Odiapua.com

ମମତା କାନ୍ଦୁଛି ଦୁଃଖକୁ ବାନ୍ଧୁଛି , ପାଗଳ ପୁଅକୁ ନେଇ ଗଛମୂଳେ ଅସହାୟ ବୃଦ୍ଧା ମା’

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଳେବେଳେ ମଣିଷ ଦୁଃଖ ପାଇ ଭାଗ୍ୟକୁ ନିନ୍ଦିଥାଏ । ହେଲେ ସେହି ନିନ୍ଦିବା ଭିତରେ ଜଣେ ମା’ ର ମମତା ନିଜର ପାଗଳ ପୁତ୍ର ପାଇଁ ବିଳପି ଉଠିଛି । ସେହି ପୁଅପାଇଁ ନା ସେ ମରିପାରୁଛି, ନା ବଂଚିପାରୁଛି । ଯେଉଁଥିପାଇଁ ସେ ସବୁକିଛି ହରାଇ ପାଗଳ ପୁତ୍ର ସହ ଆଦରି ନେଇଛି ଗଛମୂଳକୁ । ଏହିଭଳି ଜଣେ ମା’ ହେଲେ ଏହି ଜିଲାର ରଣପଦା ଗାଁର ମାତାଜୀ ରାଉତ । ତାଙ୍କର ଅସରନ୍ତି ଦୁଃଖ କଥା କାହାକୁ ନକହିବା ଭଲ । ଅଭାବର ଚାଦର ଭିତରୁ କାହାକୁ ବା ସିଏ ଅଭିଯୋଗ କରିବେ । ନିଜ ପାଗଳ ପୁତ୍ର ସନ୍ତାନର ଦୁଃଖର ବୋଝକୁ କିଏବା ଲାଘବ କରିବ । ସ୍ୱାମୀଙ୍କ ପରେ ଗୋଟିଏ ପୁଅ ଆରପାରିକୁ ଚାଲିଗଲା । ସାନପୁତ୍ର ପାଗଳ । ଆଉ ବଡ ଦୁଇଜଣ ତାଙ୍କ ଠାରୁ ଅଲଗା । ଯେଉଁଥିପାଇଁ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଆଲୁଅ ଦେଖୁଥିବା ଝାଟିମାଟିର ବାସଟିକକ ଭିତରେ ବିତିଯାଉଛି ଜୀବନ । ପ୍ରକୃତିର ଦାଉରୁ ରକ୍ଷା ପାଇବା ପାଇଁ କେତେବେଳେ ତାଳ ବରଡା ତଳେ ତ କେତେବେଳେ ବରଗଛ ମୂଳେ ଆଶ୍ରୟ ନେଉଛନ୍ତି ମା’ ଓ ପୁଅ । ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ପାଗଳ ପୁତ୍ରକୁ ଧରି ଏବେ ଗଛମୂଳେ ଆଶ୍ରୟ ନେଇଛନ୍ତି ରଣପଦା ଗ୍ରାମର ମାତାଜୀ ରାଉତ । ଅନ୍ୟ ଦୁଇପୁଅ ଥିଲେ ମଧ୍ୟ ମା’ ଓ ମାନସିକ ରୋଗଗ୍ରସ୍ତ ଭାଇକୁ ପାଳିବାକୁ ସମ୍ବଳ ନାହିଁ । ଯେଉଁଥିପାଇଁ ଭାଗ୍ୟକୁ ଆଦରି ଖୋଲା ଆକାଶ ତଳେ ବିତୁଛି ମା’ ଓ ପୁଅଙ୍କ ଜୀବନ । ମାତାଜୀଙ୍କ ବାର୍ଦ୍ଧକ୍ୟ ଆଖି ଏବେ ଚିରଦିନ ପାଇଁ ବିଶ୍ରାମ ନେବାକୁ ଚାହିଁଲାଣି । ଜୀବନର ସଂଜ ବୁଡିଯିବ ବୋଲି ଜାଣୁଥିଲେ ମଧ୍ୟ ସେ କେବଳ ପାଗଳ ପୁଅଟି ପାଇଁ ଏ ଦୁନିଆ ଛାଡି ଆରପାରିକୁ ଯାଇପାରୁନାହାଁନ୍ତି । ଏବେ ସରକାରଙ୍କ ପକ୍ଷରୁ ମିଳୁଥିବା ଟଙ୍କିକିଆ ଚାଉଳ ଓ ଭତ୍ତା ହେଉଛି ଉଭୟଙ୍କର ଏକମାତ୍ର ସମ୍ବଳ । ତେବେ ସେମାନଙ୍କର ଦୁଃଖ ଦେଖି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକର ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଉଭୟଙ୍କୁ ଆବାସ ଯୋଜନାରେ ଘରଟିଏ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ସେ । ଏଣୁ ପ୍ରଶାସନିକ ଆଶ୍ୱାସନାରେ ଆଶ୍ୱସ୍ତିର ଆଶା ଉଇଁଛି ତାଙ୍କ ମନରେ । ତେବେ ସମୟ କହିବ କେତେଶୀଘ୍ର ଦୂର ହେଉଛି ତାଙ୍କର ଦୁଃଖ ।