Odiapua.com

ମମିତା ମେହେର ହତ୍ୟାକାଣ୍ଡ ମାମଲା : ଦୋଷୀ ଖସିଯିବାର ବାଟ ତିଆରି କରୁଛି ପୋଲିସ : କଂଗ୍ରେସ

ଭୁବନେଶ୍ୱର ୩୦.୧୧ (ଓଡ଼ିଆ ପୁଅ) – ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ସେହି ଘଟଣାରେ ସଂଶ୍ଳିଷ୍ଟ ଓ ପୃଷ୍ଣପୋଷକ ମାନଙ୍କୁ ଖସେଇ ଦେବାପାଇଁ ଷଡଯନ୍ତ୍ର କରୁଛି। ପୋଲିସର ତଦନ୍ତ ନିରପେକ୍ଷ ନୁହେଁ। ସେଥିପାଇଁ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। ସରକାର ଯଦି ନ ଶୁଣନ୍ତି ତାହେଲେ ଦଳ ତରଫରୁ ଓଡ଼ିଶାର ହାଇକୋର୍ଟର ମାମଲା ଦାୟର କରାଯିବ ଓ ଓଡ଼ିଶା ହାଇକୋର୍ଟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହି ମାମଲା ଦାୟର କରିବେ ବୋଲି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ଠିକ ତଦନ୍ତ କରୁନାହିଁ। ଯେଉଁ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଛି ତାହା ପରସ୍ପର ବିରୋଧି। ଯେଉଁଥିପାଇଁ ଘଟଣାର ହତ୍ୟାକାରୀ ଖସିଯାଇ ପାରେ। ପୁନଶ୍ଚ ଘଟଣା ପଛରେ ଲୁଚି ରହିଥିବା ସେକ୍ସ ରାକେଟ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଉପରେ ପୋଲିସ ତଦନ୍ତ କରୁନାହିଁ। ତେଣୁ ମମିତା ମେହେରକୁ ନ୍ୟାୟ ମିଳିବ ନା ନାହିଁ ତାହା ସନ୍ଦେହରେ। ଗୃହ ରାଷ୍ଟ୍ରମନ୍ତ୍ରୀ ୨୦୧୪ ରେ ନିର୍ବାଚନ ଲଢ଼ିଲାବେଳେ ସତ୍ୟପାଠ ମାଧ୍ୟମରେ କହିଥିଲେ ତାଙ୍କର ସଂପତି ପରିମାଣ ଦୁଇକୋଟି। ୨୦୧୯ ରେ ସେ ଦର୍ଶାଇଲେ ୮ କୋଟି କିନ୍ତୁ ଆମପାଖରେ ଥିବା ତଥ୍ୟ କହୁଛି ମନ୍ତ୍ରୀ ୭୫ କୋଟି ଟଙ୍କାର ମାଲିକ। ଗୋପାଳପୁର ବିଧାୟକଙ୍କୁ ଜନବିରୋଧି କହି ତାଙ୍କର ବିରୋଧରେ ମାମଲା ପାଇଁ ଲୋକାୟୁକ୍ତଙ୍କୁ ଦିଆଯାଇଥିଲା। ଏ କ୍ଷେତ୍ରରେ ଏହିବ୍ୟକ୍ତି ଜଣଙ୍କ ଏତେ ଅଳ୍ପ ସମୟ ମଧ୍ୟରେ ଏତେ ଅମାପ ସଂପତିର ଅଧିକାରୀ କିପରି ହେଲେ ତାହାର ତଦନ୍ତ ଲୋକାୟୁକ୍ତ ମାଧ୍ୟମରେ କରାଯିବକି? ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପତି ସଂପର୍କରେ ଇଡି ସ୍ତରୀୟ ତଦନ୍ତ ପାଇଁ ସୁପାରିଶ୍ କରିବେକି?

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ତାଙ୍କର ସଂପର୍କୀୟ ପ୍ରାୟ ୨୦୦ ଦଳିତ ପରିବାରର ଜମିକୁ ନିଜର ରାଜନୈତିକ ପ୍ରଭାବ ଓ ପତିଆରା ମାଧ୍ୟମରେ ସରକାରୀ ପରିମିଶନ କରି ଶାଗମାଛ ମୂଲରେ କିଣି ନେଇଛନ୍ତି, ବସ୍ତୁତ କଳାହାଣ୍ଡିରେ ଏହି ମନ୍ତ୍ରୀଙ୍କର ଛତ୍ରଛାୟାରେ ଏକ ବିରାଟ ଜମି ହଡ଼ପ ରାକେଟ କାର୍ଯ୍ୟ କରୁଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଏହାର ତଦନ୍ତ କରି ଓଡିଶା ଭୁସଂସ୍କାର ଆଇନ ଅନୁଯାୟୀ ସେହି ଜମି ଗୁଡ଼ିକୁ ସଂପୃକ୍ତ ସେହି ଦଳିତ ପରିବାରମାନଙ୍କୁ ଫେରାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦେବେକି?

