Odiapua.com

ମମିତା ମେହେର ହତ୍ୟା ବିରୋଧରେ ବିଶାଳ ଶୋଭାଯାତ୍ରା, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତି ପକ୍ଷରୁ ଗୃହ ମନ୍ତ୍ରୀଙ୍କ କୁଶପୁତ୍ତଳା ଦାହ

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ତାତି ଥମିବାର ନାମେ ନେଉ ନାହିଁ । ଆଜି ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତି(ଆଇପୁଆ) ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବନ୍ତ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ସିପିଆଇ(ଏମଏଲ) ଲିବରେସନର ଜିଲ୍ଲା ସଂପାଦକ ସମର ବଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଘଟଣାରେ ଗୃହମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଙ୍କ ସନ୍ଦେହଜନକ ଭୂମିକା ପାଇଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଥିଲେ । ସେହିପରି ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା, ହାଇକୋର୍ଟ ଜଜ୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏସଆଇଟି ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରିବା, ହତ୍ୟାର ଶୀକାର ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ମମିତାଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ଯୋଗାଇବା, ମମିତା ହତ୍ୟାରେ ସଂପୃକ୍ତ ଲୋକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ସେ ଦାବି କରିଥିଲେ ।

ଆଇପୁଆର ଜିଲ୍ଲା ସଂପାଦିକା ତଥା ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ ନିଜ ଅଭିଭାଷଣରେ କହିଥିଲେଯେ ଉକ୍ତ ସ୍କୁଲର ମାଲିକ ଗିରଫ ହେବା ପରେ, ରହସ୍ୟଜନକ ଭାବେ ପୁଲିସ ଥାନାରୁ ଫେରାର ହେବା ଘଟଣା ଚାଲିଥିବା ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟିଥିବା ଘଟଣା ଅତ୍ୟନ୍ତ ଲଜ୍ୟଜନକ, ନିନ୍ଦନୀୟ, ଅମାନବୀୟ ଓ ଉଦବେଗଜନକ । ଏଠାରେ ପ୍ରଶ୍ନ ହେଉଛି ମମିତାଙ୍କ ନିଖୋଜ ହେବା ପରେ ଗୋବିନ୍ଦଙ୍କ ସଂପୃକ୍ତି ଅଭିଯୋଗ ଯୋଗୁଁ ଥାନାକୁ ଡକାଯାଇଥିଲେ ସୁଦ୍ଧା ତାଙ୍କୁ କିପରି ଖୋଲା ଛଡ଼ା ଯାଇଥିଲା ଓ ପୁଣି ଯେଉଁ ସମୟରେ ସେ ଥାନା ପରିସରରୁ ଫେରାର ହେଲେ ଠିକ ସେତିକି ବେଳେ, ବିଜୁଳି ବିଛିନ୍ନ ହେବା ରହସଜ୍ୟନକ ବୋଲି ଶ୍ରୀମତୀ ବିଶ୍ୱାଳ କହିଥିଲେ । ଗୋବିନ୍ଦଙ୍କ ପରି ଅପରାଧୀଙ୍କ ସହ ରାଜ୍ୟ ଗୃହ ଓ ବିଦ୍ୟୁତ୍ ବିଭାଗ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ରଙ୍କ ସମ୍ପର୍କ ଏବେ ତଦନ୍ତସାପେକ୍ଷ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବାହୁଛାୟା ତଳେ ଗୋବିନ୍ଦ ବହୁ ଘୃଣ୍ୟ କାର୍ଯ୍ୟ କରି ଚାଲିଥିଲେ । ଗୃହ ମନ୍ତ୍ରୀ ହୋଇ ଯଦି ଏପରି ଅପରାଧିକ କାର୍ଯ୍ୟରେ ସଂପୃକ୍ତ, ତେବେ ରାଜ୍ୟବାସୀ କେତେ ସୁରକ୍ଷିତ ତାହା ଅନୁମେୟ । ନିର୍ମଳ ଭାବମୂର୍ତ୍ତୀ ଓ ସ୍ୱଛ ଶାସନର ଡିଣ୍ଡିମ ପିଟୁଥବା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ନିରବ କାହିଁକି ରହିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ େବେହରା, ମଞ୍ଜୁଲତା ମହାକୁଡ, ହାଲିମା ବିବି, ରୂପା ପାତ୍ର, ପଦ୍ମାବତୀ ଖିଲାର, ଲକ୍ଷ୍ମୀପ୍ରିୟା ଦାସ, ଶାନ୍ତିଲତା ପଣ୍ଡା, ସବିତା ଓଝା, ସୁମତି ଓଝା, ଶାନ୍ତିଲତା ଜେନା, ଅଶା ମହାକୁଡ, ରୁ୍‌କ୍ମଣୀ ମହାନ୍ତି, କୌଣଲ୍ୟା ଶିଅଳ, ପଦ୍ମାବତୀ ଶିଅଳ, ମମତା ଶିଅଳ, ପ୍ରତାପ ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ଦିନବଂଧୁ ଜେନା, ଗୟାଧର ଶେଣ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିôଲେ ।