Odiapua.com

ମନୋଜ ଦାସଙ୍କ କଥା ସାହିତ୍ୟ ସମ୍ପର୍କିତ ୱେବିନାର

ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଯଶସ୍ୱୀ କଥାକାର ମନୋଜ ଦାସଙ୍କ ସାହିତ୍ୟରେ ପ୍ରଜ୍ଞା ଓ ଆଧ୍ୟାତ୍ମିକତା ଏବଂ ବିଶ୍ୱ ଦୃଷ୍ଟିକୋଣ ଆଧାରିତ ଏକ ମନୋଜ୍ଞ ଆଲୋଚନା ଚକ୍ର ସୃଜନୀ ପରିବାର, ଚେନ୍ନାଇ ଦ୍ୱାରା ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସମ୍ପାଦକ ଅଶୋକ ସାମନ୍ତଙ୍କ ଆବାହକତ୍ୱ ଏବଂ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁସାହିତ୍ୟିକ ତଥା ଶିକ୍ଷାବିତ୍ ରମେଶ ଚନ୍ଦ୍ର ପସାଏତ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ପ୍ରାପ୍ତବସର ଆଇ ଏଫ୍ ଏସ୍ ଆଶୁତୋଷ ସାମନ୍ତ ସିଂହାର ନିଜର ଉଦ୍‌ଘାଟନୀ ବକ୍ତବ୍ୟରେ କିମ୍ବଦନ୍ତୀ କଥାକାର ମନୋଜ ଦାସଙ୍କୁ ଭାରତୀୟ ଚେତନାର ଜଣେ ବିଶ୍ୱସ୍ତରୀୟ ଲେଖକ ଏବଂ ଅଦ୍ୱିତୀୟ ପ୍ରବକ୍ତା ଭାବେ ଚିତ୍ରଣ କରିଥିଲେ। ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଆର୍ଯ୍ୟବ୍ରତ ଦାସ ଯୋଗ ଦେଇ ‘ମନୋଜାୟନ, କିଛି ଜିଜ୍ଞାସା କିଛି ଅନ୍ୱେଷା’ ଉପରେ ନିଜର ଦୀର୍ଘ ଆଲୋଚନାରେ ମନୋଜ ଦାସ କୃତ କନକ ଉପତ୍ୟକାର କାହାଣୀ ଏବଂ ଶେଷ ତାନ୍ତ୍ରିକର ସନ୍ଧାନରେ ଉପନ୍ୟାସ ଦ୍ୱୟକୁ ଆଲୋଚନାକୁ ଆଣିବା ସହ ମନୋଜ ସାହିତ୍ୟ କଥାବସ୍ତୁର ଲୌକିକତା ଏବଂ ଅଲୌକିକତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ତଥା ସୁବକ୍ତା ସୁଭାଷ ଚନ୍ଦ୍ର ପଣ୍ଡା ଯୋଗଦେଇ ମନୋଜ ଦାସଙ୍କ ସାହିତ୍ୟରେ ପ୍ରଜ୍ଞା ଓ ଆଧ୍ୟାତ୍ମିକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଆଲୋଚନା ପର୍ବ ଶେଷରେ ଯୁବ ସାହିତ୍ୟିକ ଜ୍ଞାନେନ୍ଦ୍ର ପଣ୍ଡା ଏବଂ ସାହିତ୍ୟିକା ସୁମତି ମୁଣ୍ଡଙ୍କ ଦ୍ୱାରା ମନୋଜ ଦାସଙ୍କର ବହୁ ଚର୍ଚ୍ଚିତ ଗଳ୍ପ ଆକାଶ କଇଁଛ ଏବଂ ଶେଷ ବସନ୍ତର ଚିଠି ପଠିତ ହୋଇଥିଲା। ଓଡ଼ିଆ ସାହିତ୍ୟରେ ସକ୍ରିୟ ଥିବା ରାଜ୍ୟ ତଥା ଦେଶ ବିଦେଶର ବହୁ ଲେଖକ, ଲେଖିକା, ଓଡ଼ିଆ ସାହିତ୍ୟ ପତ୍ରିକାର ସମ୍ପାଦକ ଓ ମନୋଜ ଦାସଙ୍କ ସାହିତ୍ୟରେ ଗବେଷଣା କରୁଥିବା ଗବେଷକ, ଛାତ୍ର ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଭାରତୀ ଦାଶ କାଳିଆ ଜଣାଣ ପରିବେଷଣ କରିଥିଲା ବେଳେ ସମ୍ପାଦକ ଅଶୋକ କୁମାର ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ କରିଥିଲେ।