନଙ୍କୁ ନିୟୋଜିତ କରିବାପାଇଁ ଏହିଯୋଜନା ସବୁ କାର୍ଯ୍ୟକାରୀ କରାଯାଇଥିଲେବି କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମେସିନି ସାହାଯ୍ୟରେ କାମ କରାଯାଇଥିବ ଅଭିଯୋଗ କରିଥିଲେ । କେବଳ ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରି ଅନୁଦାନକୁ ଉଠାଯାଇଛି ବୋଲି ଲୋକମାନେ କହିଥିଲେ । ସେପରି କୌଣସି କାମ ହୋଇନଥିବାବେଳେ ଖାଲି ଫଳକ ଉପରେ ଫଳକ ଲାଗାଯାଇଥିବାରୁ ଲୋକମାନେ କାମ ବାବଦରେ ଜାଣିବାକୁ ପାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବହୁକମ୍ ପରିମାଣର କାମ କରାଯାଇ ଲକ୍ଷଲକ୍ଷ ଟଙ୍କା ଉଠାଯାଇଥିବା ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଗତ ୪ବର୍ଷ ଧରି ପଞ୍ଚାୟତରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।