Odiapua.com

ମମିତା ମେହେରଙ୍କୁ ନ୍ୟାୟ ଓ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଓ ବହିଷ୍କାର ଦାବିରେ ଆସନ୍ତା ୧୦ ତାରିଖ ଦିନ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର ୭.୧୨ (ଓଡ଼ିଆ ପୁଅ) – ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ୱରରେ ଏବଂ ରାଜ୍ୟବ୍ୟାପି ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଏବଂ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ କ୍ରମାଗତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିଆସୁଛି। ମୁଖ୍ୟମନ୍ତ୍ରୀ ପୋଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବାପାଇଁ ଅପଚେଷ୍ଟା କରିଆସୁଛନ୍ତି। ମାତ୍ର ନବୀନ ପଟ୍ଟନାୟକଙ୍କର ଏହି ଅଗଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଭୃକ୍ଷେପ କରିନାହିଁ ବରଂ ଜେଲ ଯିବାକୁ ପସନ୍ଦ କରିଛି। ଅନେକ ସ୍ଥାନରେ ପୋଲିସ୍ ଉପସ୍ଥିତିରେ ଛାତ୍ର କଂଗ୍ରେସର କର୍ମକର୍ତାଙ୍କୁ ବିଜେଡ଼ି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ପୋଲିସ ନିରବ ରହିଛି। ପୋଲିସ ବିଜେଡ଼ି ଦଳର କର୍ମକର୍ତା ଭାବରେ ନିଜ ପରିଚୟ ପ୍ରଦାନ କରିଛି।

ମୁଖ୍ୟମନ୍ତ୍ରୀ ମମିତା ମେହେର ପ୍ରସଙ୍ଗରେ ନୀରବ ରହି ଘରେ ଶୋଇଥିଲେ। ବିଧାନସଭା ବାହାରେ ଏବଂ ବିଧାନସଭାରେ ପ୍ରବଳ ପ୍ରତିବାଦ ହେବାପରେ ଏକ ବିବୃତି ଦେଇ ମମିତା ମେହେର ପ୍ରସଙ୍ଗକୁ ଚପେଇଦେବା ପାଇଁ ହୀନ ଉଦ୍ୟମ କରିଛନ୍ତି। ଅନେକଥର ମୁଖ୍ୟମନ୍ତ୍ରୀ କହନ୍ତି ଆଇନ ତା ବାଟରେ ଯାଉ। ମାତ୍ର ୨୧ ବର୍ଷ ଭିତରେ ବେବିନା, ଇତିଶ୍ରୀ ଠାରୁ ଆରମ୍ଭ କରି ମମିତା ପର୍ଯ୍ୟନ୍ତ ସମସ୍ତ ତଦନ୍ତରେ ମୁଖ୍ୟମନ୍ତ୍ରୀ ଆଇନକୁ ତା ବାଟରେ ଯିବାକୁ ଦେଇ ନାହାନ୍ତି ବରଂ ଆଇନର ପଥ ଅବରୋଧ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବାପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ପଦାକୁ ବାହାରି ବିବୃତି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପାଖରେ ବସାଇବା ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୁହାଇଲା ଭଳି ଯେଉଁ ବିବୃତି ରଖିଛନ୍ତି ତାହା ପ୍ରମାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ ହତ୍ୟାକାରୀ ଦିବ୍ୟଶଙ୍କରଙ୍କୁ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି। ୨୧ ବର୍ଷଧରି ବେବିନା ହତ୍ୟାକାରୀ, ମାଧବୀଲତା ହତ୍ୟାକାରୀ, ଟିକିରୀ ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟାକାରୀ, କୁନ୍ଦୁଲି ଛାତ୍ରୀ ହତ୍ୟାକାରୀ, ସ୍ମିତାରାଣୀ ହତ୍ୟାକାରୀଙ୍କୁ ନବୀନ ପଟ୍ଟନାୟକ ଖୋଜୁଛନ୍ତି ହେଲେ ଅପରାଧି କିଏ ସେ ପାଉନାହାନ୍ତି। କାରଣ ତାଙ୍କରି ଦଳର ବିଧାୟକ, ମନ୍ତ୍ରୀ ଓ ନେତା ଏଥିରେ ସଂପୃକ୍ତ। ଅପରାଧର ପ୍ରମାଣ ନଷ୍ଟକରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାହିର। ଏସବୁ ଅପରାଧର ଅପରାଧି କିଏ ମୁଖ୍ୟମନ୍ତ୍ରୀ ଜାଣନ୍ତି ଜାଣି ମଧ୍ୟ ୨୧ ବର୍ଷ ହେଲା ଖୋଜୁଛନ୍ତି।

