Odiapua.com

ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତିକ୍ଷିତ ଲୋୟର ସୁକତେଲ ଜଳ ପ୍ରକଳ୍ପକୁ କାର୍ଯ୍ୟ ଆରମ୍ଭରୁ ବିରୋଧ

ବଲାଙ୍ଗୀର, ୬-୧୧: (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରର ଲାଇଫ୍‌ ଲାଇନ୍ ବା ଜୀବନରେଖା ପାଲଟିବ, ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ତେବେ ମୁଖ୍ୟତଃ ବିସ୍ଥାପନ ସମସ୍ୟା ଯୋଗୁଁ ଗତ ଦୁଇବର୍ଷ ହେଲା ବିଳମ୍ବିତ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି କାମ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରବଳ ବିରୋଧ କରିଥିଲେ ବିସ୍ଥାପିତ। ଏନେଇ ଜଳସେଚନ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏବଂ ଜମି ଅଧିଗ୍ରହଣ, ଥଇଥାନ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ ଅନ୍ୟ ଟେକନିକାଲ ଟିମ ସହିତ ପ୍ରକଳ୍ପ ଅଂଚଳକୁ ଯାଇଥିଲେ। ପ୍ରଥମେ ଦାବି ପୂରଣ କର, ତା’ପରେ କାମ ଆରମ୍ଭ କରନ୍ତୁ ବୋଲି କହିଥିଲେ ବିସ୍ଥାପିତ। ଜୋରଦାର ନାରାବାଜୀ କରି ବିରୋଧ କରିବାରୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରକଳ୍ପ ଅଂଚଳରୁ ଫେରି ଆସିଥିଲେ।

ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପର ମନ୍ଥରତା ଓ ବିସ୍ଥାପିତଙ୍କୁ କ୍ଷତିପୂରଣ ନେଇ ବହୁବାର ବିଧାନସଭାରେ ଦାବି ଉଠିଥିବା ବେଳେ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନେଇ ଦାବି ହୋଇଆସୁଛି। ଗତ ବର୍ଷ ବିଧାନସଭା ପ୍ରଶ୍ନ କାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ଶ୍ରୀ ମିଶଙ୍କ୍ରୁ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ କିପରି ଆଗେଇବ ସେ ନେଇ ଦାୟିତ୍ବ ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ମିଶ୍ର ମଧ୍ୟ ବଲାଙ୍ଗିରର ଏକ୍ସନ କମିଟି ସମେତ ବିଭିନ୍ନ ସାମାଜିକ ସ˚ଗଠନ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଳୋଚନା କରିଥିଲେ। ଗତ ସେପ୍ଟେମ୍ବର ୯ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ ଓ ଅତିରିକ୍ତ ସଚିବ (ଆରଏଣ୍ତ ଆର) ରାଜେନ୍ଦ୍ର ପଟ୍ଟନାୟକ ବଲାଙ୍ଗୀର ଗସ୍ତକରି ଲୋୟର ସୁକତେଲ କାର୍ଯ୍ୟର ସମସ୍ୟା ନେଇ ସମୀକ୍ଷା କରିଥିଲେ। କିନ୍ତୁ ବିସ୍ଥାପିତଙ୍କୁ ୨୦୧୩ ବିସ୍ଥାପନ ନୀତି ଅନୁସାରେ କ୍ଷତିପୂରଣ କିମ୍ବା ଏକ୍‌ସ-ଗ୍ରାସିଆ କ୍ଷତିପୂରଣ ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିଲା। ତେଣୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ସରକାର ସକାରାତ୍ମକ ଆଭିମୁଖ୍ୟ ରଖିଲେ ବିଧାୟକ ଶ୍ରୀ ମିଶ୍ର ବିସ୍ଥାପିତ ଉଚିତ କ୍ଷତିପୂରଣ ପାଇବା ସହ କାମ ମଧ୍ୟ ଆରମ୍ଭ ହୋଇପାରିବ ବୋଲି କହିଥିଲେ।