Odiapua.com

ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯନ୍ତ ବାରିକେଡ୍

ପୁରୀ, ୨୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ବ୍ୟବସ୍ଥା କରିଛି। ଡିସେମ୍ବର ୨୫ ତଥା ବଡଦିନ ସହ ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ନୂଆ ସେଡ୍ ପରେ ଏବେ ନୂଆ ବାରିକେଡ୍ ତିଆରି ତିଆରି ଚାଲିଛି। ପଥଚାରୀ ସୁବିଧାରେ ଯାଆସ ପାଇଁ ମରିଚିକୋଟ ଛକରୁ ସିଂହଦ୍ୱାର ବାରିକେଡ ପର୍ଯ୍ୟନ୍ତ ବଡଦାଣ୍ଡ ମଝିରେ ଦୁଇପାଶ୍ୱର୍ରେ ଲୁହାର ବାରିକେଡ୍ ପକାଯାଇ ଭକ୍ତଙ୍କ ପାଇଁ ଯାଆସ ନିମନ୍ତେ ବାଟ ଖୋଲାଯାଇଛି। ପୂର୍ବରୁ ବଡଦାଣ୍ଡରେ ପଥଚାରୀ ଓ ଗାଡିମୋଟରରେ ଯାଆସ କରୁଥିବା ଭକ୍ତଙ୍କ ପାଇଁ ରାସ୍ତା ସମାନ ଥିଲା। କେବଳ ବଡଦାଣ୍ଡ ମଝିରେ ବାରିକେଡ୍ ପକାଯାଇ ଯିବା ଓ ଫେରିବା ବାଟକୁ ଅଲଗା କରାଯାଇଥିଲା। କିନ୍ତୁ ଏବେ ବଡଦାଣ୍ଡ ମଝିରେ ଦୁଇଧାଡିର ଲୁହାର ବାରିକେଡ୍ ପକାଯାଇଛି। ମଝିରେ ମଝିରେ ଏହି ବାରିକେଡ ବାହାରକୁ ବାହାରିବାର ବି ବ୍ୟବସ୍ଥା କରାଯାଇଛି। ଦୁଇଧାଡି ବାରିକେଡ୍ ମଝିରେ ପ୍ରାୟ ୬ ଫୁଟ ରାସ୍ତା ଫାଙ୍କା ଛଡାଯାଇଛି। ଯେଉଁଥରେ ଶ୍ରୀମନ୍ଦିର ଯାଉଥିବା ଓ ଫେରୁଥିବା ପଥଚାରୀ ତଥା ଭକ୍ତମାନଙ୍କ ରାସ୍ତା ବ୍ୟବସ୍ଥା କରାଯାଇଛି। ବାକି ଦୁଇପାଶ୍ୱର୍ରେ ବାଇକ୍ ଓ ଅନ୍ୟ ଗାଡିମୋଟର ନେଇ ଯାଉଥିବା ଭକ୍ତମାନେ ଯାଆସ କରିବେ। ଏହାଦ୍ୱାରା ଆକସ୍ମିକ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କହିଛି। ଏଥି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୁରୁଣା ସେଡ୍କୁ ଭାଙ୍ଗି ନୂଆ ସେଡ୍ ତିଆରି କରୁଛି। ନୂଆବର୍ଷ ପୂର୍ବରୁ ଏହାକୁ ନୂଆ ରୂପରେ ଠିଆ କରିବାକୁ ପ୍ରଶାସନ ଲକ୍ଷ ରଖିଛି। ଏହି ବାଟ ଦେଇ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ଛାଡିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଦୃଷ୍ଟିରୁ ସୌନ୍ଦର୍ଯ୍ୟାକରଣ ବ୍ୟବସ୍ଥା ସହ ଅନ୍ୟାନ୍ୟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।