Odiapua.com

ମରଣଯନ୍ତା ପାଲଟିଛି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳର ଲୋକଙ୍କ ଗମନାଗମନ ପାଇଁ ଗାଁ କୁ ଗାଁ ସଂଯୋଗ ବାବଦରେ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତନ୍ମଧ୍ୟରୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ୟତମ । କିନ୍ତୁ ବିଭାଗୀୟ ଅଧିକାରୀମାନେ ରାସ୍ତାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ନଦେଇ କେବଳ ରାସ୍ତା ନିର୍ମାଣ କରୁଥିବାରୁ ରାସ୍ତା ନିର୍ମାଣର କିଛି ମାସ ପରେ ତାହା ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଡ଼ାଳପଙ୍କ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟରାସ୍ତା ଠାରୁ ବେଲଗଢିଆ ପର୍ଯ୍ୟନ୍ତ ଲମ୍ବିଥିବା ୧.୨କି.ମି ରାସ୍ତାରେ । ଉକ୍ତ ରାସ୍ତା ପଦାରୁଖାରୁ ବେଲଗଡ଼ିଆ ଭାୟା ଟାଇଗୁଣା ମୁଖୀ ସାହୀ ପର୍ଯ୍ୟନ୍ତ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୬୨ ଲକ୍ଷ ୧୨ହଜାର ୮୪୦ଟଙ୍କା ଅର୍ଥ ବିନିମୟରେ ୧୪ ସେପ୍ଟେମ୍ବର ୨୦୧୫ ଠାରୁ ଆରମ୍ଭ ହୋଇ ୧୩ ମଇ ୨୦୧୬ ରେ ନିର୍ମାଣ ଶେଷ ହୋଇଥିଲା । ପରବର୍ତ୍ତୀ ସମୟରେ ୩ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ମରାମତି କାର୍ଯ୍ୟ ମଧ୍ୟ ସରିଥିଲା । ଏହି ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରାଯାଇନଥିବାରୁ ବର୍ଷା ଦିନ ହେଲେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଲୋକମାନଙ୍କ ଘର ଭିତରକୁ ପଶିଥାଏ । ବର୍ତ୍ତମାନ ପିଚ ଗୁଡ଼ିକ ରାସ୍ତାରୁ ଉଠିବା ସହିତ ରାସ୍ତା ଉପରୁ ମେଣ୍ଟାଲ ଗୁଡ଼ିକ ଉଠିଯାଇ ଖାଲଖମାରରେ ପରିଣତ ହୋଇଛି ଯଦ୍ୱାରା ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ମିଠିଗାଁ,ଢେଙ୍କା,ସଢା ସମେତ ବେଲଗଢିଆ,ଅଡ଼ାଳପଙ୍କ ଓ ତା ପାଖଆଖ ଅଞ୍ଚଳର ଗ୍ରାମବାସୀ ମାନେ ପ୍ରତିଦିନ ଯାଆଆସ କରିଥାନ୍ତି । ତେଣୁ ଉକ୍ତ ରାସ୍ତା ମରାମତି ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।