Odiapua.com

ମନ୍ତ୍ରୀଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟିକିରିଆ ସ୍ଥିତ ସତ୍ୟମ ଶିଭମ ସୁନ୍ଦରମ ଉଚ୍ଚ ବିଦ୍ୟାଳୟରେ ଉକ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅର୍ଥରେ ଏକ ନୂତନ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମଧୁସୂଦନ ମାଟି ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ଅକ୍ଷୟ ପ୍ରଧାନ ଏହି ସଭାରେ ସଭାପତିତ୍ୱ କରିଥିବାବେଳେ, ଉକ୍ତ ବିଦ୍ୟାଳୟକୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରତିଶ୍ରୁତି ଦେବା ସହ ଉକ୍ତ ସ୍କୁଲକୁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ଯୋଇଦେବାର ପ୍ରତିଶୃତି ଦେଇଥିଲେ । ଏହାବ୍ୟତୀତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଆସିଥିବା ଦର୍ପଣ ବହିକୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଅଜୟ ପଲେଇ, ଜୟନ୍ତ ପାଣିଗ୍ରାହୀ, କୈଳା ପାତ୍ର, ଅଫତାବ ଆଲାମଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକବୃନ୍ଦ ସହଯୋଗ କରିଥିଲେ ।