Odiapua.com

ମନରେ ନାହିଁ ଟିକେଟ୍ ନ ପାଇବାର ନିରାଶା-ବିଦ୍ୱେଷ : ବିଜେଡି ଜିଲ୍ଲା ସଭାପତି-ପୂର୍ବତନ ବିଧାୟକଙ୍କ ସଫେଇ

ବାଲେଶ୍ୱର, ୧୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଯେତେ ଲୁଚେଇଲେ ବି ଲୁଚୁନାହିଁ ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳରେ ଟିକେଟ୍ ପାଇବା ଜନିତ କନ୍ଦଳ ନାହିଁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ମିଡିଆ ଆଗରେ ସଫେଇ ଦେବାକୁ ପଡ଼ୁଛି। ନିକଟ ଅତୀତରେ ବାଲେଶ୍ୱରର ପୂର୍ବତନ ପୌରପାଳ ଆଲୋକ ସାହୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ‘ସେ ବିଜେଡିରେ ଅଛନ୍ତି’ ବୋଲି ସ୍ପଷ୍ଟୀକରଣ ରଖିବା ଭଳି ରାଜ୍ୟସ୍ତରୀୟ ନେତାଙ୍କ ଚାପ ଓ ନିର୍ଦ୍ଦେଶ କ୍ରମେ ଶେଷରେ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ମିଡିଆ ଆଗରେ ମୁହଁ ଖୋଲିଛନ୍ତି। ଚଳିତ ନିର୍ବାଚନରେ ସେମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ ବୋଲି ସଫେଇରେ କହିଛନ୍ତିି। ରାଜ୍ୟ ଆଇନ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ଦାଶ ଯୋଗଦେଇ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ନିର୍ବାଚନରେ ସେମାନଙ୍କ କାର୍ଯ୍ୟଧାରାକୁ ସନ୍ଦେହ କରି ସୋସିଆଲ ମିଡିଆ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଥିବା ଖବରର କୌଣସି ବାସ୍ତବତା ନଥିବା ସେମାନେ ପ୍ରକାଶ କରିଛନ୍ତି। ବିଜେଡି ଭଳି ଶୃଙ୍ଖଳିତ ରାଜନୈତିକ ଦଳରେ ଥାଇ ସେମାନେ କେବେ ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ। ଅନ୍ୟପକ୍ଷରେ ଚଳିତ ଉପ-ନିର୍ବାଚନରେ ଟିକେଟ୍ ନ ପାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଉ ନିରାଶ ବା ବିଦ୍ୱେଷ ଭାବ ନାହିଁ। ଏବେ ଦଳୀୟ ମୁଖ୍ୟଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ତାଙ୍କରି ନିର୍ଦ୍ଦେଶ କ୍ରମେ ସେମାନେ ଶୃଙ୍ଖଳିତ କର୍ମୀଙ୍କ ଭଳି ଉପ-ନିର୍ବାଚନର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ଜିଲ୍ଲା ସଭାପତି ଶ୍ରୀ ଜେନା ଓ ପୂର୍ବତନ ବିଧାୟକ ଶ୍ରୀ ଦାଶ କହିଛନ୍ତି। “ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି” ଭଳି ସେମାନେ ଯେ ଦଳୀୟ କ୍ଷମତାକେନ୍ଦ୍ରଙ୍କ ଚାପ ଓ ନିର୍ଦ୍ଦେଶରେ ଏହି ସ୍ପଷ୍ଟୀକରଣ ରଖିଛନ୍ତି, ସାମ୍ବାଦିକ ସମ୍ମିଳନୀରେ ତହା ସେମାନଙ୍କ ମୁହଁର ଭାବରୁ ବେଶ୍ ବାରି ହୋଇ ପଡ଼ୁଥିଲା। ଯାହା ବି ହେଉ ଭୋଟର, ଦଳୀୟ କର୍ମୀ ତଥା ସାମ୍ବାଦିକଙ୍କ ପ୍ରଶ୍ନବାଣରୁ ରକ୍ଷା ପାଇବା ପାଇଁ ଆଇନମନ୍ତ୍ରୀଙ୍କ ସମେତ ବାଲେଶ୍ୱରରେ ଡେରା ପକାଇଥିବା ପ୍ରଚଣ୍ଡ କ୍ଷମତାଧାରୀ ରାଜ୍ୟସ୍ତରୀୟ ବିଜେଡି ନେତାଙ୍କ ପ୍ରୟାସ ଏକପ୍ରକାର ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷରେ ଦିବଂଗତ ସଦର ବିଧାୟକଙ୍କ ଅପାରଗତା ଯୋଗୁଁ ବାଲେଶ୍ୱର ପୌରାଞ୍ଚଳରେ ଦେଢ଼ବର୍ଷ ଧରି ବିକାଶ ଠପ୍ ହୋଇଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ ଆରୋପ ଉଠାଇଥିଲେ। ସହରବାସୀ ଆଉ କାହା କଥାରେ ନ ଭୁଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ ବିଜୟ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।