ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛି ଦିନ ହେବ ମରଣଯନ୍ତା ପାଲଟିଲାଣି ଚାରିବାଟିଆ କୋଷ୍ଟ କେନାଲ ରାସ୍ତା । ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମାରେ ଭର୍ତ୍ତି ହୋଇଛି । ଲକ୍ଷ୍ମୀଦାସପୁର ଛକରୁ ବାଲିମେଦ ମଧ୍ୟରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସୃଷ୍ଟି ହୋଇଥିବା ଛୋଟବଡ ଖାଲ ବର୍ଷାହେଲେ ଯାତ୍ରୀଙ୍କ ମନରେ ଗାଡିଆର ଭ୍ରମ ସୃଷ୍ଟି କରୁଛି । ପ୍ରତିବର୍ଷ ଉଣାଅଧିକ ରାସ୍ତା ମରାମତି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଅବସ୍ଥା ସୁଧୁରି ପାରୁନି । ଯେଉଁ ଗାଡିଆକୁ ସେଇ ଗାଡିଆ । ରାସ୍ତା ସାରା ଖାଲ, ଟିକେ ହାଉଲେ ଯାଆ ବୋଲି ପଥଚାରୀ ବାଇକ ଚାଳକଙ୍କୁ ପରାମର୍ଶ ଦେଉଛନ୍ତି । ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକରୁ ଚାରିବାଟିକୁ ଲମ୍ବିଛି ଏହି ରାସ୍ତା । ବାଲିମେଦ, କାଳିଦାସପୁର, ଲଷ୍ମୀଦାପୁର, ମାଟିପକା, ଚାରିବାଟିଆବାସୀଙ୍କ ପାଇଁ ଏହି ରାସ୍ତା ଯେତିକି ଗୁତୁତ୍ୱ ବହନକରେ ବାହାରୁ ଆସୁଥିବା ଜନସାଧାରଣଙ୍କ ପାଇଁ ମଧ୍ୟ ସେତିକି ଗୁରୁତ୍ୱ ରହିଛି । ତିହିଡି ଓ ବାସୁଦେବପୁର ବ୍ଲକକୁ ଏହି ରାସ୍ତା ଯୋଗାଯୋଗର ପ୍ରମୁଖ ଭୁମିକା ନିଭାଇ ଆସୁଛି । ରାସ୍ତାର ଦୂରତାକୁ କମାଇବା ପାଇଁ ଚାରିବାଟିଆ ଘାଟପାରିହୋଇ ବାସୁଦେବପୁର ବ୍ଲକର ଜନସାଧାରଣ ତିହିଡି ସମେତ ଚାନ୍ଦବାଲି ଅଞ୍ଚଳକୁ ଯାଇଛନ୍ତି । ଅନୁରୂଭାବେ ତିହିଡି, ପିରହାଟ, ଚାନ୍ଦବାଲି ଅଞ୍ଚଳର ଜନସାଧାରଣ ମଧ୍ୟ ବାସୁଦେବପୁରକୁ ଆସୁଛନ୍ତି ।
ଦୁଇ ବ୍ଲକକୁ ଯୋଗାଯୋଗର ମାଧ୍ୟମ ପାଲଟିଥିବା ଏହି ରାସ୍ତା ଏବେ ବିପଦପୂର୍ଣ ହୋଇପଡିଛି । ଲକ୍ଷ୍ମୀଦାସପୁର ଛକରୁ ବାଲିମେଦ ଛକ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଖାଲ ସୃଷ୍ଟି ହୋଇଛି । ଏହି ଖାଲ ଯାତ୍ରୀ ମାନଙ୍କ ପାଇଁ ବଡ ବିପଦ ସୃଷ୍ଟି କରୁଛି । ଟିକିଏ ବେଲକ୍ଷ୍ୟ ହେଲେ ସାଇକେଲ ଠାରୁ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି । ପାଦଚଲା ଲୋକବି ବର୍ତ୍ତି ପାରୁନି । ଦିନରେ ଯାହାହେଉ ରାତିରେ ଲୋକଙ୍କ ସହ ବାଇକ ଓ ସାଇକେଲ ଆରୋହୀ ପ୍ରମାଦ ଗଣୁଛନ୍ତି । ବର୍ଷା ହେଲେ ଯାତାୟତ ସମସ୍ୟା ବଢି ଯାଉଛି । ଖାଲରେ ଜମିରହୁଥିବା ବର୍ଷାପାଣି ପାଇଁ ରାସ୍ତା ଜଣାପଡୁନଥିବାରୁ ଯାତ୍ରୀ ଲହୁଲୁହାଣ ହେଉଛନ୍ତି । ରାସ୍ତାର ଦୁଇ ପାଖର କଣ୍ଟାଗଛ ଯାତାୟତ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଏତେ ସମସ୍ୟା ପରେବି ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ପଡୁନି । ରାସ୍ତା ଅବସ୍ଥା ଅତିଶୋଚନୀୟ ହୋଇପଡିଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ପଳିତା । ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ସମସ୍ୟାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ(ଆରଡି) କହିଛନ୍ତି, କୋଷ୍ଟ କେନାଲ ଛକରୁ ମାଟିପକା ଛକ ପର୍ଯ୍ୟନ୍ତ ରାସ୍ତା ଆମ ଦାଇତ୍ୱରେ ରହିଛି । ମାଟିପକା ଛକରୁ ବାଲିମେଦ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦାଇତ୍ୱରେ ରହିଛି । ରାସ୍ତା ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ ଏସଡିଓଙ୍କ ସହ ଦାଇତ୍ୱରେଥିବା ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ ଫୋନ ଉଠାଇନଥିଲେ । ଦୁଇ ବ୍ଲକ ପାଇଁ ଗୁରତ୍ୱ ବହନ କରୁଥିବା ତଥା ଶୋଚନୀୟ ହୋଇପଡିଥିବା ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ପଡିବ ତ!