ଅନ୍ୟପ୍ରସଙ୍ଗରେ ବିଧାନ ସଭାରେ ମମିତା ମେହେର ଆଲୋଚନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଡରୁଛନ୍ତି। ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ନାହିଁ ତେବେ ଏହାର ଉପରେ ବିଧାନସଭାରେ ଆଲୋଚନା କଲେ କ୍ଷତି କ’ଣ? ମାମଲାର ଅପରାଧିକ ଷଡ଼ଯନ୍ତ୍ରର କୌଣସି ତଦନ୍ତ ପୋଲିସ କରୁନାହିଁ। କଲେଜରେ ଯୌନ କେଳେଙ୍କାରୀ ବାବଦରେ ତଦନ୍ତ ହେଉନାହିଁ। ମୁଖ୍ୟ ଅଭିଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇବା ପାଇଁ ଗୃହ ବିଭାଗ କାର୍ଯ୍ୟରେ ଲାଗିଛି। ବିରୋଧି ଦଳଙ୍କୁ ପ୍ରମାଣ ଯୋଗାଡ଼ କରିବାପାଇଁ କୁହାଯାଉଛି। ତେବେ ସରକାରଙ୍କ ପୋଲିସ ବିଭାଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ଅଛି କାହିଁକି? ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିରୋଧି ଦଳକୁ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି। ବିରୋଧି ଦଳ ମମିତାକୁ ନ୍ୟାୟ ଦେବାପାଇଁ ରାଜନୀତି କରୁଛି।

ଛାତ୍ର କଂଗ୍ରେସର ଦାବି :

ହାଇକୋର୍ଟଙ୍କ ତତ୍ୱାବଧାନରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ମାଧ୍ୟମରେ ଏସଆଇଟି ଏହାର ତଦନ୍ତ କରୁ। ହତ୍ୟାକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀ ବିରୋଧି ଦଳ ଉପରେ ଲଗାଇଥିବା ଆରୋପ ପାଇଁ କ୍ଷମା ମାଗନ୍ତୁ।

ଏହି ପ୍ରସଙ୍ଗରେ ଆସନ୍ତା ୧୦ ତାରିଖ ଦିନ ୧୧ ଘଂଟା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ସାରା ରାଜ୍ୟରେ ଛାତ୍ର ସମାଜ ଏହି କାର୍ଯ୍ୟ କ୍ର୍ରମରେ ଅଂଶ ଗ୍ରହଣ କରିବାକୁ ନିବେଦନ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ରଜତ ଚୌଧୁରୀ ଅଂଶଗ୍ରହଣ କରିଥିଲେ ଯେ ଅପରାଧର ତଦନ୍ତ ପାଇଁ ୨୧ ବର୍ଷର ଶାସନ କାଳରେ ନୀବନ ବାବୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଫଳଶୂନ୍ୟ। ପୂର୍ବତନ ମେୟର ତଥା ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ବିକ୍ରମ ଆରୁଖ ପ୍ରମୁଖଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଥାଇ ବର୍ଷ ବର୍ଷ ଧରି ତଦନ୍ତ ଚାଲୁଛି। ମାତ୍ର ଏ ତଦନ୍ତ ମୂଲ୍ୟହୀନ କାରଣ ତୃତୀୟ ମହଲା ଏହି ତଦନ୍ତକୁ ନିୟନ୍ତ୍ରଣ କରୁଛି। ସୁତରାଂ ମନ୍ତ୍ରୀ ଦିବ୍ୟଶଙ୍କର ଗୃହରାଷ୍ଟ୍ର ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ବାଟବଣା ରହିବ ବୋଲି ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ, ବିଶ୍ୱଭୂଷଣ ଦାସ ଅଂଶଗ୍ରହଣ କରିଥିଲେ।