Odiapua.com

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ମରଣାନ୍ତଙ୍କ ଆକ୍ରମଣ ମାମଲାରେ କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପୂଜା ଷଡଙ୍ଗୀ ଅଭିଯୁକ୍ତ ପରମେଶ୍ୱର ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିିତ କରିଛନ୍ତି। ଏହାସହ ୧୦ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ହାଡୁଆ ଗ୍ରାମର ଅଭିଯୁକ୍ତ ପରମେଶ୍ୱର ପାତ୍ର ସେହି ଗ୍ରାମର ଜ୍ଞାନରଞ୍ଜନ ପାତ୍ରଙ୍କ ପରିବାରକୁ ଅନେକ ସମୟରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିଲା। ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ଶତ୍ରୁତା ରହିଥିଲା। ଗତ ୨୦୧୪ମସିହା ଜୁନମାସ ୨୫ତାରିଖ ରାତି ପ୍ରାୟ ସାଢେ ୯ଟା ସମୟରେ ଜ୍ଞାନରଞ୍ଜନ ପରମେଶ୍ୱର ଘର ନିକଟକୁ ଯାଇ ତାଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପରମେଶ୍ୱର ଏକ ଲୁହା ପାଇପ୍ ରେ ଅଭିଯୁକ୍ତ ପରମେଶ୍ୱର ଜ୍ଞାନରଞ୍ଜନଙ୍କ ମୁଣ୍ଡକୁ ଜୀବନରେ ମାରିଦେବା ଉଦେଶ୍ୟରେ ଆକ୍ରମଣ କରିଥିଲା। ଫଳରେ ଜ୍ଞାନରଞ୍ଜନଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କ ଚିତ୍କାର ଶୁଣି ଜ୍ଞାନରଞ୍ଜନଙ୍କ ସାନଭାଇ ଦିପଙ୍କର ଓ ତାଙ୍କ ବଡବାପା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ପରମେଶ୍ୱର ଆକ୍ରମଣ କରିଥିଲା। ଏନେଇ ଆଳି ଥାନାରେ ଜ୍ଞାନରଞ୍ଜନଙ୍କ ଅଭିଯୋଗ କ୍ରମେ ଥାନା କେଶ ନମ୍ବର ୧୫୪/୨୦୧୪ରେ ଭାରତୀୟ ଦଣ୍ଡ ବିଧି ଆଇନର ୩୨୩, ୨୯୪ ଓ ୩୦୭ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର ସମୟରେ ୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ମାମଲାର ବିଚାର କରି ଆଇ.ପି.ସି.ର ୩୦୭ ଦଫାରେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପ୍ରବ୍ଲିକ ପ୍ରସିକ୍ୟୁଟର ରମାକାନ୍ତ ସ୍ୱାଇଁ ଅଦାଲତରେ ମାମଲାର ପରିଚାଳନା କରୁଥିଲେ।