୨୦୧୭ ମସିହାରେ କେନ୍ଦ୍ରପଡ଼ାର ତତ୍‌କାଳୀନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମାହାଙ୍ଗା ଅଂଚଳରେ ଅଣ୍ଡା ଓ ପଥର ମାଧ୍ୟମରେ ଆକ୍ରମଣ କରାଯାଇଥିଲା ଓ ସେଥିପାଇଁ ମାହାଙ୍ଗ ବିଧାୟକଙ୍କୁ ଦାୟୀ କରାଯାଇଥିଲା। ଯଦି ପୋଲିସ୍ ତଦନ୍ତ କରେ ଘଟଣାର ପୃଷ୍ଠପୋଷକଙ୍କୁ ଜେଲରେ ପୁରେଇ ଦେଇଥାନ୍ତେ, ତାହାହେଲେ ମାହାଙ୍ଗାର ଡବଲମର୍ଡର ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଗୋଟିଏ ହତ୍ୟାକାଣ୍ଡ ଘଟି ନଥାନ୍ତା। କୋର୍ଟ ନିର୍ଦ୍ଦେଶ ସତ୍ୱେ ଆଇନ ମନ୍ତ୍ରୀଙ୍କର ସଂପୃକ୍ତି ସଂପର୍କରେ ତଦନ୍ତ କରିବାକୁ ପୋଲିସ ପଛଘୁଂଚା ଦେଉଛି ଓ ସମୟ ଗଡ଼େଇ ଚାଲିଛି। ଓଡ଼ିଶା ବିଧାନସଭା ସାମନାରେ ଆତ୍ମଦାହ ଉଦ୍ୟମ କରି ଝିଅ ପାଇଁ ନ୍ୟାୟ ମାଗିଥିବା ପରିର ପିତାମାତାଙ୍କର ଲହୁ ମଧ୍ୟ ଶୁଖିନାହିଁ। ତାଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ତାଙ୍କ ଝିଅର ହତ୍ୟାକାରୀ ଓ ତାର ସୁରକ୍ଷା ଦାତା ଏବେ ମଧ୍ୟ ବାହାରେ ବୁଲୁଛନ୍ତି ଓ ସେମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗଳି ନିର୍ଦ୍ଦେଶ କରୁଛନ୍ତି। ମିଥ୍ୟ ସତ୍ୟପାଠ ମାଧ୍ୟମରେ ଜମି ହାତେଇବା ଓ ପରେ ତାରାଦତ କମିଶନ ରିପୋର୍ଟ ପରିପ୍ରେକ୍ଷୀରେ ଜମି ଫେରାଇଥିଲେ ଜଙ୍ଗଲମନ୍ତ୍ରୀ। କିନ୍ତୁ ମିଥ୍ୟା ସତ୍ୟପାଠ ପାଇଁ ମାମଲା ରୁଜୁ ହୋଇନାହିଁ। ଚୋରି ଜିନିଷ ଫେରାଇଲେ କ’ଣ ମୋକଦ୍ଦମା ହୁଏ ନାହିଁ କି?

ଉପବାଚସ୍ପତି ପଦ ଦଳରୁ ଉର୍ଦ୍ଧ୍ୱରେ। କିନ୍ତୁ ମାନ୍ୟବର ଉପବାଚସ୍ପତି ଏକ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୪.୫ କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ। ସମସ୍ତେ ଜାଣନ୍ତି ଯେ ୪.୫ କୋଟି ଓଡ଼ିଆଙ୍କ ଠାକୁର ପ୍ରଭୁ ଜଗନ୍ନାଥ। ଏଭଳି ଭୁଲ କରି ମାନ୍ୟବର ଉପବାଚସ୍ପତି ପ୍ରଭୁ ସ୍ୱୟଂ ଜଗନ୍ନାଥ, ୪.୫ କୋଟି ଓଡ଼ିଆଙ୍କର ସମ୍ମାନ, ସ୍ୱାଭିମାନ ଓ ପରମ୍ପରାକୁ ଅସମ୍ମାନ କରିଛନ୍ତି। କଂଗ୍ରେସଦଳ ମାନ୍ୟବର ଉପବାଚସ୍ପତିଙ୍କୁ ଅପିଲ କରୁଛି ଯେ ସେତାଙ୍କର ଅନ୍ତରାତ୍ମାକୁ ପଚାରନ୍ତୁ ଯେ ସେ ଭୁଲ କରିଛନ୍ତିିକି ନାହିଁ? ଏବଂ ୪.୫ କୋଟି ଓଡ଼ିଆ ଓ ସ୍ୱୟ ଜଗନ୍ନାଥଙ୍କୁ ନିର୍ସତ କ୍ଷମା ପ୍ରାଥାନ କରିବାକୁ ଆମେ ଅନୁରୋଧ କରୁଛୁ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଦେଶ କଂଗ୍ରେସ ଲିଗାଲ ସେଲ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଓ କଳାହାଣ୍ଡି ଜିଲ୍ଳା କଂଗ୍ରେସ ଲିଗାଲ ସେଲ ଅଧ୍ୟକ୍ଷ ପ୍ରକାଶ ହରପାଲ ଉପସ୍ଥିତ ଥିଲେ।