Odiapua.com

ମରଣଜନ୍ତା ପାଲଟିଛି ନାଟିମି-ମୟୁରଝାଲିଆ ପ୍ରଧାନମନ୍ତ୍ରୀ ରାସ୍ତା

ନୟାଗଡ/୦୪/୧୨(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ସରକାର ଯାତାୟତର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଚାଲିଛନ୍ତି। କିନ୍ତୁ ରକ୍ଷଣା ବେକ୍ଷଣ ଓ ମରାମତିରେ ଅବହେଳା ଯୋଗୁଁ ରାସ୍ତା ଗୁଡିକ ମରଣଜନ୍ତା ପାଲଟିଯାଉଛି। ସେହିଭଳି ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନାଟିମି ଠାରୁ ମୟୁରଝାଲିଆ ପର୍ଯ୍ୟନ୍ତ ମରଣଜନ୍ତା ପାଲଟିଛି। ଯାହା ଫଳରେ ପ୍ରତିଦିନ ଛୋଟବଡ ଦୂର୍ଘଟଣାମାନ ଦେଖିବାକୁ ମିଳୁଛି। ୨ ବର୍ଷ ତଳେ ରାସ୍ତା କାର୍ଯ୍ୟ ଶେଷ ହୋଇଥିଲା। ନିୟମ ଅନୁଯାୟୀ କାର୍ଯ୍ୟ କରିଥିବା ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରି ମରାମତି କରିବା କଥା। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ମାଙ୍କଡା ପଥର ମିନି ଟ୍ରକ୍ ଯାତାୟତ କରିଥାଏ। ତା ସହିତ ମୟୁରଝାଲିଆ ଜଙ୍କିଆ ଗ୍ରାମ ପଂଚାୟତରୁ ବାଇକ୍ ଯୋଗେ ରଣପୁର ବିଭିନ୍ନ ସରକାରୀ ଅଫିସ୍ କୁ ଲୋକମାନେ ଆସିଥାନ୍ତି। ଏହି ରାସ୍ତା ମରଣଜନ୍ତା ପାଲଟିବା ଯୋଗୁଁ ଲୋକମାନେ ଯାତାୟତରେ ଅସୁବିଧା ଭୋଗିବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ଅମ୍ବରିଶ୍ ଆଚାର୍ଯ୍ୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ନାଟିମିଠାରୁ ମୟରୁଝାଲିଆ ରାସ୍ତା ମଝିରେ ଥିବା ବ୍ରିଜ୍ ସଂଲଗ୍ନ କରୁଥିବା ଦୁଇ ପାର୍ଶ୍ୱ ରାସ୍ତା ପାଇଁ ମରାମତି ଅର୍ଥ ନାହିଁ। ଆମ୍ଭେ ସେଥିପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲେଖିଅଛୁ। ଅର୍ଥ ଆସିଲେ ମରାମତି କରାଯିବ। ବାକି ଯେଉଁ ରାସ୍ତା ଖରାପ ହୋଇଯାଇଛି ୨ମାସ ମଧ୍ୟରେ ରାସ୍ତା ମରାମତି କରାଯିବ। ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି।