Odiapua.com

ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ ରେଲବାଇର ଅଭିନବ ନୀତି- “ଷ୍ଟାର୍ଟଅପ୍‌ସ ଫର ରେଲୱେଜ” ଆରମ୍ଭ

ଭାରତୀୟ ଷ୍ଟାର୍ଟଅପ୍ /ଏମ୍‌ଏସଏମ୍‌ଇ/ ଇନୋଭେଟର/ଉଦ୍ୟୋଗୀଙ୍କ ଦ୍ୱାରା ବିକଶିତ ଇନୋଭେଟିଭ ଟେକେ୍‌ନୋଲୋଜିର ଫାଇଦା ଉଠାଇବା ଏହି ନୀତିର ଉଦ୍ଦେଶ୍ୟ
ଏହାଦ୍ୱାରା ଭାରତୀୟ ରେଳବାଇର ପରିଚାଳନା ଦକ୍ଷତା ଓ ନିରାପତ୍ତା ବୃଦ୍ଧି ପାଇବ
ଏହି ନୀତି ମାଧ୍ୟମରେ ଇନୋଭେଟରଙ୍କୁ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସମପରିମାଣର ଅଂଶଧନ ବିନିଯୋଗ ଭିତ୍ତିରେ ଯୋଗାଇ ଦିଆଯିବ ଓ ସମ୍ପୃକ୍ତ ଅର୍ଥ ସଫଳତା ଆଧାରରେ ମିଳିବ
ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ମାନନୀୟ ରେଳ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ “ଷ୍ଟାର୍ଟଅପ୍‌ସ ଫର୍ ରେଲୱେଜ” ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ନୂଆନୀତି ଫଳରେ ଭାରତୀୟ ରେଳବାଇ ନବ ଉନ୍ମେଷିତ ଷ୍ଟାର୍ଟଅପ ଉଦ୍ୟୋଗର ସହଯୋଗରେ ନିଜର କାର୍ଯ୍ୟଦକ୍ଷତା, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବ। ସମ୍ପୃକ୍ତ ଉଦ୍ୟୋଗ ତାହାର ନବସୃଜନକାରୀ ପ୍ରଯୁକ୍ତି (ଇନୋଭେଟିଭ ଟେକ୍‌ନୋଲୋଜି) ମାଧ୍ୟମରେ ଭାରତୀୟ ରେଳବାଇର ବିକାଶ ଯାତ୍ରାରେ ଅଂଶୀଦାର ହୋଇପାରିବେ। ଭାରତରେ ଏବେ ଯେଉଁ ଷ୍ଟାର୍ଟଅପ ଉଦ୍ୟୋଗ ରହିଛି ତାହାର ସାମର୍ଥ୍ୟର ଯଥାର୍ଥ ଉପଯୋଗ ଏଯାବତ ହୋଇନାହିଁ। ଏହି ଉଦ୍ୟୋଗ ଦ୍ୱାରା ବିକଶିତ ଇନୋଭେଟିଭ ଟେକ୍‌ନୋଲୋଜିର ଲାଭ ରେଳବାଇ ଉଠାଇ ପାରିବ। ଏହାଦ୍ୱାରା ରେଳବାଇର ନିରାପତ୍ତା ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଆସିବ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ରେଳବାଇରେ ନୂଆ ନୂଆ ଟେକ୍‌ନୋଲୋଜିକୁ ସମନ୍ୱିତ କରିବା ଘେନି ଦୀର୍ଘକାଳ ଧରି ଯେଉଁ ଆଲୋଚନା ଓ ଚର୍ଚ୍ଚା ଚାଲିଥିଲା, ଆଜି ତାହାର ଅବସାନ ଘଟିଛି। ଆଜି ରେଳବାଇ ଦ୍ୱାରା ଆରମ୍ଭ କରାଯାଇ ଥିବା ନୂଆ ଯୋଜନା ଓ ପ୍ରୟାସ ମାଧ୍ୟମରେ ଦ୍ୱାରା ଏହି ଟେକ୍‌ନୋଲୋଜି ସମନ୍ୱୟ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ରୂପ ପାଇଛି।
ଏହି ନୀତି ବା ଯୋଜନାର ଶୁଭାରମ୍ଭ କରିବା ଅବସରରେ ବେଶ୍ ସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ ରେଳବାଇ ସହିତ ସମ୍ପୃକ୍ତ ହେବାକୁ ଷ୍ଟାର୍ଟ ଅପ୍ ସମୂହ ଏକ ଭଲ ସୁଯୋଗ ପାଇବେ। ରେଳବାଇର ବିଭିନ୍ନ ଡିଭିଜନ, ଜୋନର ଆଦିରୁ ମିଳୁଥିବା ଶତାଧିକ ସମସ୍ୟା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ୧୧ଟିକୁ ଗ୍ରହଣ କରାଯାଇ ତାହାର ସ୍ଥାୟୀ ସମାଧାନ ବ୍ୟବସ୍ଥା କରାଯିବ। ଏହି ସବୁ ସମସ୍ୟାର ସମାଧାନ କରିବାକୁ ସୂତ୍ର ବାହାର କରିବା ଦାୟିତ୍ୱ ଷ୍ଟାର୍ଟଅପ୍‌ଗୁଡିକୁ ଦିଆଯିବ। ସେମାନେ ନିଜର ଇନେଭେଟିଭ ଟେକ୍‌ନୋଲୋଜି ମାଧ୍ୟମରେ ତାହାର ସମାଧାନ କରିବେ।
ଦେଶର ଷ୍ଟାର୍ଟଅପ୍ ସମୂହ ସରକାରଙ୍କ ଏହି ସୁଯୋଗର ସଦୁପଯୋଗ କରିବାକୁ ରେଳମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏ କ୍ଷେତ୍ରରେ ରେଳବାଇ ସମ୍ପୃକ୍ତ ଷ୍ଟାର୍ଟଅପଗୁଡିକୁ ସମସ୍ତ ସହାୟତା ଯୋଗାଣ ସୁନିଶ୍ଚିତ କରିବ। ଏଥିରେ ୫୦ଶତାଂଶ ପୁଞ୍ଜି ଅନୁଦାନ, ନିଶ୍ଚିତ ବଜାର, ଉପଯୁକ୍ତ ପରିବେଶ ଯୋଗାଇ ଦିଆଯିବ।
ଭାରତୀୟ ରେଳବାଇ ନୂଆ ଯୋଜନାର ପ୍ରମୁଖ ଅଂଶ
– ଏହି ଯୋଜନାରେ ଇନୋଭେଟରମାନଙ୍କୁ ସରକାର ୫୦ ଶତାଂଶ ଭିତିରେ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେବେ। ଅବଶିଷ୍ଟ ୫୦ଶତାଂଶ ଅର୍ଥ ଭାଗିଦାରୀ ଭିତିରେ ସମ୍ପୃକ୍ତ ଷ୍ଟାର୍ଟଅପ୍‌କୁ ଖର୍ଚ୍ଚ କରିବାକୁ ପଡିବ। ଇନୋଭେସନରେ ସଫଳତା ଓ ଉପଲବ୍ଧି ଆଧାରରେ ସମ୍ପୃକ୍ତ ଇନୋଭେଟର ସରକାରୀ ଅନୁଦାନ ପାଇବେ।
– ରେଳବାଇର ବିଭିନ୍ନ ପ୍ରମୁଖ ସମସ୍ୟାବଳୀର ତଥ୍ୟ ଅନଲାଇନରେ ଉପଲବ୍ଧ ହେବ। ଇନୋଭେଟରମାନଙ୍କୁ ଏଥିପାଇଁ
– ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ପଡିବ। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସମସ୍ୟାବଳୀର ସମାଧାନ ନିମନ୍ତେ ସମ୍ପୃକ୍ତ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ପ୍ରୋଟୋଟାଇପ/ମଡେଲ/ ଡିଜାଇନ ପ୍ରସ୍ତୁତ କରିବାକୁ ପଡିବ। ସମସ୍ତ କାର୍ଯ୍ୟ ଅନଲାଇନ ବ୍ୟବସ୍ଥାରେ ସ୍ୱଚ୍ଛତାର ସହ କରାଯିବ।
– ବିକଶିତ ମଡେଲର ପରୀକ୍ଷାମୂଳକ ପ୍ରୟୋଗ ରେଳବାଇ ଦ୍ୱାରା କରାଯିବ। ଏହାର ସଫଳତା ଆଧାରରେ ରେଳବାଇ ସମ୍ପୃକ୍ତ ଇନୋଭେଟରଙ୍କୁ ଆଥିôର୍କ ଅନୁଦାନ ଯୋଗାଇ ବିକଶିତ ଟେକ୍‌ନୋଲୋଜିର ଉତ୍ପାଦନ ପାଇଁ ସହାୟତା କରିବ ଏବଂ ଏହାକୁ ରେଳବାଇ ବ୍ୟବହାର କରିବ।
– ଏଥିପାଇଁ ଷ୍ଟାର୍ଟଅ-ଇନୋଭେଟର/ଏମଏସ୍‌ଏମଇ ଓ ଉଦ୍ୟୋଗୀଙଙ୍କ ମନୋନୟନ ପ୍ରକ୍ରିୟା ଅନ୍‌ଲାଇନ ବ୍ୟବସ୍ଥାରେ ଅତ୍ୟନ୍ତ ସ୍ୱଚ୍ଛତାର ସହ କରାଯିବ। ଆଜି ରେଳମନ୍ତ୍ରୀ ଅନ୍‌ଲାଇନ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି।
– ଯେଉଁ ଇନୋଭେଟିଭ ଟେକ୍‌ନୋଲୋଜି ବିକଶିତ ହେବ ତାହାର ବୌଦ୍ଧିକ ସତ୍ତ୍ୱାଧିକାର ଇନୋଭେଟର ଉଦ୍ଭାବକଙ୍କ ପାଖରେ ରହିବ।
– ରେଳବାଇ ଇନୋଭେଟରମାନଙ୍କୁ ନିଜର ନୂଆ ଟେକ୍‌ନୋଲୋଜିର ଅଧିକ ବିକାଶ ପାଇଁ ନିଶ୍ଚିତ ସହଯୋଗ କରିବେ ଏବଂ ତାହାର ସଫଳତାକୁ ପରଖି ବ୍ୟବହାର କରିବେ।
– ବିଳମ୍ବ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ପାଦ ବିକାଶ ପ୍ରକ୍ରିୟାକୁ ରେଳଡିଭିଜନ ସ୍ତରରେ କରାଯିବ।
ମେ ମାସରେ ରେଳବାଇ ତାହାର ଫିଲ୍ଡ ୟୁନିଟ୍‌ଗୁଡିକୁ ଏକ ନିର୍ଦ୍ଦେଶନାମା ଜାରି କରି ବିଭିନ୍ନ ପ୍ରମୁଖ ସମସ୍ୟାର ତାଲିକା ପଠାଇବାକୁ କହିଥିଲା। ସେହି ଭିତ୍ତିରେ ଏପର୍ଯ୍ୟନ୍ତ ବିଭିନ୍ନ ଡିଜିଜନ/ଜୋନ ଓ ୟୁନିଟ୍‌ରୁ ୧୬୦ ସମସ୍ୟା ସମ୍ବଳି୍‌ତ ବିବରଣୀ ରେଳବାଇର ହସ୍ତଗତ ହୋଇଛି। ସେଥିମଧ୍ୟରୁ ୧୧ଟି ସମସ୍ୟାକୁ ବଛାଯାଇ ପ୍ରଥମ ପର୍ଯ୍ୟାୟରେ ତାହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସବୁର ସମାଧାନ ଦାୟିତ୍ୱ ଷ୍ଟାର୍ଟଅପ୍‌/ଏମ୍‌ଏସ୍‌ଏମଇ/ଇନୋଭେଟର ଓ ଉଦ୍ୟୋଗମାନଙ୍କୁ ଦିଆଯିବ। ଏହାର ତାଲିକା ପୋର୍ଟାଲରେ ଅପ୍‌ଲୋଡ ହୋଇଛି।
ସେଗୁଡିକର ନିମ୍ନରେ ପ୍ରଦାନ କରାଯାଇଛି।
୧) ଭାଙ୍ଗିଯାଇଥିବା ରେଳଧାରଣାକୁ ଚିହ୍ନଟ କରିବା
୨) ରେଲ-ଷ୍ଟ୍ରେସ ମନିଟରିଂ ବ୍ୟବସ୍ଥା
୩) ସହରତଳି ରେଳ ଚଳାଚଳରେ ଭାରତୀୟ ରେଳବାଇର ଜାତୀୟ ଏଟିପି ବ୍ୟବସ୍ଥା ମାଧ୍ୟମରେ ଇଂଟର ଅପରେବଲ ସିଷ୍ଟମର ବିକାଶ
୪) ଟ୍ରାକ ନିରୀକ୍ଷଣ /ପରିଦର୍ଶନ ଆଦି କାମକୁ ସ୍ୱଂୟକ୍ରିୟ କରିବା
୫)ଅଧିକ ଓଜନର ମାଲବାହୀ ୱାଗନ ପାଇଁ ଅତି ଉନ୍ନତ ଇଲାଷ୍ଟୋମେରିକ ପ୍ୟାଡ୍ (ଇଏମ୍‌ପ୍ୟାଡ୍‌)ର ଡିଜାଇନ ପ୍ରସ୍ତୁତି
୬) ଲୁଣଭଳି ସାମଗ୍ରୀ ପରିବହନ ପାଇଁ ହାଲ୍‌କା ୱାଗନ ନିର୍ମାଣ
୭) ଥ୍ରୀ-ଫେଜ ବିଦ୍ୟୁତ୍ ଚାଳିତ ଇଞ୍ଜିନରେ ବ୍ୟବହୃତ ଟ୍ରାକ୍‌ସନ୍ ମୋଟର ପାଇଁ ଅନ୍‌ଲାଇନ ସ୍ଥିତି ନିରୀକ୍ଷଣ ବ୍ୟବସ୍ଥାର ବିକାଶ
୮) ଯାତ୍ରୀ ସେବାରେ ଉନ୍ନତି ପାଇଁ ଡିଜିଟାଲ ଡାଟା ବ୍ୟବହାର କରି ଆନାଲିଟିକାଲ ଟୁଲର ବିକାଶ କରିବା
୯) ରେଳପଥ ସଫେଇ ମେସିନ ନିର୍ମାଣ
୧୦) ତାଲିମ ପରବର୍ତ୍ତୀ ରିଭିଜନ ଓ ସେଲଫ ସର୍ଭିସ ରିଫ୍ରେସର କୋର୍ସ ପାଇଁ ଆପ୍ ପ୍ରସ୍ତୁତି
୧୧) ରେଲସେତୁର ସ୍ଥିତି ଅନୁଧ୍ୟାନ ପାଇଁ ଦୂରସମ୍ବେଦୀ, ଜିଓ ମେଟ୍ରିକ୍ସ ଏବଂ ଜିଆଇଏସ୍ ବ୍ୟବସ୍ଥାର ଉପଯୋଗ
ରେଳବାଇ ଆଉ ଯେଉଁ ସମସ୍ୟାବଳୀ ସଂକ୍ରାନ୍ତ ରିପୋର୍ଟ ପାଇଛି ତାହାକୁ ଅନୁଧ୍ୟାନ କରାଯିବ ଏବଂ ପର୍ଯ୍ୟାୟକ୍ରମେ ସେସବୁ ପୋର୍ଟାଲରେ ଅପଲୋଡ ହେବ।